ଓଡ଼ିଶାଲାଇଭ ବ୍ୟୁରୋ

କରୋନା ପାଇଁ ଅର୍ଥନୀତି ପୂରା ହଲଚଲ। ଏମିତି କୌଣସି କ୍ଷେତ୍ର ନାହିଁ ଯାହା ମହାମାରୀ ପାଇଁ ପ୍ରଭାବିତ ହୋଇଛି। ବିଶେଷ କରି ସେବା କ୍ଷେତ୍ର ଯେମିତି ପର୍ଯ୍ୟଟନ, ହୋଟେଲ ଓ ବିମାନସେବା ପୂରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହୋଟେଲ ଖୋଲା ରଖିବାକୁ ଯେତିକି ଅର୍ଥ ଦରକାର ସେତିକି ବି ଯୋଗାଡ଼ କରିପାରୁନାହାନ୍ତି ହୋଟେଲ ମାଲିକମାନେ। ସେହପରି ପର୍ଯ୍ୟଟନ କ୍ଷେତ୍ର ବି ପୂରା ଶୋଇପଡ଼ିଛି। ଏବେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଖୋଲିବା ଆରମ୍ଭ ହୋଇଥିଲେ ମଧ୍ୟ, ୮ ମାସ ହେଲା ରୋଜଗାର ନଥିବାରୁ ସେବାପ୍ରଦାନକାରୀ ସଂସ୍ଥାମାନେ କେମିତି ପୁଣି ସେବା ଯୋଗାଇଦେବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

ବିମାନସେବା କମ୍ପାନିଗୁଡ଼ିକର ଅବସ୍ଥା ପୂରା ବେହାଲ। ଲକ୍ଷାଧିକ ଲୋକ ଚାକିରି ହରାଇଛନ୍ତି, ବାକି ଯେଉଁମାନେ ଅଛନ୍ତି ସେମାନେ ଅଧା ନହଲେ୪୦ ପ୍ରତିଶତ ଦରମାରେ କାମ କରୁଛନ୍ତି। ଏ ପରିସ୍ଥିତିରେ କେନ୍ଦ୍ର ସରକାର ଏହି ୩ଟି କ୍ଷେତ୍ରକୁ ସଜାଡ଼ିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ତେବେ ଏହି ପ୍ୟାକଜେର ରୂପରେଖ କେମିତି ହେବ ସେ ସମ୍ପର୍କରେ କିଛି ବିସ୍ତୃତ ସୂଚନା ମିଳିନାହିଁ।

ବେଶ କିଛି ବର୍ଷ ହେଲା ରାଜ୍ୟଗୁଡ଼ିକ ପର୍ଯ୍ୟଟନ କ୍ଷେତ୍ରରୁ ଭଲ ଆୟ କରୁଥିଲେ। ଏହା ଅଣୁ ଅର୍ଥନୀତିକୁ ସୁଦୃଢ଼ କରୁଥିଲା। ରାଜ୍ୟଗୁଡ଼ିକ ମଧ୍ୟ ନିଜସ୍ତରରେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପକୁ ସଜାଡ଼ିବାକୁ ଆରମ୍ଭ କରିଲେଣି। ଡିସେମ୍ବର ମାସରେ ୬ଟି ସ୍ଥାନରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଇକୋରିଟ୍ରିଟର ଶୁଭାରମ୍ଭ କରୁଛନ୍ତି। ଆଗକୁ କେନ୍ଦ୍ର ସରକାର ଏ କ୍ଷେତ୍ରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେଲେ ପର୍ଯ୍ୟଟନ ଶିଳ୍ପ ପୁଣି ଟ୍ରାକକୁ ଫେରିବାର ସମ୍ଭାବନା ସୃଷ୍ଟି ହେବ।

ସିଧାସଳଖ ଆର୍ଥିକ ସହାୟତା ଦିଆଯିବ କି, ଦୀର୍ଘ ମିଆଦୀ ଋଣ କିମ୍ବା ରିହାତିଯୁକ୍ତ ଋଣ ପ୍ରଦାନ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଉଭୟ ପାର୍ଶ୍ୱରୁ ଏହି କ୍ଷେତ୍ରଗୁଡ଼ିକୁ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଗୋଟିଏ ପଟେ ସେବାପ୍ରଦାନକାରୀ ସଂସ୍ଥାକୁ ସହଯୋଗ ଅନ୍ୟପଟେ ଲୋକଙ୍କ ଖର୍ଚ୍ଚ ଶକ୍ତି ବଢ଼ାଇ ଡବଲ ବୁଷ୍ଟର ଦେବାକୁ ଯୋଜନା କରୁଛନ୍ତି ସରକାର। କିଛି ଦିନ ତଳେ କେନ୍ଦ୍ର ସରକାର ଲିଭ୍ ଟ୍ରାଭେଲ ଆଲାଉନ୍ସର ଘୋଷଣା କରିଥିଲେ।

Comment