ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନ୍‌ ବେଳେ ବାହାରେ ବୁଲୁଥିବା ମାନସିକ ବିକୃତ ଲୋକଙ୍କୁ ଖାଦ୍ୟ ଯୋଗାଇଲେ ସ୍ଥାନୀୟ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ। ଲକ୍‌ଡାଉନ୍‌ ଯୋଗୁଁ ଜିଲ୍ଲାରେ ତିନିଦିନ ହେବ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହି ସମୟରେ ବାହାରେ ବୁଲୁଥିବା ଲୋକମାନେ ଭୋକ ଉପାସରେ ରହିଛନ୍ତି। ବର୍ତ୍ତମାନ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ଏହି ଯୁବ ଗୋଷ୍ଠୀ।

ଏବେ କରୋନା ପାଇଁ ଲକ୍‌ଡାଉନ୍‌ରେ ସାରା କେନ୍ଦ୍ରାପଡା ଜିଲ୍ଲା। ୩ ଦିନ ହେଲା ସବୁ ବନ୍ଦ। ଦୋକାନ ବଜାର ବନ୍ଦ ହେତୁ ଆଉ ବଜାରରେ ଖାଦ୍ୟ ପଦାର୍ଥ ମିଳୁନି। ଭୋକରେ ଆଉଟୁ ପାଉଟୁ ହେଉଥିବା ଏହି ଲୋକମାନଙ୍କ ପାଇଁ ଏବେ ଦେବଦୂତ ସାଜିଛନ୍ତି ଏହି ଯୁବକମାନେ।

କେନାଲବ୍ରିଜ୍ ଛକ ଅଞ୍ଚଳର ଏହି ଦରଦୀ ଯୁବ ବନ୍ଧୁମାନେ ନିଷ୍ପତ୍ତି କଲେ ଆଖପାଖରେ ଥିବା ଏହି ଭୋକିଲା ପେଟର ସାଥି ବନିବାକୁ। ପରସ୍ପର ମଧ୍ୟରେ ଚାନ୍ଦା ଆଦାୟ କରି ଏମାନଙ୍କ ପାଇଁ ରୋଷେଇ ବ୍ୟବସ୍ଥା କରିଥିଲେ। କେନାଲବ୍ରିଜଠାରୁ ମଙ୍ଗଳପୁର ଛକ, କେନାଲବ୍ରିଜ୍‌ଠାରୁ ଛଘରିଆ ଛକ, କେନାଲବ୍ରିଜ୍‌ଠାରୁ ହଳଦିଆଗଡା ଓ ପାଟକୁରା ରାସ୍ତାର ବିଭିନ୍ନ ଛକ ବଜାରରେ ଥିବା ଏହି ଭୋକିଲା ପେଟର ମଣିଷଙ୍କୁ ଖୋଜିଖୋଜି ରନ୍ଧା ଖାଦ୍ୟ ଓ ପାଣି ପାଉଚ୍ ପରସି ଥିଲେ।

ଏପରି ଏକ ଖବର ନିକଟସ୍ଥ ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦୀ ବେହେରାଙ୍କ ମନକୁ ଛୁଇଁଥିଲା। ଆଇଆଇସି ମଧ୍ୟ ଏହି ଭୋକିଲା ପେଟର ସାଥୀମାନଙ୍କ ସହ ସାଥୀ ହୋଇଥିଲେ। ଯାହା ଏହି ଯୁବ ଗୋଷ୍ଠୀଙ୍କୁ ପ୍ରତ୍ସାହିତ କରିଥିଲା। ଏମିତି କରୋନା ଲକ୍‌ଡାଉନ୍‌ ବଳବତ୍ତର ରହିଥିବା ଯାଏଁ ଏହି ଭୋକିଲା ପେଟକୁ ଦାନା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଏମାନେ।

ଆଜି ଏମିତି ୩୫ ଜଣଙ୍କୁ ଆହାର ଯୋଗାଇବା ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ଏହାର ପରିସୀମା ବୃଦ୍ଧି କରିବାକୁ ଯୋଜନା ହୋଇଛି। ଏଥିରେ ଆହୁରି ଲୋକ ମଧ୍ୟ ଯୋଗ ଦେବାର ଯୋଜନା ହେଉଛି।

Comment