ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ କାୟା ମେଲାଉଛି କରୋନା। ମଙ୍ଗଳବାର ବିଶ୍ୱର ୧୬୨ଟି ଦେଶକୁ ବ୍ୟାପିଥିବା କରୋନା ଭୂତାଣୁ ଆଜି ଆଉ ପାଞ୍ଚୋଟି ଦେଶକୁ ବୃଦ୍ଧି ପାଇଁ ୧୬୭ଟି ଦେଶରେ ପହଞ୍ଚିଛି।

ଏଥିସହିତ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମୋଟ୍ ୧ ଲକ୍ଷ ୯୯ ହଜାର ୧୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି। ବୁଧବାର ଦିନ ୨ଟା ସୁଦ୍ଧା ସାରା ବିଶ୍ୱର କରୋନା ଅପଡେଟ୍ ବିଷୟରେ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ମଙ୍ଗଳବାର ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୮୩ ହଜାର ୧୧୬ ଜଣ ଥିଲା। ମାତ୍ର ଗୋଟିଏ ଦିନ ଭିତରେ ଏହା ୧୬ ହଜାର ୭୭ ଜଣ ବୃଦ୍ଧି ପାଇଛି।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ୍ ୧୪୮ ଜଣ କରୋନୀ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ମାତ୍ର ୩ଜଣ ଲୋକ ପ୍ରାଣ ହରାଇଛନ୍ତି।

ସେହିପରି ଓଡ଼ିଶାରେ କରୋନା ଚିହ୍ନଟ ପାଇଁ ମୋଟ୍ ୪୭ଜଣଙ୍କର ନମୂନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୪୬ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି, କେବଳ ଜଣକର ରିପୋର୍ଟ ପଜିଟିଭ୍ ଆସିଛି। ଓଡ଼ିଶାର ଏକମାତ୍ର କରୋନା ରୋଗୀଙ୍କୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିବା ସହିତ ସେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି ବୋଲି ସୁବ୍ରତ ବାଗଚି କହିଛନ୍ତି।

Comment