ଓଡ଼ିଶାଲାଇଭ୍ ବ୍ୟୁରୋjob loss

କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପ୍ରଥମ ଲହର ଠାରୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଥିରେ ସମସ୍ତେ ପ୍ରଭାବିତ ହେଉଥିବାବେଳେ, ଦେଶର ଅର୍ଥନୀତି କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ରହିଛି। ଏକ ଘରୋଇ ଗବେଷଣାକାରୀ ସଂସ୍ଥା ସେଣ୍ଟର ଫର ମନିଣ୍ଟରିଙ୍ଗ ଇଣ୍ଡିଆନ୍ ଇକୋନୋମି (ସିଏମ୍‌ଆଇଇ) ର ରିପୋର୍ଟ ଅନୁସାରେ ଏପ୍ରିଲ ମାସରେ ପ୍ରାୟ ୭୦ଲକ୍ଷ ଲୋକ ନିଜର ଜୀବିକା ହରାଇଛନ୍ତି। ଏଥିସହ ଏହି ମାସରେ ଦେଶରେ ବେକାରୀ ହାର ମଧ୍ୟ ବୃଦ୍ଧି ପାଇଛି।

କରୋନା ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ୨୦୨୦ ବର୍ଷ ଦେଶରେ କରୋନା ପ୍ରବେଶ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଅର୍ଥନୀତି ଉପରେ ଅନେକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଅନୁସାରେ ବେକାରୀ ହାର ୪ ମାସ ମଧ୍ୟରେ ସର୍ବାଧିକ ୮ପ୍ରତିଶତ ବୃଦ୍ଧି ପାଇଛି। ମାର୍ଚ୍ଚ ମାସର ଏହାର ହାର ୬.୫ ପ୍ରତିଶତ ଥିବାବେଳେ, ଏପ୍ରିଲ ମାସରେ ଏହାର ବୃଦ୍ଧି ଘଟି ୭.୯୭ ପ୍ରତିଶତରେ ପହଞ୍ଚିଛି।

ବେକାରୀ ସୃଷ୍ଟିର ମୁଖ୍ୟ କାରଣ

ଦେଶରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ସିଏମ୍‌ଆଇଇ ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି, “ଲକ୍‌ଡାଉନ୍ କାରଣରୁ ନୂଆ ନିଯୁକ୍ତି କରାନଯାଇ ଛଟେଇ କରାଯାଉଛି। କରୋନା ପରିସ୍ଥିତି ଭୟଙ୍କର ଥିବାରୁ ଅନ୍ୟ କ୍ଷେତ୍ର ଅପେକ୍ଷା ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏସବୁ ଦୃଷ୍ଟିରୁ ମେ’ ମାସରେ ମଧ୍ୟ ନିଯୁକ୍ତି ହ୍ରାସ ପାଇବାର ଅନେକ ସମ୍ଭାବନା ରହିଛି।”ଦେଶରେ ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ପୁଳା ପୁଳା କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ରାଜ୍ୟ ସରକାରମାନେ ସଟ୍‌ଡାଉନ୍‌, ନାଇଟ କର୍ଫ୍ୟୁ ଏବଂ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଯାହାର ପ୍ରଭାବ ସିଧାସଳଖ ଶିଳ୍ପ ପ୍ରତିଷ୍ଠାନ ବା ବ୍ୟବସାୟ ଉପରେ ପଡ଼ିଛି। ସଂକ୍ରମଣର ଡର ଓ ଲକ୍‌ଡାଉନ୍‌କୁ ଡରି ଶ୍ରମିକମାନେ କାମ ଛାଡ଼ି ନିଜ ନିଜ ଗାଁକୁ ଫେରୁଛନ୍ତି। ତେଣୁ ବେକାରୀ ଅଧିକ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଏହି ସମୟରେ ନିଯୁକ୍ତି ସୃଷ୍ଟି କରିବା ଜଟିଳ ହୋଇପଡ଼ିଛି।

ପୂର୍ବବର୍ଷ ମଧ୍ୟ ମାର୍ଚ୍ଚ ମାସରୁ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା। ସେ ସମୟରେ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ସଙ୍କଟ ଦେଖା ଦେଇଥିଲା। କିନ୍ତୁ କିଛିକାଂଶରେ କରୋନା ନିୟନ୍ତ୍ରଣ ହେବାପରେ ଜୁଲାଇ ମାସରେ ଦେଶର ଅର୍ଥନୀତିରେ ସୁଧାର ଆସିଥିଲାବେଳେ, ଅଗଷ୍ଟରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ସେହିପରି ଚଳିତ ବର୍ଷ ଆରମ୍ଭରୁ ଦେଶରେ ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାବେଳେ, ଏବେ ପୁଣିଥରେ ସ୍ଥିତି ବିଗିଡ଼ି ଯାଇଥିବା ନେଇ ଅର୍ଥନୀତିଜ୍ଞ ମହଲରେ ଚର୍ଚ୍ଚା ହେଉଛି।

Comment