ଓଡ଼ିଶାଲାଇଭ୍‌ ବିଜିନେସ ବ୍ୟୁରୋ

ରାଜ୍ୟର ମୋଟ ଉତ୍ପାଦ ବୃଦ୍ଧି ପାଇଛି ସତ କିନ୍ତୁ ବିଡମ୍ବନାର ବିଷୟ ବେକାରୀ ସମସ୍ୟା କମିନାହିଁ

୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ମୋଟ ଘରୋଇ ଉତ୍ପାଦକୁ ନଜର ପକାଇଲେ ଦେଖାଯାଏ ଯେ, ଏହାର ଅଭିବୃଦ୍ଧି ହାର ୭.୪ରୁ ୮.୪କୁ ବୃଦ୍ଧି ପାଇଛି। ଓଡ଼ିଶାର ମୁଖ୍ୟ ଅଭିବୃଦ୍ଧି ଆଣିଦେଇଛି ଏହାର ପ୍ରଚୁର ଖଣିଜ ପଦାର୍ଥ । ଓଡ଼ିଶାର ବୃଦ୍ଧି ହାର ଜାତୀୟ ବୃଦ୍ଧି ହାର ତୁଳନାରେ ଅଧିକ ରହିଛି, ଯାହାକି ରାଜ୍ୟ ପାଇଁ ଏକ ଶୁଭ ସଙ୍କେତ।

୨୦୧୧ରୁ ୨୦୧୭ ମସିହା ମଧ୍ୟରେ ରାଜ୍ୟର ମୋଟ ଅର୍ଥନୀତି ପୂର୍ବ ଅପେକ୍ଷା ୫୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏହାର ମୁଣ୍ଡ ପିଛା ଆୟ ୪୨ ପ୍ରତିଶତ ବୃଦ୍ଧି ପାଇଛି। ବିଗତ ୫ ବର୍ଷ ଧରି ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ବିକାଶ ଓ ଉନ୍ନତି ଏହାକୁ ଅନ୍ୟ ରାଜ୍ୟ ତଥା ହରିୟାଣା, ପଞ୍ଜାବ,କେରଳ ଏବଂ ଆନ୍ଧ୍ରପ୍ରଦେଶ ତୁଳନାରେ ଅଧିକ ଆଗକୁ ନେଇଛି। ଏପରି ଦ୍ରୁତ ବୃଦ୍ଧିର କାରଣ ପଛରେ ଏହାର ଶିଳ୍ପ ଓ ସେବା କ୍ଷେତ୍ରର ପ୍ରଚୁର ଅବଦାନ ରହିଛି।

୨୦୧୮-୧୯ର ଅର୍ଥନୈତିକ ସର୍ଭେରେ ସଂଗୃହିତ ହୋଇଥିବା ତଥ୍ୟ ଅନୁସାରେ ଓଡ଼ିଶାର ଅର୍ଥନୀତିକୁ ଶିଳ୍ପ କ୍ଷେତ୍ରର ଅବଦାନ ଶତକଡ଼ା ୪୧.୬ ଥିବା ବେଳେ ସେବା କ୍ଷେତ୍ରର ଅବଦାନ ୩୯.୫ ରହିଛି। ଶିଳ୍ପ କ୍ଷେତ୍ରରେ ଏହି ବର୍ଦ୍ଧିତ ଯୋଗଦାନ ରାଜ୍ୟରେ ରୋଜଗାର ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ ଏହି ସମସ୍ତ ଅଭିବୃଦ୍ଧି ପରେ ମଧ୍ୟ ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠାରେ ବେକାରୀ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି।

