ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ସିଏଏକୁ ନେଇ ଦେଖାଦେଇଛି ହିଂସା। ସିଏଏକୁ ବିରୋଧ କରୁଥିବା ଏବଂ ସିଏଏକୁ ସମର୍ଥନ କରୁଥିବା ଲୋକମାନଙ୍କ ମଧ୍ୟରେ ପଥରମାଡ଼ ଭଳି ଘଟଣା ଦେଖିବାକୁ ମିଳିଛି। ଏହି ହିଂସାରେ ଦିଲ୍ଲୀ ପୋଲିସର ଜଣେ ହେଡ୍ କନଷ୍ଟେବଲ୍ ରତନ ଲାଲଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ସୋମବାର ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ହିଂସା ଦେଖିବାକୁ ମିଳିଥିଲା। ଦିଲ୍ଲୀର ଜାଫରାବାଦ, ମୌଜପୁର, ଭଜନାପୁର ଭଳି ଅଞ୍ଚଳରେ ଏହି ହିଂସା ଦେଖିବାକୁ ମିଳିଛି। ଏହି ହିଂସାରେ ଅନେକ ଲୋକ ଆହତ ହେବା ସହିତ ପୋଲିସ କର୍ମୀମାନେ ମଧ୍ୟ ଆହତ ହୋଇଛନ୍ତି। ଏପରିକି ଡିସିପି ଅମିତ ଶର୍ମା ମଧ୍ୟ ଏହି ହିଂସାର ଶିକାର ହୋଇଛନ୍ତି। ଆହତ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିକ୍ଷୋଭକାରୀମାନେ ଦୋକାନ ପତ୍ର ଭାଙ୍ଗିବା ସହିତ ପରେ ଏଥିରେ ନିଆଁ ଲଗାଇ ଦେଇଛନ୍ତି। ମେଟ୍ରୋ ଷ୍ଟେସନକୁ ଯିବାକୁ ଥିବା ଗେଟକୁ ମଧ୍ୟ ବନ୍ଦ କରିଦିଆଯାଇଛି।

ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, “ସେ ଦିଲ୍ଲୀର ଉପ-ରାଜ୍ୟପାଳଙ୍କ ସହିତ କଥା ହୋଇଛନ୍ତି। ଖୁବଶୀଘ୍ର ସେହି ସ୍ଥାନକୁ ପୋଲିସ୍ ଫୋର୍ସ ପହଞ୍ଚୁଛି। ହିଂସାକୁ କଦାପି ବରଦାସ୍ତ କରାଯିବନି । ଦିଲ୍ଲୀବାସୀ ଶାନ୍ତି ବଜାୟ ରଖନ୍ତୁ।”

ଏହି ହିଂସା ସମୟରେ କେତେକ ସ୍ଥାନରେ ଫାୟାରିଙ୍ଗ୍ ଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଜଣେ ଯୁବକ ହାତରେ ବନ୍ଧୁକ ଧରି ୮ ରାଉଣ୍ଡ ଗୁଳି ମାଡ଼ କରିଥିବା କଥା ମଧ୍ୟ ସାମନାକୁ ଆସିଛି।ସିଏଏକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଏହି ଘଟଣା ଦ୍ୱିପହର ୧୧ଟାରୁ ଆରମ୍ଭ ହୋଇ ଦିନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଅପରାହ୍ନରେ ମଧ୍ୟ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି।  ପରିସ୍ଥିତି ଏତେ ଜଟିଳ ହୋଇଯାଇଥି ଯେ ଅଳ୍ପ କେତେକ ସ୍ଥାନରେ ପୋଲିସ୍ ବିକ୍ଷୋଭକାରୀଙ୍କ ଉପରେ ଆକ୍ସନ ମଧ୍ୟ ନେବାକୁ ପଡ଼ିଛି।

ଏହି ଘଟଣାକୁ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ଦିଲ୍ଲୀବାସୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି। ହିଂସାରେ ସବୁବେଳେ ଲୋକମାନଙ୍କର ହିଁ କ୍ଷତି ଘଟିଥାଏ। ତେଣୁ ହିଂସାକୁ ପ୍ରଶୟ ଦେବା ଉଚିତ୍ ନୁହେଁ ବୋଲି ସେ ଟୁଇଟ୍ କରି ଲେଖିଛନ୍ତି।

ସେହିପରି ବିଜେପି ନେତା କପିଲ ମିଶ୍ରା ମଧ୍ୟ ଶାନ୍ତି ପାଇଁ ଅପିଲ୍ କରିଛନ୍ତି। ହିଂସା ଫଳରେ କୌଣସି ସମସ୍ୟାର ସମାଧାନ ହୋଇପାରିବନି। ଦିଲ୍ଲୀବାସୀମାନେ ଭାଇଚାରା ବଜାୟ ରଖନ୍ତୁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

Comment