ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜବତ ବେଆଇନ ବାଣଗୁଡ଼ିକୁ ନିଷ୍କ୍ରିୟ କରିବା ବେଳେ ଥାନା ପରିସରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ। ବିସ୍ଫୋରଣର ଶବ୍ଦ ଏତେ ପ୍ରଚଣ୍ଡ ଥିଲାଯେ ଜନବସତିରେ ରହୁଥିବା ଲୋକେ ଛାନିଆରେ ଆତଙ୍କିତ ହୋଇ ପଡ଼ିଥିଲେ। ଏଥିରେ ଜଣେ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ରାସ୍ତା ଘାଟ ବାଲି, ଗୋଡ଼ି, ଇଟା ଖଣ୍ଡ ଓ ବାରୁଦରେ ଭର୍ତ୍ତି ହୋଇଯାଇଥିଲା।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପରିସରରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କୌଣସି ବିଶେଷ କ୍ଷତି ହୋଇନଥିବା ବେଳେ ପାଟକୁରା ଗାଁର ସୁବାଷ ନନ୍ଦି ନାମକ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ସୁବାଷ ତାଙ୍କ ଘର ନିକଟରେ ଛିଡ଼ା ହୋଇଥିବା ବେଳେ ବିସ୍ଫୋରଣ ସ୍ଥାନରୁ ଛିଟିକି ଆସିଥିବା ଏକ କଂକ୍ରିଟ ଖଣ୍ଡ ତାଙ୍କର ଡାହାଣ କାନ୍ଧରେ ଖୁବ୍ ଜୋର୍‌ରେ ପିଟି ହୋଇଥିଲା। ଆହତ ସୁବାଷଙ୍କୁ ପାଟକୁରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି।

ବିସ୍ଫୋରଣ ସ୍ଥଳରୁ ଗଦାଗଦା ବାରୁଦ ପାଉଁଶ, ବାଲି, ଗୋଡ଼ି ଆଦି ଥାନା ପରିସରରେ ବିକ୍ଷିପ୍ତ ଭାବେ ଗଦା ହୋଇପଡ଼ିଛି। ପ୍ରଚଣ୍ଡ ଶବ୍ଦରେ ଲୋକେ ଭୟ ଓ ଆତଙ୍କରେ ଘରୁ ବାହାରକୁ ବାହାରି ଆସିଥିଲେ। ଏନେଇ ଗ୍ରାମବାସୀଙ୍କୁ ଭୟଭୀତ ନହେବା ପାଇଁ ପୋଲିସ ପରାମର୍ଶ ଦେଇଛି।

ଗତ ୨୦୧୯ ଅକ୍ଟୋବର ୨୬ ତାରିଖରେ ଏହି ଥାନା ଅଞ୍ଚଳର ପୁନ୍ଦାଳ ଗାଁରେ ବେଆଇନ ବାଣ ତିଆରି କରୁଥିବା ଦୁଇ ଜଣ ବାଣ ବ୍ୟବସାୟୀଙ୍କୁ ପୋଲିସ୍ ଗିରଫ କରିବା ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣର ବେଆଇନ ବିସ୍ଫୋରକ, ବାଣ, ବାରୁଦ ଆଦି ଜବତ କରିଥିଲା। ସେହି ବିସ୍ଫୋରକଗୁଡ଼ିକୁ ଆଜି ନିଷ୍କ୍ରିୟ କରି ସାରି ସମସ୍ତେ ଚାଲିଯିବାର ପ୍ରାୟ ଦୁଇ ଘଣ୍ଟା ପରେ ସେହି ସ୍ଥାନରେ ବିସ୍ଫୋରଣ ଘଟିଥିଲା।

Comment