ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଜାପାନରେ ଜଳବନ୍ଦୀ ଜୀବନ କାଟୁଛନ୍ତି ଓଡ଼ିଆ ପୁଅ ଶିବାଶିଷ। କରୋନା ଭାଇରସରେ ଆକ୍ରାନ୍ତ ହୋଇନଥିଲେ ମଧ୍ୟ ବ୍ରହ୍ମପୁରର ଶିବାଶିଷ ନାମକ ଜଣେ ଯୁବକ ଜାପାନର ଏକ ଜାହାଜ ଭିତରେ ଜଳବନ୍ଦୀ ଭଳି ସମୟ କାଟୁଛନ୍ତି।
ବ୍ରହ୍ମପୁର ପନ୍ଦରା ସାହିର ଲିଙ୍ଗରାଜ ନାୟକଙ୍କ ସାନ ପୁଅ ହେଉଛନ୍ତି ଶିବାଶିଷ। ସେ ଗୁରଗାଓଁର ହୁଗ୍ସ ସାଇସଟକରେ ଜଣେ ସଫ୍ଟୱେୟାର ଇଂଜିନିୟର ଭାବେ କାର୍ଯ୍ୟରତ। ଗତ ଜାନୁଆରି ୧୦ ତାରିଖରେ ସେ ମାଲେସିଆ ଓ ଜାପାନ ଯାଇଥିଲେ। ତେବେ ସେଠାରେ କରୋନା ଭାଇରସ ଆତଙ୍କ ଯୋଗୁଁ ସେ ୧୯ ମହଲା ବିଶିଷ୍ଟ ଡାଇମଣ୍ଡ ପ୍ରିନସେସ ଜାହାଜରେ ଫସିଯାଇଛନ୍ତି। ତାଙ୍କ ସହିତ ୧୬୦ ଭାରତୀୟ ଓ ୩ ହଜାର ଯାତ୍ରୀ ମଧ୍ୟ ଫସିରହିଛନ୍ତି।
ବର୍ତ୍ତମାନ ଶିବାଶିଷଙ୍କ ପରିବାର ଲୋକ ତାଙ୍କ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି। ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମଧ୍ୟ ଏହାଭିତରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଇ-ମେଲରେ ଚିଠି ଲେଖି ଶିବାଶିଷକୁ ମୁକୁଳାଇବା ପାଇଁ ଅନୁରୋଧ କରିଛନ୍ତି। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମଧ୍ୟ ଶିବାଶିଷଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ବୁଝାସୁଝା କରିଛନ୍ତି।














