ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇର କୁଖ୍ୟାତ ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କ କମ୍ପାନି କିଭଳି ଜଣେ ଓଡ଼ିଆ ଏଜେଣ୍ଟକୁ ଜୀବନରେ ମାରି ଦେଇଥିଲା ତାର ଏକ ରୋଚକ କାହାଣୀ ଏବେ ସାମ୍ନାକୁ ଆସିଛି। ମୁମ୍ବାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ପୁସ୍ତକରେ ଏହି ବିଷୟ ପ୍ରକାଶ ପାଇଛି।

ମାରିଆ ତାଙ୍କ ପୁସ୍ତକ ‘ଲେଟ ମି ସେ ଇଟ ନାଓ (ଏବେ ମୁଁ କହୁଛି)ରେ ଲେଖିଛନ୍ତି ଯେ ଏହି ଓଡ଼ିଆ ପୋଷ୍ଟାଲ କର୍ମଚାରୀ ଜଣକ ଥରେ ଭୁଲ କରି ପକାଇଥିଲେ ଓ ସେହି ଭୁଲଟି ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

୩୦ ବର୍ଷୀୟ ଏହି କର୍ମଚାରୀଙ୍କ ନାମ ହେଉଛି ରବି ନାରାୟଣ ପାଢ଼ୀ। ୧୯୯୪ ଜାନୁଆରୀ ୨୮ ତାରିଖରେ ଡି ଗ୍ୟାଙ୍ଗ ଦ୍ୱାରା ପାଢ଼ୀଙ୍କୁ ହତ୍ୟା କରାଯାଇଥିଲା। ପୁସ୍ତକରେ ମାରିଆ ଲେଖିଛନ୍ତି ଯେ, କିଭଳି ପାଢ଼ୀଙ୍କୁ ଶେଷ କରି ଦିଆଯାଇଥିଲା। ସେହିଦିନ ସେ ସକାଳ ନଅଟାରେ ଘର ଛାଡିଥିଲେ। କିନ୍ତୁ ସେ ଆଉ ଫେରି ନଥିଲେ। ଯଦିଓ ସେହି  ରାତିରେ ମୁମ୍ବାଇର ଗୋରେଗାଁ ନିକଟରେ ପାଢ଼ୀଙ୍କ ଶବକୁ ଠାବ କରାଯାଇଥିଲା,ତାଙ୍କ ପରିଚୟ କିନ୍ତୁ ମିଳି ପାରିନଥିଲା କାରଣ ତଟି ଚିପି ହତ୍ୟା କରିବା ପରେ ସେହି ଶବ ଦେହରେ କେରୋସିନ ପକାଇ ଜାଳି ଦିଆଯାଇଥିଲା।

ପୁସ୍ତକରେ କୁହାଯାଇଛି ଯେ, ଡି କମ୍ପାନିର ଦୁବାଇରୁ ଯେତେ ସବୁ ପାର୍ସଲ ଆସୁଥିଲା ତାହାକୁ ବଦଳାଇବା ଦାୟିତ୍ୱ ପାଢ଼ୀଙ୍କୁ ଦିଆଯାଇଥିଲା। ମୁମ୍ବାଇ ଏୟାରପୋର୍ଟରେ ଦୁବାଇରୁ ଆସୁଥିବା ଟଙ୍କା ଓ ସୁନା ଭର୍ତ୍ତି ପାର୍ସଲକୁ ନେଇ ଡି ଗ୍ୟାଙ୍ଗର ନିର୍ଦ୍ଦେଶକ୍ରମେ ଡେଲିଭେରୀ ଭ୍ୟାନରେ ଅନ୍ୟତ୍ର ଦେବା ଦାୟିତ୍ୱ ଥିଲା ପାଢ଼ୀଙ୍କର। କିନ୍ତୁ ଥରେ ପାର୍ସଲକୁ ଭୁଲ ଜାଗାରେ ଦେଇ ଦେବା କାରଣରୁ ଏହି ପୋଷ୍ଟାଲ କର୍ମଚାରୀ ପାଢ଼ୀଙ୍କୁ ଶେଷରେ ଜୀବନ ଦେବାକୁ ପଡିଥିଲା।

Comment