ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରା ବିଶ୍ୱରେ କରୋନା ସମସ୍ତଙ୍କ ନିଦ ହଜାଇଦେଇଛି। ଲୋକମାନେ ନିଜକୁ କରୋନା କବଳରୁ ରକ୍ଷା କରିବା ପାଇଁ ମାସ୍କର ବ୍ୟବହାର କରୁଛନ୍ତି। ଯେଉଁ କାରଣରୁ ବଜାରରେ ମାସ୍କର ଘୋର ଅଭାବ ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ଜୟପୁର ସହରରେ ଲୋକମାନଙ୍କର ଏହି ଅସୁବିଧାକୁ ଦୂର କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ।

ଜୟପୁର ଚନ୍ଦନବାଡ ସାହିର  ଶ୍ରୀ ଲକ୍ଷ୍ମୀ ଗଣପତି  ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ନିଜେ ମାସ୍କ ତିଆରି କରି ବଜାର ଚାହିଦା ମେଣ୍ଟାଉଛନ୍ତି। ମହିଳାମାନେ କପଡ଼ାରେ ମାସ୍କ ତିଆରି କରି ଏହାକୁ ବଜାରରେ ବିକ୍ରି କରୁଛନ୍ତି।ସ୍କୁଲ ଡ୍ରେସ କପଡ଼ାରେ ମାସ୍କ ତିଆରି କରି ଏହି ମହିଳାମାନେ ନିଜର ଗୁଜୁରାଣ ମେଣ୍ଟାଇବା ସହିତ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ଚାହିଦା ପୂରଣ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳାଙ୍କ ସହ ଆଉ ୪୦ ଜଣ ମହିଳା ନିଜକୁ ଏହି କାମରେ ନିୟୋଜିତ କରିଛନ୍ତି।

ମାସ୍କ ତିଆରି କରିବା ପରେ ଏମାନେ ମାସ୍କକୁ ସ୍ଥାନୀୟ ସ୍କୁଲ, କଲେଜ ହଷ୍ଟେଲ ଓ ଔଷଧ ଦୋକାନରେ ବିକ୍ରି କରୁଛନ୍ତି। ଏହାର ଦାମ୍ ୨୦ ଟଙ୍କା ରହିଥିବାବେଳେ ଲୋକମାନେ ମଧ୍ୟ ଏହାକୁ ବେଶ୍ ଆଗ୍ରହର ସହ କିଣି ନେଉଥିବା ଦେଖିବାକୁ ମିଳିଛି।

ଏଠାରେ ନିୟୋଜିତ ହୋଇଥିବା ମହିଳାମାନଙ୍କୁ ସେମାନଙ୍କର କାମ ଅନୁସାରେ ଟଙ୍କା ଦିଆଯାଉଛି। ସେମାନେ ଯେତୋଟି ମାସ୍କ ସିଲେଇ କରିବେ ସେହି ଅନୁସାରେ ସେମାନେ ଟଙ୍କା ପାଇବେ ବୋଲି ସେମାନଙ୍କର ଗ୍ରୁପର ସଭାପତି ତିଜି ଭାରତି ଓ ସମ୍ପାଦିକା ଓ୍ୱାଇ କାନ୍ତା କହିଛନ୍ତି।

Comment