ଅଭିଷେକ ରାୟ

ଭୁବନେଶ୍ଵର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ‘ବ୍ଲୁ ଇକୋନୋମି ନାସନାଲ କନଫରେନ୍ସ’। ଏହି ଦୁଇଦିନିଆ ସମ୍ମିଳନୀରେ ସମୁଦ୍ରକୁ ନେଇ ଅର୍ଥନୈତିକ ଅଭିବୃଦ୍ଧି ଉପରେ ବିଭିନ୍ନ ଆଲୋଚନା କରାଯାଇଥିଲା। ଓଡ଼ିଶା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାର ଉଦଘାଟନ କରିଥିଲେ।

ଏହି ବ୍ଲୁ ଇକୋନୋମି କନଫରେନ୍ସରେ ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରୁ ଅନେକ ବୈଜ୍ଞାନିକ, ଗବେଷକ ତଥା ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ବ୍ଲୁ ଇକୋନୋମିର ବିଭିନ୍ନ ଦିଗକୁ ନେଇ ସେମାନେ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ। ସମୁଦ୍ରକୁ ଆଧାର କରି ବିଭିନ୍ନ କ୍ଷେତ୍ରରେ ଅର୍ଥନୈତିକ କାରବାର ତଥା ରୋଜଗାରକୁ କିଭଳି ଭାବେ ବୃଦ୍ଧି କରାଯାଇପାରିବ ସେ ନେଇ ବିଶେଷଜ୍ଞମାନେ ଚର୍ଚ୍ଚା କରିଥିଲେ।

“ବ୍ଲୁ ଇକୋନୋମି ବା ସମୁଦ୍ରକୁ ନେଇ ଅର୍ଥନୀତିର ବ୍ୟାପକ ସମ୍ଭାବନା ରହିଛି। ଏହା ଦେଶ ତଥା ରାଜ୍ୟର ଅର୍ଥନୀତିକୁ ବହୁଗୁଣିତ କରିବାରେ ବେଶ୍ ସହାୟକ ହେବ। ଓଡ଼ିଶାରେ ୪୮୦ କିଲୋମିଟରର ସୁଦୀର୍ଘ ଉପକୂଳ ରହିଛି। ଏହାସହ ଚିଲିକା ହ୍ରଦ ତଥା ଭିତରକନିକା ଭଳି ଅଭୟାରଣ୍ୟ ରହିଛି। ଏହା ରାଜ୍ୟରେ ବ୍ଲୁ ଇକୋନୋମିର ପ୍ରସାର ପାଇଁ ବହୁତ ଉପଯୋଗୀ ହେବ। ମତ୍ସ୍ୟ କାରବାର, ସମୁଦ୍ର ମଧ୍ୟରୁ ପ୍ରାକୃତିକ ସମ୍ପଦର ଉତ୍ପାଦନ ତଥା ପର୍ଯ୍ୟଟନର ଏହାଦ୍ଵାରା ବିକାଶ ହୋଇପାରିବ”, କହିଥିଲେ ଅଶୋକ ଚନ୍ଦ୍ର ପଣ୍ଡା।

ସେ ଆହୁରି ମଧ୍ୟ କହିଥିଲେ, “ଆମ ପୃଥିବୀର ୭୦ ଭାଗ ସମୁଦ୍ରରେ ପରିବ୍ୟାପ୍ତ। ତାକୁ ଯଦି ଆମେ ସଠିକ୍ ଭାବେ ଉପଯୋଗ କରିପାରିବା ତେବେ ଆଗାମୀ ଭବିଷ୍ୟତରେ ଏହା ଆମ ପାଇଁ ଏକ ବଡ଼ ଉପଲବ୍ଧି ହେବ। ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ଏବେ ରାଜ୍ୟରେ ବ୍ଲୁ ଇକୋନୋମିର ପ୍ରସାର ଲାଗି ଅନେକ ପଦକ୍ଷେପ ନେଉଛନ୍ତି।”

ଏହି ବ୍ଲୁ ଇକୋନୋମି ନାସନାଲ କନଫରେନ୍ସରେ ବିଶେଷଜ୍ଞମାନଙ୍କୁ ନେଇ ଏକାଧିକ ସେସନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହାସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ବିଶେଷଜ୍ଞମାନଙ୍କୁ ବ୍ଲୁ ଇକୋନୋମି ଉପରେ ଅନେକ ପ୍ରଶ୍ନ ପଚାରି ଥିଲେ। ଏଠାରେ ଗଭୀର ସମୁଦ୍ରର ସର୍ଭେ ତଥା ସମୁଦ୍ରରୁ ଖଣିଜ ପଦାର୍ଥ ତଥା ଅନ୍ୟ ପ୍ରାକୃତିକ ସମ୍ପଦର ଉତ୍ପାଦନ ଉପରେ ବିଶେଷଜ୍ଞମାନେ ଆଲୋଚନା କରିଥିଲା।  

