ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ୧୫ତମ ଧଉଳି କଳିଙ୍ଗ-ମହୋତ୍ସବର ଆଜିଥିଲା ଦ୍ୱିତୀୟ ସନ୍ଧ୍ୟା। ଐତିହାସିକ ଧଉଳି ପାହାଡ଼ର ପାଦଦେଶ ବାଦ୍ୟଯନ୍ତ୍ର, ଓଡ଼ିଶୀ ଓ ସମରକଳା ନୃତ୍ୟ ସଙ୍ଗୀତରେ ଥିଲା ଚଳଚଞ୍ଚଳ।

ସନ୍ଧ୍ୟାର ପ୍ରଥମ ଚରଣରେ ଥିଲା ଯନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ। ଏହାକୁ ପ୍ରସ୍ତୁତ କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀ। ତାଙ୍କ ପ୍ରସ୍ତୁତିରେ ଥିଲା ଓଡ଼ିଶାର ଖ୍ୟାତନାମା ସଙ୍ଗୀତକାର ତଥା ଗାୟକ ଗୁରୁ ରାମହରି ଦାସଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କିଛି ସୁନାମଧନ୍ୟ ସଙ୍ଗୀତର ସମାରୋହ ମହୋଦଧି। ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଯନ୍ତ୍ର ସଙ୍ଗୀତକୁ ଦର୍ଶକ ଖୁବ ପସନ୍ଦ କରିଥିଲେ।

ଦ୍ୱିତୀୟ ଚରଣରେ ଥିଲା ସୃଜନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ। ପ୍ରଥମେ ଓଡ଼ିଶୀ ନୃତ୍ୟ ଆଧାରରେ ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ କିରୁବାଣୀ ମାଧୁରିମା।

ରାଗ କିରୁବାଣୀ ଉପରେ ଆଧାରିତ ଥିଲା ତାଙ୍କର ଏହି ପରିବେଷଣ। ପରେ ପରେ ପ୍ରସ୍ତୁତ ହୋଇଥିଲା ଅର୍ଦ୍ଧନାରୀସ୍ୱର। ମହାଦେବଙ୍କର ଅର୍ଦ୍ଧନାରୀସ୍ୱର ଉପାଖ୍ୟାନକୁ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଉପସ୍ଥାପିତ କରିଥିଲେ। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ୍‍। ନୃତ୍ୟ ରଚନା କରିଥିଲେ ନିତ୍ୟାନନ୍ଦ ମିଶ୍ର ଏବଂ ନୃତ୍ୟାଭିନୟକୁ ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର। ନିଖୁଣ ଏବଂ ଛନ୍ଦମୟ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା।

ଶେଷରେ ମଣିପୁର ଇମ୍ଫାଲରୁ ଆସିଥିବା ରାଜେନ ମଙ୍ଗଙ୍ଗ ଓ ସାଥୀମାନଙ୍କ ଦ୍ୱାରା ସମରକଳା ନୃତ୍ୟ ଥାଙ୍ଗ-ଥା ପରିବେଷଣ କରାଯାଇଥିଲା। ଏହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଦ୍ୱିତୀୟ ସନ୍ଧ୍ୟାର ଅତିଥିମାନେ ଥିଲେ ପୂର୍ବତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ସମାଜସେବୀ ଶାଶ୍ୱତି ବଳ, ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସଚିବ ଗୁରୁ ଅରୁଣା ମହାନ୍ତି। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣି ମିଶ୍ର ଓ ଡକ୍ଟର ଶ୍ରୀନିବାସ ଘଟୁଆରୀ।

Comment