ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ। ଉଭୟ ଘରୋଇ ରନ୍ଧନ ଗ୍ୟାସ ଏବଂ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ହୋଇଛି। ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ଲେଖାଏଁ ବୃଦ୍ଧି ହୋଇଥିବାବେଳେ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୫୦ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ବୁଧବାର ଦିନଠାରୁ ନୂଆ ଦର ଲାଗୁ ହୋଇଛି।

ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଗ୍ୟାସ ମୂଲ୍ୟରେ ବୃଦ୍ଧି ହୋଇଛି। ଦିଲ୍ଲୀରେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ହୋଇ ନୂଆ ଦର ବର୍ତ୍ତମାନ ୧,୧୦୩ ଟଙ୍କା ହୋଇଛି। ଏହାର ପ୍ରଭାବ ମଧ୍ୟ ଭୁବନେଶ୍ଵରରେ ଦେଖିବାକୁ ମିଳିଛି। ନୂଆ ଦର ଲାଗୁ ହେବା ପରେ ଭୁବନେଶ୍ଵରରେ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ୧,୧୨୯ ଟଙ୍କା ହୋଇଛି। ଗତ ଫେବ୍ରୁଆରି ମାସରେ ଭୁବନେଶ୍ଵରରେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୦୭୯ ଟଙ୍କା ଥିଲା।

ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ସହ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ମଧ୍ୟ ବଢ଼ିଛି। ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୩୫୦ ଟଙ୍କା ୫୦ ପଇସା ଲେଖାଏଁ ବୃଦ୍ଧି ହୋଇଛି।

Tags: #Gas #LPGGas #GasCylinder #PriceHike #DomesticGasCylinder #CommercialGasCylinder

Comment