ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି କେନ୍ଦ୍ରାପଡ଼ାସ୍ଥିତ ଭିତରକନିକା ଗସ୍ତ କରିଛନ୍ତି 5-T ସଚିବ ଭିକେ ପାଣ୍ଡିଆନ୍‌। ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍ ଯାଦବ ଏହି ଗସ୍ତ କରିଥିଲେ। ଏହି ସରକାରୀ ଅଧିକାରୀମାନେ ଭିତରକନିକାର ସ୍ଥିତି ସମୀକ୍ଷା କରିଥିଲେ।

ସଚିବଙ୍କ ଏହି ଗସ୍ତରେ କୌଣସି ରାଜନେତା ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କୁ ସାମିଲ କରାଯାଇନଥିଲା। ପରେ ଖବର ପାଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସେଠାରେ ପହଞ୍ଚିଥିଲେ କେବଳ ଜିଲ୍ଲାର ବିଭାଗୀୟ ଅଧିକାରୀମାନଙ୍କୁ ଖବର ଦିଆଯାଇଥିଲା।

ଏହି ଅଧିକାରୀମାନେ ହେଲିକ୍ୟାପ୍ଟର ଯୋଗେ ଖମାରସାହି ପଡ଼ିଆରେ ଓହ୍ଲାଇ ସିଧାସିଧା ଡାଙ୍ଗମାଳ ସ୍କିମ ଭିତରେ ପ୍ରବେଶ କରିଥିଲେ। ଡାଙ୍ଗମାଳ ସ୍କିମ ଭିତର ଡାକ ବଙ୍ଗଳାରେ ବସି ଭିତରକନିକାର ଟପୋଗ୍ରାଫି ଅନୁଧ୍ୟାନ କରିଥିଲେ। ଜିଲ୍ଲା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଭିତରକନିକା ମଧ୍ୟକୁ ପର୍ଯ୍ୟଟକମାନଙ୍କର ଯିବା ଆସିବା ପାଇଁ ସଂଯୋଗ ପଥଗୁଡିକର ସମୀକ୍ଷା କରିଥିଲେ। ଏହାସହ ଭିତରକନିକାର ଚାରିପାଖରେ ବେଆଇନ ଚିଙ୍ଗୁଡି ଘେରି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ପରେ ସୋଲାର ବ୍ୟାଟେରୀ ଚାଳିତ ଅଟୋରେ ବସି ଖୋଳା ନଦୀର ଡାଙ୍ଗମାଳରେ ପହଞ୍ଚିଥିଲେ। ସେଠାରୁ ମୋଟର ବୋଟରେ ଖୋଳା ନଦୀର ବିଭିନ୍ନ ନାଳିମାନଙ୍କରେ ପ୍ରବେଶ କରି କୁମ୍ଭୀର ମାନଙ୍କର ଗତିବିଧି ଅନୁଧ୍ୟାନ କରିଥିଲେ। ଡାଙ୍ଗମାଳ ସ୍କିମ୍ ମଧ୍ୟରେ ପର୍ଯ୍ୟଟକମାନଙ୍କ ରହଣି, ପରିମଳ ବ୍ୟବସ୍ଥା ଓ ଖାଦ୍ୟ ପାନୀୟ ବ୍ୟବସ୍ଥା ସମ୍ପର୍କରେ ରାଜନଗର ଡିଏଫ୍ଓ ବିକାଶ ରଞ୍ଜନ ଦାଶଙ୍କ ସହିତ ଆଲୋଚନା କରିଥିଲେ।

କୁମ୍ଭୀରମାନଙ୍କ ଆବାସସ୍ଥଳୀ ଖୋଳା ନଦୀରେ ଉଚ୍ଚ ଶବ୍ଦ ଚାଳିତ ଯନ୍ତ୍ରଚାଳିତ ବୋଟ ନଚଳାଇ ଏହାର ପ୍ରତିବଦଳରେ ପେଟ୍ରୋଲ ଚାଳିତ ଅନ୍ୟ ବୋଟ୍ ଚଳାଇବାକୁ ରାଜନଗର ଡିଏଫ୍ଓଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କର ଏହି ପ୍ରତିନିଧି ଦଳ।

ଭିତରକନିକାର ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ ପ୍ୟାକେଜ୍ ଘୋଷଣା କରିପାରନ୍ତି। ଆସନ୍ତା ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଭିତରକନିକା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ରାଜ୍ୟସରକାରଙ୍କ ଏହି ଅଧିକାରୀମାନେ ଭିତକନିକା ଗସ୍ତ କରିଛନ୍ତି।

Comment