ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି।

ଯେତେବେଳେ କେହି ଜଣେ ସାଇକେଲରେ ରାସ୍ତାରେ ଗଲାବେଳେ ଳୋକେ ଘଡ଼ିଏ ଚାହୁଁଥିଲେ, ସେତିକିବେଳେ ଆକାଶରେ ଉଡ଼ିବାର ସ୍ୱପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ। କୃଷିପ୍ରଧାନ ଓଡ଼ିଶାରେ କେହି ଜଣେ ଶିଳ୍ପୋଦ୍ୟୋଗୀ ହେବା ପାଇଁ ସ୍ୱପ୍ନ ଦେଖିବା ବିରଳ ଥିଲା। ଉଦ୍ୟୋଗୀ ହେବାକୁ ଚାହୁଁଥିବା ଏବଂ ଉଚ୍ଚାଭିଳାଷ ରଖିଥିବା ବ୍ୟକ୍ତିକୁ ସେତେବେଳେ ଥଟ୍ଟା ପରିହାସ କରାଯାଉଥିଲା। କୁହାଯାଉଥିଲା, “ଅଦା କିଣିବା ଲୋକ କାହିଁକି ଜାହାଜ ମୂଲାଉଛୁ।” କାରଣ ଜାହାଜ ଥିଲା ଓଡ଼ିଶାବାସୀଙ୍କ ପାଇଁ ଯୋଜନ ଯୋଜନ ସ୍ୱପ୍ନ। ହେଲେ ବିଜୁବାବୁ ଥିଲେ ତାଙ୍କ ସମୟଠାରୁ ଢେର ଆଗରେ। ସେ କେବଳ ଉଡ଼ାଜାହାଜ ମୂଲାଇନଥିଲେ ବରଂ ଉଡ଼ାଜାହାଜ କିଣିଥିଲେ ଓ କଳିଙ୍ଗ ଏୟାରଲାଇନ୍‌ସ କମ୍ପାନି ଗଢି ଓଡ଼ିଶାବାସୀଙ୍କ ମନରେ ଭରି ଦେଇଥିଲେ ଆତ୍ମବିଶ୍ୱାସ।

ସ୍କୁଲରେ ପଢୁଥିବା ସମୟରେ ହିଁ ତାଙ୍କର ବିମାନରେ ଉଡ଼ିବା ପାଇଁ ଆଗ୍ରହ ଜନ୍ମିଥିଲା। ବାପା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ପାଇଲଟ୍ ବନ୍ଧୁ ଅମର ଦେ, ତାଙ୍କୁ ଏଥିଲାଗି ଉତ୍ସାହିତ କରିଥିଲେ। ଶେଷରେ ସେ ରେଭେନସା ଛାଡ଼ି ପାଇଲଟ୍ ଟ୍ରେନିଂ ପାଇଁ ଦିଲ୍ଲୀ ଚାଲିଗଲେ। ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଳବ ଏବଂ ଏରୋନଟିକାଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଯୋଗ ଦେଇଥିଲେ ବିଜୁବାବୁ। ୧୯୩୭ ମସିହା ଅଗଷ୍ଟ ମାସରେ ତାଙ୍କୁ ମିଳିଥିଲା ଉଭୟ ପାସେଞ୍ଜର ଏବଂ ପଣ୍ୟବାହୀ ବିମାନ ବା କାର୍ଗୋ ଚଳାଇବା ପାଇଁ ପାଇଲଟ୍ ଲାଇସେନ୍‌ସ। ମାତ୍ର କିଛି ବର୍ଷ ମଧ୍ୟରେ ସେ ପାଲଟି ଯାଇଥିଲେ ବିଶ୍ୱର ଜଣେ କୁଶଳୀ ପାଇଲଟ୍।

