ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

‘‘ଗତ କିଛି ମାସ ମଧ୍ୟରେ ସାରାବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବରେ ଉଭା ହୋଇଛି। ଆମେମାନେ ଏମିତି ଏକ ମହାମାରୀ ସହିତ ଲଢ଼ୁଛେ ଯାହାପାଇଁ କୌଣସି ଟୀକା ବା ଔଷଧିୟ ଚିକିତ୍ସା ନାହିଁ। ଏହି ରୋଗର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳିତ ପ୍ରଚେଷ୍ଟା ଆବଶ୍ୟକ’’, କରୋନା ପାଇଁ ଏଭଳି ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନିଜକୁ ନିଜ ପରିବାରର ସଦସ୍ୟଙ୍କୁ ଏହି ମହାମାରୀଠାରୁ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ପ୍ରତିବଦ୍ଧ ଓ ପାରିବାରିକ ସ୍ତରରେ ଦାୟିତ୍ୱସମ୍ପନ୍ନ ହେବାକୁ ପଡ଼ିବ। ଏଥିରେ ଆମକୁ ବ୍ୟକ୍ତିଗତ ଭାବରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ବା କୌଣସି ପରିବାରକୁ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିପାରେ। ମାତ୍ର ଅସାଧାରଣ ପରିସ୍ଥିତିରେ ଆମ୍ଭମାନଙ୍କଠାରୁ ଅସାଧାରଣ ପ୍ରଦର୍ଶନର ଆବଶ୍ୟକ ପଡ଼ିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମାଜିକ ଜନସମାଗମରେ ଲୋକଙ୍କଠାରୁ ଦୂରେଇ ରହିବା ହେଉଛି କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ସୁବଠାରୁ ଫଳପ୍ରଦ ଉପାୟ। ଆମେ ସମସ୍ତେ ଧାର୍ମିକ ଉତ୍ସବ, ବିବାହ, ବିବାହତ ବ୍ରତ ଆଦି ସାମାଜିକ ଜନସମାଗମଠାରୁ ଦୂରରେ ରହିବା ଉଚିତ। ଘର ଭିତରେ ରହିବା, ଜନଗହଳିକୁ ବର୍ଜନ କରିବା ଓ ଅନ୍ୟମାନଙ୍କ ସହ ମିଳାମିଶାକୁ କମ୍‌ କରିବା ଦ୍ୱାରା ଏ ରୋଗର ଆଶଙ୍କାକୁ ଯଥେଷ୍ଟ ପରିମାଣରେ ହ୍ରାସ କରାଯାଇପାରେ।

ବାରମ୍ବାର ହାତ ଧୋଇବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ। ସମସ୍ତେ ବ୍ୟକ୍ତିଗତ ସ୍ତରରେ ଏହା କରିବା ସହିତ ଅନ୍ୟମାନଙ୍କୁ ଏହା କରିବା ପାଇଁ ପ୍ରବର୍ତ୍ତାଇବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଏକ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ଭାବରେ ଆଚରଣ ପ୍ରଦର୍ଶନ ସହିତ ଉଡ଼ା ଖବର ଓ ଗୁଜବଠାରୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ସୌଜନ୍ୟ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଓଡ଼ିଶା)

Comment