ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଆଇଏମ୍‍ସି ଢେଙ୍କାନାଳରେ ଭାରତୀୟ ଅର୍ଥନୀତି ଉପରେ ସ୍ୱତନ୍ତ୍ର ଆଲୋଚନା। ଏଥିରେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ ଯୋଗ ଦେଇ ଭାରତୀୟ ଅର୍ଥନୀତି ଉପରେ ନିଜ ମତବ୍ୟକ୍ତ କରିଛନ୍ତି। 

ଢେଙ୍କାନାଳ: ଜଣେ ସାମ୍ବାଦିକଙ୍କର ବିଚାରଶକ୍ତି ନିହାତି ରହିବା ଦରକାର। କେବଳ ସମସ୍ୟା ଉପସ୍ଥାପନ କଲେ ହେବନି, ବରଂ ସମସ୍ୟା ଭିତରକୁ ପଶି ତା’ର ବିଭିନ୍ନ କାରଣ ଜାଣିବା ଜରୁରୀ। ସେହିପରି ଘଟଣାର ବିଭିନ୍ନ ଦିଗ ଉପରେ ଦୃଷ୍ଟିଭଙ୍ଗୀ ରଖିବା ସହ ପ୍ରଥମେ ନିଜେ ବିଷୟ ବା ପ୍ରସଙ୍ଗ ବୁଝି ଅନ୍ୟମାନଙ୍କୁ ସାଧାରଣ ଭାଷାରେ ବୁଝେଇ ପାରିଲେ ସାମ୍ବାଦିକତାର ପ୍ରକୃତ ଉଦ୍ଦେଶ୍ୟ ସାଧନ ହୋଇପାରିବ। ଜଣେ ଭଲ ସାମ୍ବାଦିକ ଜଣେ ଭଲ ଶିକ୍ଷକ ବୋଲି ମତବ୍ୟକ୍ତ କରିଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି)ରେ ଭାରତୀୟ ଅର୍ଥନୀତି ଉପରେ ବକ୍ତବ୍ୟ ଦେଇ ଡକ୍ଟର ନୀଳକଣ୍ଠ ରଥ କହିଛନ୍ତି, “ଅନେକ ସମୟରେ ବିଭିନ୍ନ ବିଷୟର ବିଶେଷଜ୍ଞମାନେ ଯାହା କହିଥା’ନ୍ତି, ତାକୁ ସାମ୍ବାଦିକମାନେ ରିପୋର୍ଟ କରନ୍ତି। ଅନେକ କ୍ଷେତ୍ରରେ ସାମ୍ବାଦିକ ନିଜେ ସେ ବିଷୟଟିକୁ ବୁଝିପାରିନପାରି ଖବର ପ୍ରସ୍ତୁତ କରନ୍ତି। ବିଶେଷତଃ ଅର୍ଥନୀତି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଓ ଧାରଣା ସାଧାରଣ ଲୋକ ବୁଝିପାରନ୍ତିନି। ତେଣୁ ବିଷୟଟିକୁ ପ୍ରଥମେ ଭଲଭାବେ ବୁଝିବାର ଆବଶ୍ୟକତା ରହିଛି।“

ଅନ୍ୟତମ ଅତିଥିଭାବେ ଯୋଗଦେଇ ମହାରାଷ୍ଟ୍ରର ଶିକ୍ଷାବିତ୍‍ ଅଭୟ ତିଲକ କହିଛନ୍ତି, “ଆଜିକାଲି ଗଣମାଧ୍ୟମରେ ଅର୍ଥନୀତି ସମ୍ପର୍କିତ ବହୁତ କମ୍‍ ଖବର ପ୍ରକାଶ ହେଉଛି। ଅଧିକାଂଶ ଖବର ବାଣିଜ୍ୟ ସମ୍ପର୍କରେ ଆସୁଛି। ବାଣିଜ୍ୟ ଓ ଅର୍ଥନୀତି ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ଅର୍ଥନୀତି ଏକ ବ୍ୟାପକ କ୍ଷେତ୍ର। ଫଳରେ ସାଧାରଣ ଲୋକଙ୍କ ପାଖରେ ଦେଶର ଅର୍ଥନୀତି ଶିକ୍ଷା ପହଞ୍ଚିପାରୁନି। ସାଧାରଣ ଲୋକଙ୍କୁ ଅନ୍ତତଃ ଦେଶର ଅର୍ଥନୀତି ଉପରେ ଧାରଣା ଦେବା ପାଇଁ ଗଣମାଧ୍ୟମ ଏସବୁ ଖବରକୁ ପ୍ରାଧାନ୍ୟ ଦେବା ଉଚିତ।“

ସେହିପରି ଦୈନିକ ‘ସମାଜ’ର ବାର୍ତ୍ତା ସମ୍ପାଦକ ତପନ ମିଶ୍ର କହିଛନ୍ତି ଯେ ସାମ୍ବାଦିକତାରେ ନିଷ୍ଠା ନିହାତି ଜରୁରୀ। ସମାଜ ପାଇଁ କେଉଁଟା ଭଲ କେଉଁଟା ମନ୍ଦ ସାମ୍ବାଦିକ ବୁଝି ସେଇ ଅନୁସାରେ ଖବର ପ୍ରସ୍ତୁତ କରିବା ଦରକାର। ତେବେ ସାମ୍ବାଦିକଙ୍କୁ ପ୍ରତ୍ୟେକ ଦିନ ନୂଆ ପରୀକ୍ଷା ଦେବାକୁ ହୋଇଥାଏ। ତେଣୁ ପ୍ରତିଟି ସ୍ଥିତିକୁ ସାମ୍ନା କରିବା ସହ ଜୀବନ ସାରା ଶିଖିବାର ମନୋବୃତ୍ତି ରଖିବା ଦରକାର।

କାର୍ଯ୍ୟକ୍ରମରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଦେଇଥିଲେ ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର।

Comment