ଓଡ଼ିଶାଲାଇଭ ବ୍ୟୁରୋ

ରୁଷ-ୟୁକ୍ରେନ ଯୁଦ୍ଧ ଭାରତ ଅର୍ଥନୀତି ଉପରେ ବିଶେଷ ରୁପେ ପ୍ରଭାବ ପକାଇବ। ଭାରତକୁ ଆମଦାନୀ ହେଉଥିବା ୯୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ରୁଷ ଏବଂ ୟୁକ୍ରେନରୁ ଆସିଥାଏ। ଅଶୋଧିତ ତୈଳ, ଫାର୍ମାସ୍ୟୁଟିକାଲ୍ କ୍ଷେତ୍ର ଏବଂ ଏଲଏନଜି ଶିଳ୍ପ ମଧ୍ୟ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ଉଗ୍ର ରୂପ ନେଉଛି ରୁଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ଦେଶରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କୁ ବିଭିନ୍ନ ଟନେଲ ଭିତରେ ରଖାଯାଉଛି। ଚାରିଆଡ଼େ ଭୟର ବାତାବରଣ ରହିଛି। ବିଶ୍ୱ ଶକ୍ତି ନିରବଦ୍ରଷ୍ଟା ପାଲଟିଛି। ଯଦିଓ ଭାରତ ଭୌଗୋଳିକ ରୂପରେ ଏହି ଯୁଦ୍ଧ ଠାରୁ ବହୁ ଦୂରରେ ଅଛି, ତଥାପି ଭାରତର ଅର୍ଥନୀତି ଉପରେ ଏହା ବଡ଼ ଧରଣର ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି। ଯେହେତୁ ବିଶ୍ୱବ୍ୟାପୀ ସମସ୍ତ ଦେଶ ସଂଯୁକ୍ତ ହୋଇରହିଛି, ତେଣୁ ଏଭଳି ଯୁଦ୍ଧ ସିଧାସଳଖ ଜଡିତ ନଥିବା ଦେଶ ଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବାର ସାମର୍ଥ୍ୟ ରଖିଛି।

ଭାରତର ବାଣିଜ୍ୟ କ୍ଷେତ୍ରରେ ମୁଣ୍ଡବିନ୍ଧାର କାରଣ ହୋଇପାରେ ରୁଷ-ୟୁକ୍ରେନ ସଙ୍କଟ

ରୁଷ-ୟୁକ୍ରେନ ସଙ୍କଟ ଭାରତୀୟ ବଜାର ପାଇଁ ଏକ ପ୍ରମୁଖ ମୁଣ୍ଡବିନ୍ଧାର କାରଣ ହୋଇପାରେ। ଭାରତ ଅନେକ ଦ୍ରବ୍ୟର ଆମଦାନୀ ଉପରେ ରୁଷ ଏବଂ ୟୁକ୍ରେନ ଉପରେ ନିର୍ଭର କରେ। ତେଣୁ ଏଭଳି ଯୁଦ୍ଧ ପରିସ୍ଥିତିରେ ଆମଦାନୀ, ରପ୍ତାନୀ ଉପରେ ଖୁବ ପ୍ରଭାବ ପଡ଼ିପାରେ। ତେବେ ନଜର ପକାନ୍ତୁ ୟୁକ୍ରେନ-ରୁଷ ଯୁଦ୍ଧ ଭାରତର ଅର୍ଥନୀତି ଉପରେ କେତେ ପ୍ରଭାବ ପକାଇବ ଏବଂ କେଉଁ କେଉଁ ଜିନିଷର ଦର ବୃଦ୍ଧି ହେବାର ଆଶଙ୍କା ରହିଛି।

ବଢ଼ିପାରେ ଖାଇବା ତେଲ ଦର

ଭାରତକୁ ଆମଦାନୀ ହେଉଥିବା ୯୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ରୁଷ ଏବଂ ୟୁକ୍ରେନରୁ ଆସିଥାଏ। ଖଜୁରୀ, ସୋୟା ଏବଂ ସୋରିଷର ବିକଳ୍ପ ସହିତ ସୂର୍ଯ୍ୟମୁଖୀ ତେଲ ଭାରତରେ ଖାଉଥିବା ସବୁଠାରୁ ଲୋକପ୍ରିୟ ଖାଇବା ତେଲ ମଧ୍ୟରୁ ଅନ୍ୟତମ। ଖଜୁରୀ ତେଲ ପରେ ସୂର୍ଯ୍ୟମୁଖୀ ତେଲ ଦ୍ୱିତୀୟ ସର୍ବାଧିକ ରୁଷରୁ ଆମଦାନୀ ହେଉଥିବା ଖାଇବା ତେଲ।

୨୦୨୧ ମସିହାରେ, ଭାରତ ୧.୮୯ ନିୟୁତ ଟନ୍ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥିଲା, ଏହାର ୭୦ ପ୍ରତିଶତ କେବଳ ୟୁକ୍ରେନରୁ ଆସିଥିଲା। ରୁଷରୁ ୨୦ ପ୍ରତିଶତ ଏବଂ ବାକି ୧୦ ପ୍ରତିଶତ ଆର୍ଜେଣ୍ଟିନାରୁ ଆସିଥିଲା। ଯେହେତୁ ଭାରତ ଏତେ ମାତ୍ରାରେ ଖାଇବା ତେଲ ପାଇଁ ୟୁକ୍ରେନ ଏବଂ ରୁଷ ଉପରେ ନିର୍ଭର କରୁଛି ତେଣୁ ଏହି ଯୁଦ୍ଧ ଭାରତରେ ତେଲ ଦର ବୃଦ୍ଧି କରିପାରେ।

