ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସରୁ ଯେଭଳି ମୁକ୍ତି ମିଳିବ ଓ ପ୍ରତିହତ କରିହେବ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକମାନଙ୍କ ଆଗମନ ବନ୍ଦ କରାଯାଇଛି।

ଜିଲ୍ଲାରେ ବହୁ ପର୍ଯ୍ୟଟନ ସ୍ଥଳୀ, ବେଳାଭୂମି ଥିବା ସାଙ୍ଗକୁ ବହୁ ସ୍ଥାନରେ ଧାର୍ମିକ ସମାବେଶ ହେଉଥିବା ଦୃଷ୍ଟିରୁ କରୋନା ଭାଇରସ ଯେଭଳି ନ ବ୍ୟାପିବ ତାହାକୁ ଦୃଷ୍ଟିରେ ରଖି ଗୋଟିଏ ସ୍ଥାନରେ ୫ ରୁ ଅଧିକ ବ୍ୟକ୍ତିଙ୍କ ସମାବେଶକୁ ରୋକାଯାଇଛି ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।

ରାଜ୍ୟ ସରକାର କରୋନାକୁ ଏକ ବିପର୍ଯ୍ୟୟ ଭାବେ ଘୋଷଣା କରିବା ପରେ ଜନସାଧାରଣଙ୍କ ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଇଛି ବୋଲି ଗଂଜାମ ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନାମାରେ ଉଲ୍ଲେଖ ଅଛି ଯେ ଘର ବ୍ୟତୀତ କୌଣସି ସାର୍ବଜନୀନ ସ୍ଥାନରେ ୫ରୁ ଅଧିକ ବ୍ୟକ୍ତି ଏକାଠି ଠୁଳ ହୋଇ ପାରିବେ ନାହିଁ। କୌଣସି ସାମାଜିକ ଓ ଧାର୍ମିକ ଉତ୍ସବ ହେବ ନାହିଁ। ଯାନିଯାତ୍ରା, ଦଣ୍ଡନାଟ, ଅପେରା, ବାହାଘର ଶୋଭାଯାତ୍ରା ଓ ଅନ୍ୟାନ୍ୟ ଉତ୍ସବ ହେବ ନାହିଁ। ରାଜନୈତିକ ରାଲି, ଆନ୍ଦୋଳନ କିମ୍ବା ପ୍ରତିବାଦ ଶୋଭାଯାତ୍ରା ହେବ ନାହିଁ। କଲ୍ୟାଣ ମଣ୍ଡପରେ ଜନ ସମାବେଶ ହେବ ନାହିଁ। ହୋଟେଲ ଓ ଧର୍ମଶାଳାଗୁଡ଼ିକରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ରୁମ ରହିବ ଓ ଲୋକଙ୍କ ପାଇଁ ହାତଧୁଆ ସାବୁନ ରଖାଯିବ। ଲୋକଙ୍କ ଉପରେ ପୋଲିସ ନଜର ରଖିବାକୁ କୁହାଯାଇଛି। କେହି ଆଇନର ଖିଲାପ କଲେ ତା ବିରୋଧରେ ଭାରତୀୟ ପିଙ୍ଗଳା କୋଡ୍‌ର ୧୮୮ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ଜିଲ୍ଲାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲାରେ ଏକ ହେଲ୍‌ପ ଲାଇନ ନମ୍ବର୦୬୮୦-୨୨୨୪୭୯୮ ଖୋଲା ଯାଇଛି।

LEAVE A REPLY

Please enter your comment!
Please enter your name here