ଓଡ଼ିଶାଲାଇଭ୍ ବ୍ୟୁରୋ

  • ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍
  • ଲାଇଭ କମନ ଫିଡ୍ ସହିତ ବିଭିନ୍ନ ମିଡିଆ ହାଉସମାନେ କାର୍ଯ୍ୟକ୍ରମର ପ୍ରସାରଣ କରିପାରିବେ
  • ମିଡିଆ ଲାଉଞ୍ଜରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବ୍ୟବସ୍ଥା
  • ସୁବିଧା ଜନକ ନିର୍ଦ୍ଦିଷ୍ଟ ସ୍ଥାନରୁ ପ୍ରସାରଣ ଓ ଫଟୋ ପାଇଁ କ୍ୟାମେରା ବ୍ୟବସ୍ଥା

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୬ ଏବଂ ୨୦୧୮ର ସଫଳତା ପରେ ଏହାର ତୃତୀୟ ସଂସ୍କରଣ ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଅନୁଷ୍ଠିତ ହେବାକୁଯାଉଛି। ଏଥିରେ ଦେଶବିଦେଶରୁ ଶିଳ୍ପପତିମାନେ ଯୋଗଦେଇ ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ।

ଏଥି ନିମନ୍ତେ ବ୍ୟବସାୟିକ ନେତୃତ୍ୱ ସଂପର୍କିତ ପାରସ୍ପରିକ ଆଲୋଚନା ସହ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ବୈଷୟିକ ଜ୍ଞାନକୌଶଳରେ ଅଭିନବତ୍ୱ ଆଣିବା, ସ୍କିଲଡ ଇନ ଓଡ଼ିଶା, ଷ୍ଟାର୍ଟ ଅପ୍ ଓଡ଼ିଶା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା, ଓଡ଼ିଶାର ଶିଳ୍ପ ବିକାଶର ଦକ୍ଷତା ଓ ପୁଞ୍ଜି ନିବେଶ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବାର ରହିଛି।

ମେକ୍ ଇନ ଇଣ୍ଡିଆ କନକ୍ଲେଭକୁ ସଫଳତାର ସହିତ ଆୟୋଜନ କରିବାକୁ ରାଜ୍ୟ ଶିଳ୍ପ ବିଭାଗ, ଫିକି, ଇପିକଲ  ସହିତପି. ଡବ୍ଲ୍ୟୁସି, ଲାନିୟାର୍ଡସ୍ ଏବଂ ଜେନେସିସ୍ ଆଦି ସଂସ୍ଥା ସହଯୋଗ କରୁଛନ୍ତି। ଏହି ବୃହତ୍ ଶିଳ୍ପ ମହାକୁମ୍ଭରେ ଅନୁଷ୍ଠିତ ହେବାକୁ ଥିବା ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସୁବିଧାରେ ପ୍ରଚାର ପ୍ରସାର ନିମନ୍ତେ ଭୁବନେଶ୍ୱର ସ୍ଥିତ ଇଡକୋ ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପରିଚାଳନା (ମିଡିଆ ପ୍ଲାନିଂ) ସମ୍ପର୍କରେ ବିଶଦ୍ ଆଲୋଚନା ହୋଇଥିଲା।

ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡକୋର ଅଧ୍ୟକ୍ଷ ହେମନ୍ତ କୁମାର ଶର୍ମା ଯୋଗ ଦେଇ ଏହି କନକ୍ଲେଭ ନେଇ ମିଡିଆ ପ୍ଲାନିଂ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଶଦ୍ ଭାବେ ସୂଚନା ଦେଇଥିଲେ। ଏହା ସହ ସେମାନଙ୍କଠାରୁ ଦିଆଯାଇଥିବା ପ୍ରସ୍ତାବକୁ ବିଚାରକୁ ନେଇଥିଲେ। ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାର ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅଧିକାରୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଭିନ୍ନ ସୂଚନା ଯୋଗାଇ ଦେବା ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଥିବା ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପ୍ରକାଶ କରିଛନ୍ତି। ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ାଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ, ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧିମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।  କାର୍ଯ୍ୟକ୍ରମର ସିଧା ପ୍ରସାରଣ, ବିଭିନ୍ନ ବୈଦ୍ୟୁତିକ ଚାନେଲଗୁଡ଼ିକ ଦ୍ୱାରା ଟିଭି କଭରେଜ, ଫଟୋ କଭରେଜ, ଓବି ଭ୍ୟାନର ଅବସ୍ଥାନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା।

ବିଭିନ୍ନ ଗଣମାଧ୍ୟମ ସଂସ୍ଥାରୁ ବିଜନେସ୍ ରିପୋର୍ଟିଂ ପ୍ରତିନିଧି ଭାବେ ଏଣ୍ଟ୍ରି ପାସ ପାଇବାକୁ ଥିବା ପ୍ରତିନିଧିମାନଙ୍କୁ ଗେଟ୍ ନଂ-୩ ଦେଇ ପ୍ରବେଶ ଅନୁମତି ରହିବ। କନକ୍ଲେଭରେ ଉପଲବ୍ଧ ସ୍ଥାନକୁ ଦୃଷ୍ଟି ଦେବା ସହିତ ଗଣମାଧ୍ୟମ ପ୍ରତିନିଧିମାନେ ଯେପରି ସୁବିଧାରେ କାର୍ଯ୍ୟକ୍ରମର ପ୍ରସାରଣ ବା ପ୍ରକାଶନର ସୁବିଧା ପାଇବେ ତା’ ପ୍ରତି ଗୁରୁତ୍ୱ ଦିଆଯାଇ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି।

Tags: #MakeinOdisha #StartupOdisha #Odisha #MakeinOdishaConclave2022 #MediaPlanning

Comment