“କିଟ୍ ବିଶ୍ଵବିଦ୍ୟାଳୟରେ ବ୍ଲୁ ଇକୋନୋମି ନାସନାଲ କନଫରେନ୍ସର ଆୟୋଜନ ହେବା ଆମ ପାଇଁ ଗୌରବର ବିଷୟ। କାର୍ଯ୍ୟକ୍ରମ ଅବସରରେ ଏଠାରେ ଅନେକ ବୈଜ୍ଞାନିକ ତଥା ଗବେଷକଙ୍କ ସମାଗମ ହେବା ଏହି କ୍ଷେତ୍ରର ପ୍ରଚାରପ୍ରସାର ପାଇଁ ବହୁତ ସହାୟକ ହେବ। ବ୍ଲୁ ଇକୋନୋମି କ୍ଷେତ୍ରରେ ଅଧିକ ଗବେଷଣା କରି ଏହାକୁ ବ୍ୟାପକ କରାଯାଇପାରିଲେ ଏହା ଦେଶ ତଥା ରାଜ୍ୟର ଅର୍ଥନୀତି ପାଇଁ ବହୁତ ଲାଭଦାୟକ ହେବ”, କହିଛନ୍ତି ସାଂସଦ ତଥା କିଟ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।     

ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଶୈବାଳ ଚାଷ ଏବଂ ଅଣ୍ଡର ୱାଟର ରୋବୋଟିକ୍ସ ଭଳି ବ୍ଲୁ ଇକୋନୋମିର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ଷ୍ଟାର୍ଟଅପମାନଙ୍କୁ ନେଇ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏଠାରେ ସେମାନେ ନିଜ ନିଜର ସାମଗ୍ରୀ ଓ ଜ୍ଞାନ କୌଶଳକୁ ସମସ୍ତଙ୍କ ଆଗରେ ପ୍ରଦର୍ଶିତ କରିଥିଲେ।

“ବ୍ଲୁ ଇକୋନୋମି ଏକ ନୂଆ କ୍ଷେତ୍ର ହୋଇଥିବାରୁ ଏଥିରେ ଅନେକ ସୁଯୋଗ ରହିଛି। ଏହି କ୍ଷେତ୍ର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଅନେକ ଲୋକଙ୍କୁ ରୋଜଗାର ଯୋଗାଇବାର କ୍ଷମତା ରଖୁଛି। ତେବେ ଏ ଦିଗରେ ସାରା ଦେଶରେ ଯେଉଁ ସବୁ ପଦକ୍ଷେପ ନିଆଯାଉଛି, ସେଥି ମଧ୍ୟରେ ଓଡ଼ିଶାର ଅଗ୍ରଣୀ ଭୂମିକା ରହିଛି। ଆଗକୁ ଓଡ଼ିଶାରୁ ହିଁ ବ୍ଲୁ ଇକୋନୋମିର ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହେବ ବୋଲି ମୋର ବିଶ୍ଵାସ”, କହିଛନ୍ତି କିଟ୍ ଟିବିଆଇର ସିଇଓ ଡକ୍ଟର ମୃତ୍ୟୁଞ୍ଜୟ ସୁଆର।

ଏହି ବ୍ଲୁ ଇକୋନୋମି ନାସନାଲ କନଫରେନ୍ସକୁ କିଟ୍ ବିଶ୍ଵବିଦ୍ୟାଳୟ, ଇଣ୍ଡିଆନ ପାଇକୋଲୋଜିକାଲ୍ ସୋସାଇଟି, ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ ଭୁବନେଶ୍ଵର, ଆଇଏମଏମଟି ଭୁବନେଶ୍ଵର, ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫି ଓ ଭୁବନେଶ୍ଵର ସିଟି ନଲେଜ ଇନୋଭେସନ କ୍ଲଷ୍ଟର (ବିସିକେଆଇସି) ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା। ଏହାସହ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି) ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଇଥିଲା। ଏଠାରେ ଏହିସବୁ ସଂସ୍ଥା ପକ୍ଷରୁ ବ୍ଲୁ ଇକୋନୋମିକୁ ନେଇ କରାଯାଇଥିବା ରିସର୍ଚ୍ଚ ପୁସ୍ତିକାର ଉନ୍ମୋଚନ ମଧ୍ୟ କରାଯାଇଥିଲା।    

ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ପାଇକୋଲୋଜିକାଲ୍ ସୋସାଇଟିର ଅଧ୍ୟକ୍ଷ ଡକ୍ଟର ଦୀନବନ୍ଧୁ ସାହୁ, ବିଆଇଆରଏସିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଜିତେନ୍ଦ୍ର କୁମାର, ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ ଭୁବନେଶ୍ଵରର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶ, ଆଇଏମଏମଟି ଭୁବନେଶ୍ଵରର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣନ, ବିସିକେଆଇସିର ସିଇଓ ଡକ୍ଟର ନମ୍ରତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Tags: #NationalConferenceonBlueEconomy #Ocean #EconomicActivities #Odisha #India

Comment