ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ
  • ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୭୨.୪୧ ଲକ୍ଷ ଟଙ୍କା ଛୁଇଁଲା
  • ସାରା ବିଶ୍ଵରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ହାର ସର୍ବାଧିକ

ଭାରତ ଏବେ ବିଶ୍ଵରେ ସବୁଠାରୁ ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି କରୁଥିବା ଦେଶ ଭାବେ ଉଭା ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଛି। ଅନ୍ୟ କୌଣସି ଦେଶର ଆର୍ଥିକ ଅଭିବୃଦ୍ଧି ଭାରତ ଭଳି ହୋଇନାହିଁ। ଏନେଇ ବୁଧବାର ଦିନ କେନ୍ଦ୍ର ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ସୂଚନା ଦିଆଯାଇଛି।

‘ଏନଏସଓ’ର ସୂଚନା ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ନମିନାଲ ଜିଡିପି) ୨୭୨.୪୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ୨୦୨୧-୨୨ରେ ୨୩୪.୭୧ ଲକ୍ଷ କୋଟି ଟଙ୍କା ଥିଲା। ଗତ ଆର୍ଥିକ ବର୍ଷରେ ଭାରତ ପଛକୁ ୫.୩ ପ୍ରତିଶତ ଅଭିବୃଦ୍ଧି ସହ ଇଣ୍ଡୋନେସିଆ ଦ୍ଵିତୀୟ ସ୍ଥାନରେ ରହିଛି। ଏହାବ୍ୟତୀତ ଗତବର୍ଷ ବିଶ୍ଵର ଅନ୍ୟ କୌଣସି ଦେଶ ୫ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିନାହାନ୍ତି।

‘ଏନଏସଓ’ର ତଥ୍ୟ ଅନୁସାରେ ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତ୍ର ଅଭିବୃଦ୍ଧି ୧୩.୧ ପ୍ରତିଶତ ଥିଲା। ସେହିପରି ଦ୍ଵିତୀୟ ତ୍ରୈମାସିକରେ ୬.୩ ପ୍ରତିଶତ, ତୃତୀୟ ତ୍ରୈମାସିକରେ ୪.୫ ପ୍ରତିଶତ ଓ ଚତୁର୍ଥ ତ୍ରୈମାସିକରେ ୬.୧ ପ୍ରତିଶତ ହାରରେ ଭାରତର ଆର୍ଥିକ ଅଭିବୃଦ୍ଧି ହୋଇଥିଲା। ଏହାପୂର୍ବରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ମୋଟ ଅଭିବୃଦ୍ଧି ୯.୧ ପ୍ରତିଶତ ରହିଥିଲା।

ଭାରତର ଏହି ଅଭିବୃଦ୍ଧି ହାର ରିଜର୍ଭ ବ୍ୟାଙ୍କ ସମେତ ବିଶ୍ଵର ବିଭିନ୍ନ ସଂସ୍ଥା ପୂର୍ବରୁ କରିଥିବା ଆକଳନଠୁ ବି ଅଧିକ ରହିଛି। ଏହି ସଂସ୍ଥାମାନେ ଆର୍ଥିକ ବର୍ଷ ୨୦୨୨-୨୩ରେ ଭାରତର ଅଭିବୃଦ୍ଧି ୭ ପ୍ରତିଶତରୁ କମ ରହିବ ବୋଲି ପୂର୍ବାନୁମାନ କରିଥିଲେ। ସେସବୁକୁ ଭୁଲ ପ୍ରମାଣିତ କରଛି ଭାରତୀୟ ଅର୍ଥବ୍ୟବସ୍ଥା।

ଗତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିରେ ବିଭିନ୍ନ କ୍ଷେତ୍ରର ହାରାହାରି ମୂଲ୍ୟଯୋଗ ଅଭିବୃଦ୍ଧି (ଜିଭିଏ) ୭ ପ୍ରତିଶତ ହୋଇଛି। ଏଥିରେ ଉତ୍ପାଦନ କ୍ଷେତ୍ରର ଜିଭିଏ ୪.୫ ପ୍ରତିଶତ ରହିଥିବାବେଳେ ଖଣି କ୍ଷେତ୍ରରେ ୪.୩ ପ୍ରତିଶତ, ନିର୍ମାଣ କ୍ଷେତ୍ରରେ ୧୦.୪ ପ୍ରତିଶତ ଓ କୃଷି କ୍ଷେତ୍ରରେ ୫.୫ ପ୍ରତିଶତ ଅଭିବୃଦ୍ଧି ହୋଇଛି।

ଭାରତୀୟ ଅର୍ଥବ୍ୟବସ୍ଥାରେ ଅନ୍ୟ କ୍ଷେତ୍ର ମଧ୍ୟରେ ବାଣିଜ୍ୟ, ପର୍ଯ୍ୟଟନ, ଯୋଗାଯୋଗ ଓ ସେବା ଆଦି କ୍ଷେତ୍ରରେ ଅଭିବୃଦ୍ଧି ଦେଖିବାକୁ ମିଳିଛି। ବର୍ତ୍ତମାନ ବିଭିନ୍ନ ସମସ୍ୟା ଯୋଗୁଁ ବିଶ୍ଵ ଅର୍ଥବ୍ୟବସ୍ଥା ପ୍ରଭାବିତ ହେଉଥିବାବେଳେ ଭାରତର ଏଭଳି ଆର୍ଥିକ ଅଭିବୃଦ୍ଧି ଦେଶର ଅର୍ଥନୀତିର ସ୍ଥିରତାକୁ ଦର୍ଶାଇଉଛି ବୋଲି ଅନେକ ଅର୍ଥନୀତିଜ୍ଞମାନେ ମତ ରଖିଛନ୍ତି।

Tags: #IndianEconomy #GDPGrowth #EconomicActivities #NationalStatisticsOffice

Comment