ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ଆସିଲା ନୂଆ ଡେଥ୍‌ ଓ୍ଵାରେଣ୍ଟ। ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବା ନେଇ ତାରିଖ ଧାର୍ଯ୍ୟ ହୋଇଛି। ଏହି ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀ ପଟିୟାଲା ହାଉସ୍‌କୋର୍ଟ। ଏଥର ଚତୁର୍ଥଥର ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଛି।

ପୂର୍ବରୁ ୩ଥର ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇ ମଧ୍ୟ ଫାଶୀ ଅଟକି ଥିଲା। ପ୍ରଥମ ଡେଥ୍‌ ଓ୍ଵାରେଣ୍ଟ ଅନୁସାରେ ଜାନୁଆରି ୨୨ ତାରିଖରେ ଫାଶୀ ଦିଆଯିବାର ଥିଲା। ହେଲେ ଫାଶୀରୁ ବଞ୍ଚିବାକୁ ଦୋଷୀମାନେ ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାଖଲ କରିଥିଲେ। ଫଳରେ ଶୁଣାଣି ପ୍ରକ୍ରିୟାରେ ବିଳମ୍ଵ ହେବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

ପରେ ପୁଣି ଫେବ୍ରୁଆରି ୧ ଓ ମାର୍ଚ୍ଚ ୩ ତାରିଖରେ ଫାଶୀ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଫାଶୀ ହୋଇପାରିନଥିଲା। ଏଥର ପୁଣି ମାର୍ଚ୍ଚ ୨୦ରେ ଚତୁର୍ଥଥର ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଛି।

ସମସ୍ତ ୪ଜଣ ଦୋଷୀଙ୍କର ଆଇନଗତ ପଦକ୍ଷେପ ସରିଥିବାରୁ ଏଥର ଫାଶୀ ନିଶ୍ଚିତ ବୋଲି ନିର୍ଭୟାଙ୍କ ଓକିଲ କହିଛନ୍ତି। ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମର ତିନି ଜଣ ଦୋଷୀଙ୍କର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଥିଲେ। ବୁଧବାର ପବନର ମଧ୍ୟ ରାଜକ୍ଷମା ଖାରଜ ହୋଇଯାଇଛି।

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ଦିନ ଧାର୍ଯ୍ୟ ହେଉଥିଲେ ମଧ୍ୟ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି। ବର୍ତ୍ତମାନ ପୁଣି ଚତୁର୍ଥ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଛି। ଏଥର ଫାଶୀ ହେବ କି ନାହିଁ? ତାକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେଉଛି।

Comment