ଓଡ଼ିଶାଲାଇଭ୍ ବ୍ୟୁରୋ
ଚର୍ଚ୍ଚାରେ ଗଜପତି ଏସ୍ପି ସାରା ଶର୍ମା। ପୁଣିଥରେ ସେ ତାଙ୍କ ମଧୁର କଣ୍ଠରେ ଲୋକଙ୍କୁ ଝୁମେଇଛନ୍ତି। ପୂର୍ବରୁ ନାରୀ ସୁରକ୍ଷା, ସଚେତନତା ପାଇଁ ଗୀତ ଗାଇଥିଲା ବେଳେ ଏଥର ରାଜ୍ୟସ୍ତରୀୟ ଫୁଟବଲ୍ ମ୍ୟାଚ (ଏସ୍ଡିସି କପ୍ ୨୦୨୦) ପାଇଁ ଥିମ୍ ସଙ୍ଗ୍ ଗାଇ ପ୍ରଶଂସା ସାଉଣ୍ଟିଛନ୍ତି ସାରା ଶର୍ମା।
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଆଦିବାସୀ ଯୁବକ ଯୁବତୀଙ୍କ ପାଇଁ ଆୟୋଜିତ ‘ଏସ୍ଡିସି କପ୍ ୨୦୨୦’ର ଟ୍ରଫି, ଜର୍ସି ଉନ୍ମୋଚନ କରିବା ସହିତ ସାରା ଶର୍ମା ଗାଇଥିବା ଥିମ୍ ସଙ୍ଗ୍କୁ ମଧ୍ୟ ଉନ୍ମୋଚନ କରିଛନ୍ତି।
ଫେବ୍ରୁଆରି ୧୪ରୁ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ସ୍ପେଶାଲ ଡେଭ୍ଲୋପମେଣ୍ଟ କାଉନସିଲ)ର ଫୁଟବଲ ମ୍ୟାଚ ଚାଲିଛି। ଏହାର ଥିମ୍ ସଙ୍ଗ୍ ଗାଇଛନ୍ତି ସାରା। ବର୍ତ୍ତମାନ ଚାଲିଥିବା ଜୋନାଲ ଫୁଟବଲ ମ୍ୟାଚଗୁଡ଼ିକରେ ଏହି ଗୀତ ପରିବେଷଣ କରାଯାଉଛି।
ମାର୍ଚ୍ଚ ୫ରେ କଟକ ବାରବାଟୀରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଏବଂ ପୁରସ୍କାର ବିତରଣ ଉତ୍ସବରେ ଏହି ଗୀତ ପରିବେଷଣ କରାଯିବ।
ପୂର୍ବରୁ ଗଜପତି ଜିଲ୍ଲାରେ ନାରୀ ସୁରକ୍ଷା ପାଇଁ ଗଜପତି ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସି ଟିମ କାର୍ଯ୍ୟକ୍ରମରେ ସାରା ଶର୍ମା ଗୀତ ଗାଇ ଲୋକଙ୍କୁ ସଚେତନ କରିବାକୁ ଉଦ୍ୟମ କରିଥିଲେ। ସାରାଙ୍କ ସାଢେ ୪ ମିନିଟର ଭିଡିଓ ସାରା ଓଡ଼ିଶାରେ ଧୁମ ମଚାଇଥିବା ବେଳେ ବିଭିନ୍ନ ମହଲରେ ତାଙ୍କୁ ପ୍ରଂଶସା କରାଯାଇଥିଲା।


















