ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପ୍ରଭାବରେ କଟକ ମାଲଗୋଦାମ ହଲ୍‌ଚଲ୍‌। ଆସୁ ନାହାନ୍ତି ବେପାରୀ। ଚିନ୍ତାରେ ଗୋଦାମ ମାଲିକ।

କଟକ: କରୋନା ଭାଇରସ୍‌ର ପ୍ରଭାବ କଟକ ମାଲଗୋଦାମ ଉପରେ ପଡ଼ିଛି। ଡାଲି, ତେଲ ଆମଦାନୀ ହେଉ ନଥିବାରୁ ହୋଲସେଲ ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। କାରବାର ହେଉ ନଥିବାରୁ ବ୍ୟବସାୟୀ ମୁଣ୍ଡରେ ହାତ ଦେଲେଣି।

କରୋନା ପାଇଁ ବାହାଘର, ବ୍ରତଘର ବନ୍ଦ ହେଲା। ସଭା, ସମିତି ନକରିବା ପାଇଁ ଜାରି ହେଲା କଟକଣା। ଏ ସବୁ ବାଦ୍‌ ସାଂସ୍କୃତିକ ନଗରୀ କଟକ ସହରର ଯାନିଯାତ୍ରା ପାଳନ କରାଗଲାନାହିଁ। କେତେକାଂଶରେ ପ୍ରଶାସନ ଅଙ୍କୁଶ ଲଗାଇଲା, ପ୍ରାୟ କ୍ଷେତ୍ରରେ ଲୋକେ ବି ସଚେତନ ହୋଇ ଏ ସବୁରୁ ଦୂରେଇ ରହିଲେ। କିନ୍ତୁ ସବୁରି ମିଳିତ ପ୍ରଭାବ ପଡିଲା ବାଣିଜ୍ୟିକ ନଗରୀ କଟକ ସହରରେ।

ବିଶେଷ କରି ହୋଲସେଲ ବଜାରରେ ଏବେ ଏମିତି ମାନ୍ଦାବସ୍ଥା ଦେଖାଯାଇଛି, ଯାହା ପୂର୍ବରୁ କେବେ ଦେଖାଯାଇନଥିଲା। ଏ ମାନ୍ଦାବସ୍ଥା ବଡ଼ ବିଚିତ୍ର ବୋଲି ବ୍ୟବସାୟୀ କହୁଛନ୍ତି। ରାଜ୍ୟ ତଥା ଦେଶ ବାହାରୁ ସାମଗ୍ରୀ ଆମଦାନୀ ଯେମିତି ପ୍ରଭାବିତ ହୋଇଛି, ସେହି ତୁଳନାରେ ବ୍ୟବସାୟ ମଧ୍ୟ କମିଛି। ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ। ମାଲଗୋଦାମର ବ୍ୟବସାୟ ଯଥେଷ୍ଟ ମାତ୍ରାରେ ମାଡ଼ ଖାଇଲାଣି।

ବନ୍ଦର ଯୋଗେ ବିଭିନ୍ନ ସାମଗ୍ରୀ ଆମଦାନୀ, ରପ୍ତାନୀ କରାଯାଉଥିଲା। କଲିକତା, ପାରାଦୀପ ଓ ବିଶାଖାପାଟଣାରୁ ବିଭିନ୍ନ ସାମଗ୍ରୀ ଓଡ଼ିଶା ଆସିଥାଏ। ସେଥିରୁ ମାଲଗୋଦାମକୁ ପାମୋଲିନ୍, ସନଫ୍ଲାୱାର୍ ତେଲ ଏବଂ ଡାଲି ଜାତୀୟ ଦ୍ରବ୍ୟ ଆଣିଥାନ୍ତି ବ୍ୟବସାୟୀ। ମାଲେସିଆ, ଇଣ୍ଡୋନେସିଆ, ଚିକାଗୋ ଆଦି ଅଞ୍ଚଳରୁ ଆମଦାନୀ ହେଉଥିବା ତୈଳ ଜାତୀୟ ସାମଗ୍ରୀ ମାଲଗୋଦାମକୁ ଆସିଥାଏ। ସେହିପରି କାନାଡ଼ା ଓ ବର୍ମାରୁ ଡାଲି ଜାତୀୟ ସାମଗ୍ରୀ ଆଣି ଏଠାରେ ଗୋଦାମ ମୂଲ୍ୟରେ ବିକ୍ରି କରାଯାଇଥାଏ।

କରୋନା ପ୍ରଭାବରେ ଗତ ମାସେ ହେବ ଆମଦାନୀ ଯଥେଷ୍ଟ ଭାବେ ପ୍ରଭାବିତ ହୋଇଛି। ବ୍ୟବସାୟୀ ହାତଖୋଲା ଭାବେ ସାମଗ୍ରୀ କିଣିପାରୁନାହାନ୍ତି। ଗୋଟିଏ ପଟରେ ସାମଗ୍ରୀ ଆସୁନଥିବା ବେଳେ ଅନ୍ୟପକ୍ଷରେ ଲୋକଙ୍କ ବ୍ୟବହାର ମଧ୍ୟ କମିବାରେ ଲାଗିଲାଣି। କରୋନା ଯୋଗୁଁ ବାହାଘର,ବ୍ରତଘର ଏବଂ ବିଭିନ୍ନ ସଭାସମିତି ବାତିଲ୍ କରାଯାଇଛି। ଫଳରେ କିଣାବିକା ମଧ୍ୟ ହେଉ ନାହିଁ। ସେହିପରି ନନଭେଜ୍ ବା ଆମିଷ ଅଧିକାଂଶ ଲୋକ ଛାଡ଼ିଦେଲେଣି। ଫଳରେ ମାଲଗୋଦାମର ବ୍ୟବସାୟ କମିଛି।

ଗୋଟିଏ ଜାଗାରେ ଏକାଧିକ ଲୋକ ଜମା ହେବା ଉପରେ କଟକଣା ଲାଗିଥିବାରୁ ଲୋକ ମଧ୍ୟ ମାଲଗୋଦାମ ଆସୁ ନାହାନ୍ତି। ବିଭିନ୍ନ ଅଞ୍ଚଳରୁ ବେପାରୀମାନେ ମାଲଗୋଦାମରୁ ଆସି ବିଭିନ୍ନ ସାମଗ୍ରୀ ନେଇ ବ୍ୟବସାୟ କରିଥାନ୍ତି। ହେଲେ ଏବେ ବେପାରୀ ମଧ୍ୟ ଆସୁ ନାହାନ୍ତି।

କଟକ ସମେତ କେନ୍ଦ୍ରାପଡା,ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ତାଳଚେର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଭଳି ବିଭିନ୍ନ ଜିଲ୍ଲା ପ୍ରତ୍ୟେକ୍ଷ ଭାବେ ମାଲଗୋଦାମ ଉପରେ ନିର୍ଭରଶୀଳ। କିନ୍ତୁ ଗତ କିଛି ଦିନ ହେବ ବ୍ୟବସାୟୀ ଆସୁ ନଥିବାରୁ ମାଲଗୋଦାମ ବ୍ୟବସାୟ ପ୍ରଭାବିତ ହୋଇଛି।

Comment