ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଚାଲିବ ଧଉଳି-କଳିଙ୍ଗ ମହୋତ୍ସବ
  • ୩ଦିନ ଧରି କଳାକାରମାନେ ମୋହିବେ ଦର୍ଶକଙ୍କ ମନ
  • ବୁଦ୍ଧ ସମ୍ମାନ ପାଇବେ ଓଡ଼ିଶୀ ସଙ୍ଗୀତ ବିଶାରଦ ଗୁରୁ ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା

ଫେବ୍ରୁଆରି ୬ ତାରିଖ ସନ୍ଧ୍ୟାରୁ ଆରମ୍ଭ ହେବ ଧଉଳି-କଳିଙ୍ଗ ମହୋତ୍ସବ। ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଏହି ମହୋତ୍ସବ ତିନି ଦିନ ଧରି ଚାଲିବ। ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ୮ ତାରିଖରେ ଉଦ୍‌ଯାପିତ ହେବ। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏହି ମହୋତ୍ସବକୁ ସହଯୋଗ କରିଆସୁଛି।

ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି  ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିବେ। ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ  ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରିବେ।

ଏହି ଉତ୍ସବର ଅନ୍ୟ ଏକ ପ୍ରମୁଖ ଲକ୍ଷ ହେଲା ଦେଶର ଯୁବକ ସମାଜ ବିଶେଷ କରି ଛାତ୍ର ଓ ଛାତ୍ରୀମାନଙ୍କୁ ଭାରତୀୟ ସଂସ୍କୃତିର ମହାନ ଗୌରବୋଜ୍ଜ୍ଵଳ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ  କରାଇବା।

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଦାନ କରାଯିବ।

ବୁଦ୍ଧ ସମ୍ମାନ :

ଏହି ସମ୍ମାନଟି ଦୀର୍ଘ ୧୪ ବର୍ଷ ଧରି ଧଉଳି-କଳିଙ୍ଗ ମହୋତ୍ସବ ମଞ୍ଚରେ ପ୍ରଦାନ କରା ଯାଉଅଛି। ପ୍ରତିବର୍ଷ ଜଣେ  ପ୍ରଥିତ ଯଶା ଶିଳ୍ପୀ ଓ କଳାକାରଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ। ଏହି ସମ୍ମାନ ଆଂଶିକ ଭାବରେ ରୁଚି ପ୍ରତିଭା ଫାଉଣ୍ଡେସନ, କଟକ ଓ ଓଡିଶା ଡ୍ୟାନ୍ସ ଏକାଡେମୀ ଦ୍ଵାରା ପ୍ରାୟୋଜିତ। ଚଳିତ ବର୍ଷର ସମ୍ମାନ ପାଉଛନ୍ତି ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତ ବିଶାରଦ ଗୁରୁ ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା।Dhauli-Kalinga Mahotsav

ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ :

ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଉ ଏକ ପ୍ରତିଷ୍ଠିତ ସମ୍ମାନ ଏକାଡେମୀ ଦ୍ଵାରା ୨୦୧୬ ମସିହାରୁ ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ନାଟକ, ଯନ୍ତ୍ର ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ସହ ଯୋଡି ହୋଇ ରହିଥିବା ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ବିଶିଷ୍ଟ ଶିଳ୍ପୀ ତଥା ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାରେ ଗୁରୁ ଦାୟିତ୍ଵ ନିଭାଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରା ଯାଉଛି।

ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପାଉଥିବା ବ୍ୟକ୍ତି ବିଶେଷମାନେ ହେଲେ ଯଥାକ୍ରମେ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟିକ ବୀଣା ବାଦକ  କେ. ରାମାରାଓ ପାତ୍ରୋ, ପ୍ରଥିତଯଶା ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଡକ୍ଟର ସ୍ନେହପ୍ରଭା ସାମନ୍ତରାୟ, ବିଶିଷ୍ଟ ସାମ୍ବାଦିକ ଓ ଓଡ଼ିଶୀ ନୃତ୍ୟ ସମୀକ୍ଷକ ଶ୍ୟାମହରି ଚକ୍ର,  ମରଣୋତ୍ତର ଭାବେ ଶବ୍ଦ ଓ ସଙ୍ଗୀତ ବିନ୍ୟାସର ଯାଦୁକର ସ୍ଵର୍ଗତ ତାରାକାନ୍ତ ପଣ୍ଡା। ଏହି ପୁରସ୍କାର ସହ ପ୍ରତ୍ୟେକଙ୍କୁ ସମ୍ମାନ ସ୍ୱରୂପ ୨୫,୦୦୦ ଟଙ୍କା ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ।

Comment