ସାମୟିକ ଶ୍ରମଶକ୍ତି ସର୍ଭେ (ପିଏଲଏଫଏସ) ଓ ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନଏସଏସଓ)ର ୨୦୧୭-୧୮ ରିପୋର୍ଟ ଅନୁଯାୟୀ, ରାଜ୍ୟର ସହରାଞ୍ଚଳରେ ଗ୍ରାମାଞ୍ଚଳ ଅପେକ୍ଷା ବେକାରୀ ସମସ୍ୟାରେ ଅଧିକ ଉତ୍କଟତା ରହିଛି। ଯାହାକି ସହରାଞ୍ଚଳରେ ୮.୪ ପ୍ରତିଶତ ଥିଲା ବେଳେ ଗ୍ରାମାଞ୍ଚଳରେ ୬.୯ ପ୍ରତିଶତ ଲୋକ ବେକାରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ମୁଖ୍ୟ କାରଣ ଓଡ଼ିଶାର ସମ୍ପୂର୍ଣ୍ଣ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଧିକ ଲୋକ କୃଷି କ୍ଷେତ୍ର ଉପରେ ନିର୍ଭର କରୁଛନ୍ତି। ଶିଳ୍ପ କ୍ଷେତ୍ରରେ ନୂତନ ରୋଜଗାରର ସୁଯୋଗ ତିଆରି ହୋଇଥିଲେ ମଧ୍ୟ ଉତ୍ତମ ପ୍ରଶିକ୍ଷଣ ଅଭାବରୁ ଏହି ବେକାରୀ ସମସ୍ୟା ଦୂର ହୋଇପାରୁନାହିଁ।

ଦେଶ ଏବଂ ରାଜ୍ୟ ମଧ୍ୟରେ ତୁଳନା କଲେ ଭାରତର ବେକାରୀ ହାର ୨୦୧୭-୧୮ରେ ୬.୧ ଥିଲା ବେଳେ ରାଜ୍ୟରେ ଏହା ୭.୧ ରହିଛି। କେବଳ ସେତିକି ନୁହେଁ, ଓଡ଼ିଶାର ସମୁଦାୟ ଜନସଂଖ୍ୟାର ପ୍ରାୟ ୯.୮ ଲକ୍ଷ ଯୁବପିଢ଼ି(୧୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ) ଏହି ବେକାରୀ ସମସ୍ୟାର ଶିକାର ହେଉଛନ୍ତି।

ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ମହିଳାମାନଙ୍କର ରୋଜଗାରର ପ୍ରଶ୍ନ ଆସିଲେ ଗ୍ରାମାଞ୍ଚଳର ଶିକ୍ଷିତ ମହିଳାମାନଙ୍କ ତୁଳନାରେ ସହରାଞ୍ଚଳରେ ରହୁଥିବା ଶିକ୍ଷିତ ମହିଳାମାନଙ୍କର ବେକାରୀ ସଂଖ୍ୟା ଅପେକ୍ଷାକୃତ ଅଧିକ ରହିଛି।

ଓଡ଼ିଶାର ଅଭିବୃଦ୍ଧିର ଗତିପଥରେ ଏହି ବେକାରୀ ଏକ ବିପଦ ସାଜିଛି। ଓଡ଼ିଶା ସରକାରଙ୍କ ତରଫରୁ ବେକାରୀ ସମସ୍ୟା ଦୂର କରିବା ପାଇଁ ନୀତି ପ୍ରଣୟନ ହୋଇଥିଲେ ମଧ୍ୟ ବେକାରୀ ସଂଖ୍ୟାରେ ଆଖିଦୃଶିଆ ପରିବର୍ତ୍ତନ ଦେଖାଦେଉନାହିଁ। ରାଜ୍ୟ ସରକାର ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’ ଭଳି ନୀତି ମାଧ୍ୟମରେ ରୋଜଗାରର ସଂଖ୍ୟା ବୃଦ୍ଧି କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କୃଷିର ବିକାଶ, ମହିଳା ସଶକ୍ତିକରଣ, ନିଯୁକ୍ତି ସୁଯୋଗ ସୃଷ୍ଟି ତଥା ଦକ୍ଷତା ବିକାଶ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ।

Comment