ପକେଟରେ ନିଆଁ ଲଗାଇପାରେ ଗ୍ୟାସ ଦର

ୟୁକ୍ରେନରୁ ତରଳ ପ୍ରାକୃତିକ ଗ୍ୟାସ (LNG) ଆମଦାନୀ କରି ଭାରତ ଏହାର ଅର୍ଦ୍ଧେକ ଗ୍ୟାସ ଆବଶ୍ୟକତାକୁ ପୂରଣ କରେ। ଯଦିଓ ରୁଷରୁ ଭାରତ ଗ୍ୟାସ ଆମଦାନୀ କରୁନାହିଁ କିନ୍ତୁ ଏହି ସଙ୍କଟ ଯୋଗୁଁ ଇନ୍ଧନ ଗ୍ୟାସ ଦର ବୃଦ୍ଧି ହେବାର ଆଶଙ୍କା ରହିଛି। ଇନ୍ଧନ ଖର୍ଚ୍ଚ ବଢ଼ିବା ଦ୍ୱାରା ମୁଦ୍ରାସ୍ଫୀତି ବୃଦ୍ଧି ପାଇବ । ଏହାସହ ଏଲପିଜି, ସିଏନଜି, ବିଦ୍ୟୁତ ଦର ବୃଦ୍ଧି ପାଇବ। ଯାହାର ପ୍ରଭାବ ସିଧାସଳଖ ମଧ୍ୟବିତ୍ତ ପରିବାର ଉପରେ ବଡ଼ିବ।

ଔଷଧ କ୍ଷେତ୍ରରେ କ୍ଷତି ସହିପାରେ ଭାରତ

ୟୁକ୍ରେନକୁ ଭାରତର ମୁଖ୍ୟ ରପ୍ତାନିରେ ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଅନ୍ତର୍ଭୁକ୍ତ। ଜର୍ମାନୀ ଏବଂ ଫ୍ରାନ୍ସ ପରେ ୟୁକ୍ରେନକୁ ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ରପ୍ତାନିରେ ଭାରତ ତୃତୀୟ ବୃହତ୍ତମ ଦେଶ ଅଟେ। ରନବାକ୍ସୀ, ସନ୍ ଗ୍ରୁପ୍ ଏବଂ ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀ ପରି କମ୍ପାନୀଗୁଡିକର ୟୁକ୍ରେନରେ ପ୍ରତିନିଧୀ କାର୍ଯ୍ୟାଳୟ ରହିଛି ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକର ପ୍ରତିନିଧୀମାନେ ମଧ୍ୟ ୟୁକ୍ରେନରେ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ୍ ଉତ୍ପାଦକ ସଂଘ (ଆଇପିଏମ୍ଏ) ପ୍ରତିଷ୍ଠା କରିଛନ୍ତି। 

ଆହୁରି ବୃଦ୍ଧି ପାଇପାରେ ଅଶୋଧିତ ତୈଳ ଦର

ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ଦାମ୍ ୧୦୩ ଡଲାର୍ ପ୍ରତି ବ୍ୟାରେଲ୍ ପହଞ୍ଚିଯାଇଛି। ଏହାପୂର୍ବରୁ ୨୦୧୪ରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳର ଦାମ୍ ୧୦୦ ଡଲାର୍ ପାର ହୋଇଯାଇଥିଲା। ମିଡିଆ ରିପୋର୍ଟ ଅନୁସାରେ ରୁଷ ପୃଥିବୀରେ ସବୁଠାରୁ ଅଧିକ ତେଲ ଉତ୍ପାଦନ କରିଥାଏ। ଯୁଦ୍ଧ ସ୍ଥିତିରେ ଯୋଗାଣ ବାଧାପ୍ରାପ୍ତ ହେଉଛି ତେଣୁ ଅଶୋଧିତ ତୈଳର ମୂଲ୍ୟ ଆକାଶଛୁଆଁ ହୋଇଛି।

ବଢ଼ିବ ସୁନା ଦର

ୟୁକ୍ରେନକୁ ରୁଷର ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଛି। ଫେବୃଆରୀ ମାସରେ ଦୀର୍ଘ ୯ ମାସ ପରେ ସର୍ବାଧିକ ଦର ବୃଦ୍ଧି ଦେଖିବାକୁ ମିଳିଛି।  ଇଣ୍ଡଷ୍ଟ୍ରିଜ୍ ଟ୍ରାକର୍ସ କହିଛନ୍ତି ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସହିତ ବିଶ୍ଵ ଅର୍ଥନୀତିର ମନ୍ଥରତା ଏବଂ ଉଚ୍ଚ ମୁଦ୍ରାସ୍ଫୀତି ସୁନା ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଘଟାଇପାରେ ଏବଂ ବିଜନେସ ଟୁଡେର ରିପୋର୍ଟ ଅନୁଯାୟୀ ସୁନା ୧୦ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

Comment