ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରାହା ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଖରିନାସୀ ପଞ୍ଚାୟତର ହରିଆବାଙ୍କ ଗାଁରେ। ଦୁଇଜଣ କୃଷକଙ୍କୁ ଗୋଡେଇ ଗୋଡେଇ ଝୁଣି ଲହୁଲୁହାଣ କରିଦେଇଛି ବାରାହା। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ମହାକାଳପଡା ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ହରିଆବାଙ୍କ ଗାଁର ପଶୁପତି ଜାନା ଓ ମଦନ ଆଚାର୍ଯ୍ୟ।

ଏହି ଦୁଇଜଣ ଚାଷୀ ଜମିରେ ଗଦା କରିଥିବା ଧାନକୁ ଟ୍ରାକ୍ଟର ଯୋଗେ ଘରକୁ ଆଣିବାକୁ ଜମିକୁ ଯାଇଥିଲେ। ଧାନଗଦା ନିକଟରେ ରହିଥିବା ଜଙ୍ଗଲି ବାରାହା ସେମାନଙ୍କୁ ଅତର୍କିତ ଆକ୍ରମଣ କରି ଜଙ୍ଗଲକୁ ଚାଲିଯାଇଥିଲା। ସଜ୍ଞାହୀନ ଅବସ୍ଥାରେ ତାଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଜଙ୍ଗଲ ପାର୍ଶ୍ଵରେ ତାରବାଡ଼ ନଥିବାରୁ ଜଙ୍ଗଲରୁ ବାରାହା ଓ ହରିଣମାନେ ଜନବସତି ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି। ଗାଁ ଗଣ୍ଡାରେ ପଶି ଫସଲ ଉଜାଡ଼ି ଦେଉଛନ୍ତି ଶହଶହ ସଂଖ୍ୟାର ଜଙ୍ଗଲି ପଶୁମାନେ। କେତେଵେଳେ ମଣିଷ ଫାସରେ ପଡ଼ି ବାରାହା ଓ ହରିଣ ମରୁଛନ୍ତି ତ ଆଉ କେତେବେଳେ ମଣିଷକୁ ଝୁଣି ଖାଉଛି ବାରାହା।

Comment