୧୯୩୦ ମସିହା ପ୍ରାରମ୍ଭରେ ଭାରତରେ ବିମାନ ସେବା ଯୋଗାଇ ଦେଉଥିଲେ ଟାଟା ଗ୍ରୁପ୍ ଏବଂ ବ୍ରିଟିସ୍ ଶିଳ୍ପପତି ଗ୍ରାଣ୍ଟ୍ ଗୋଭନଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ ନାସ୍ନାଲ୍ ଏୟାରେଓ୍ୱଜ୍। ୧୯୪୬ ମସିହାରେ ଡାଲମିଆ-ଜୈନ ଗ୍ରୁପ ମଧ୍ୟ ଏୟାରଲାଇନ୍‌ସ ପ୍ରତିଷ୍ଠା କରିଥିଲେ। ଇଣ୍ଡିଆନ ନାସ୍ନାଲ୍ ଏୟାରୱେଜ୍ ଏବଂ ଡାଲମିଆ-ଜୈନ ଏୟାରଲାଇନ୍‌ସରେ ବୈମାନିକ ଭାବେ କାର୍ଯ୍ୟ କରିବା ସହ ବ୍ରିଟିସ୍-ଇଣ୍ଡିଆ ରୟାଲ ଏୟାରଫୋର୍ସରେ ମଧ୍ୟ ଯୋଗ ଦେଇଥିଲେ ବିଜୁ ପଟ୍ଟନାୟକ। ଇଣ୍ଡିଆନ ନାସ୍ନାଲ୍ ଏୟାରୱେଜର ସେ ଥିଲେ ଚିଫ୍ ପାଇଲଟ୍।

ଜଣେ ଦକ୍ଷ ପାଇଲଟ୍ ଭାବେ ଦେଶ ବିଦେଶରେ ବେଶ୍ ଚର୍ଚ୍ଚିତ ଥିଲେ ବିଜୁ। ସେ କେବଳ ଜଣେ କୁଶଳୀ ପାଇଲଟ୍ ନଥିଲେ, ଥିଲେ ଅତ୍ୟନ୍ତ ସାହସୀ। କୌଣସି ପ୍ରକାର ବିପଦର ଆଶଙ୍କା ତାଙ୍କୁ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରୁନଥିଲା। ଯେତେବେଳେ ବର୍ମା ମିସନରେ ଜାପାନୀ ସେନାଙ୍କ ଆଖିରେ ଧୂଳିଦେଇ ବ୍ରିଟିସ ଅଫିସର ଓ ଭାରତୀୟ ପରିବାରକୁ ଉଦ୍ଧାର କରିଥିଲେ, ତାଙ୍କର ପରାକ୍ରମ ଦେଖିଥିଲା ସାରା ବିଶ୍ୱ।

ବିମାନରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗୋପନରେ ନେବା ଆଣିବା ଏବଂ ମୁକ୍ତି ସଂଗ୍ରାମ ପାଇଁ ଲିଫଲେଟ୍ ବାଣ୍ଟିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ବ୍ରିଟିସ୍ ସରକାର। ଏଥିଲାଗି ଦୁଇ ବର୍ଷ କାରାଦଣ୍ଡ ମଧ୍ୟ କାଟିଥିଲେ ବିଜୁବାବୁ। ତାଙ୍କର ପାଇଲଟ୍ ଲାଇସେନ୍‌ସ ରଦ୍ଦ କରିଦିଆଯାଇଥିଲା। ତେବେ ଜେଲ ଭିତରେ ଥିବାବେଳେ ନିଜେ ଏକ ଏୟାରଲାଇନ୍‌ସ ଗଢିବାକୁ ସେ ମେନ ମେନ ସ୍ଥିର କରିଥିଲେ। ୧୯୪୫ ମସିହାରେ ଜେଲରୁ ମୁକୁଳିବା ପରେ କମର୍ସିଆଲ୍ ପାଇଲଟ୍ ଲାଇସେନ୍‌ସକୁ ନବୀକରଣ କରି କଳିଙ୍ଗ ଏୟାରଲାଇନ୍‌ସ କଂପାନି ଗଢିବାକୁ ପ୍ରୟାସ ଆରମ୍ଭ କରିଦେଲେ। ନିଜେ ଏକ ଡାକୋଟା ବିମାନ କିଣି ସେ ଏହାର ଅୟମାରମ୍ଭ କରିଥିଲେ। ୧୯୪୬ ମସିହାରେ କଳିଙ୍ଗ ଏୟାରଲାଇନ୍‌ସ ବିମାନ ସେବା ଆରମ୍ଭ କଲା। ୧୯୫୩ ମସିହାରେ ଏୟାରଲାଇନ୍‌ସ ଜାତୀୟକରଣ ହେବା ପର୍ଯ୍ୟନ୍ତ କଳିଙ୍ଗ ଏୟାରଲାଇନ୍‌ସ ତା’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।ବିଜୁବାବୁଙ୍କର ଆଉ ଏକ ସ୍ୱପ୍ନ ଥିଲା ଓଡ଼ିଶାରୁ ବହୁ ସଂଖ୍ୟାରେ ପାଇଲଟ୍ ସୃଷ୍ଟି କରିବା। ତେଣୁ ୧୯୪୬ ମସିହାରେ ଦିଲ୍ଲୀ ଫାଇଙ୍ଗ୍ କ୍ଳବ ଭଳି ସେ ଓଡ଼ିଶାରେ ଗଠନ କରିଥିଲେ ଓଡ଼ିଶା ଫ୍ଲାଇଙ୍ଗ୍ କ୍ଳବ। ପରେ ଏହା ଗଭନର୍ମେଣ୍ଟ୍ ଏଭିଏସନ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ନାମରେ ପରିଚିତ ହୋଇଥିଲା।

ବିଜୁ ପଟ୍ଟନାୟକ ପାଇଲଟ୍ ଭାବେ ଅନେକ ଦୁଃସାହସିକ କାର୍ଯ୍ୟ କରିଛନ୍ତି। ଇଣ୍ଡୋନେସିଆ ଅଭିଯାନରେ ସେ ଯାହା କରିଥିଲେ, ତାହା ବିଶ୍ୱ ଇତିହାସର ଏକ ଅଭୁଲା କାହାଣୀ। ୧୯୪୭ ମସିହାର ଘଟଣା, ସେତେବେଳେ ସେ କଟକର ବିଧାୟକ ଥିଲେ। ପଣ୍ଡିତ ଜବାହରଲାଲ ନେହରୁଙ୍କଠାରୁ ଡାକରା ପାଇ ଇଣ୍ଡୋନେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସାହାରିୟର ଏବଂ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଦୁର୍ଦ୍ଧର୍ଷ ଡଚ୍ ବାହିନୀ କବଳରୁ ମୁକୁଳାଇ ଆଣିଥିଲେ। ସେହିପରି କାଶ୍ମୀର ଉପରେ ପାକ୍ ଆକ୍ରମଣ ସମୟରେ ଦୁର୍ଗମ୍ୟ ପାର୍ବତ୍ୟ ଓ ବରଫାଚ୍ଛନ୍ନ ଅଂଚଳରେ ବିମାନ ଅବତରଣ କରି ବିଜୁ ପଟ୍ଟନାୟକ ପହଁଚାଇଥିଲେ ଭାରତର ପ୍ରଥମ ରେଜିମେଣ୍ଟ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ନାଜିମାନେ ସୋଭିଏଟ୍ ରୁଷ୍କୁ ଦଖଲ କରିବାକୁ ଉଦ୍ୟମ କରୁଥିଲେ। ରୁଷର ବିପ୍ଳବୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ସହାୟତା ଯୋଗାଇ ଦେଇଥିଲେ ବିଜୁ ପଟ୍ଟନାୟକ।

(ସୌଜନ୍ୟ – ସମ୍ଵାଦ)

Comment