ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ଓଡ଼ିଶାର ୨୬ ଜିଲ୍ଲା ଏବେ ରେଡ୍ ଜୋନ୍ ଭିତରେ ରହିଛି। କେବଳ ୪ ଜିଲ୍ଲା ଦେଓଗଡ଼, କନ୍ଧମାଳ, ଗଜପତି, ମାଲକାନଗିରି ୟେଲୋ ଜୋନ୍‌ରେ ରହିଛି। ପୂର୍ବରୁ ୨୧ଟି ଜିଲ୍ଲା ରେଡ୍ ଜୋନ୍ ଭିତରେ ରହିଥିବାବେଳେ କ୍ରମାଗତ ଏହାର ବୃଦ୍ଧି ଘଟୁଛି।

ଏହି ମହାମାରୀ ଅଳ୍ପ ସମୟ ବ୍ୟବଧାନରେ ଅନେକଙ୍କୁ ସଂକ୍ରମିତ କରୁଛି। ଏପ୍ରିଲ ମାସର ପ୍ରଥମ ସପ୍ତାହରୁ ଦୈନିକ ସଂକ୍ରମଣ ସଂଖ୍ୟା ୫ହଜାର ତଳେ ରହୁଥିବାବେଳେ, ତୃତୀୟ ସପ୍ତାହରୁ ଏହା ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ଗୋଟିଏ ଦିନରେ ସର୍ବାଧିକ ୧୨ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ କିଛିଦିନ ହେବ ଦୈନିକ ୧୫ରୁ ଅଧିକ ଲୋକଙ୍କ ଜୀବନ ନେଉଛି ମହାମାରୀ କରୋନା।

କେମିତି ଜୋନ୍ ନିର୍ଦ୍ଧାରିତ କରାଯାଏ?

ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଦିଆଯାଉଥିବା କରୋନା ତଥ୍ୟ ଅନୁସାରେ ଜୋନ ନିର୍ଦ୍ଧାରିତ କରାଯାଇଥାଏ। ଏହି ଜୋନ୍କୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ରେଡ, ୟେଲୋ, ଗ୍ରୀନ । ୧ରୁ ୫ଶହ ଭିତରେ ଥିବା ସକ୍ରିୟ ଆକ୍ରାନ୍ତକୁ ନେଇ ଗ୍ରୀନ ଜୋନ ଗଠିତ ହୋଇଥାଏ। ୫ଶହରୁ ୧ହଜାର ସକ୍ରିୟ ଆକ୍ରାନ୍ତ ଥିଲେ ୟେଲୋ ଜୋନ ଏବଂ ଯେଉଁ ଜିଲ୍ଲାରେ ୧ହଜାରରୁ ଅଧିକ ଆକ୍ରାନ୍ତ ସକ୍ରିୟ ରହିଥାନ୍ତି, ସେହି ଜିଲ୍ଲା ରେଡ ଜୋନ ପରିସରରେ ଯାଏ।

Comment