ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରାବିଶ୍ୱରେ ଏବେ କରୋନା ଚିନ୍ତା। ଏହି ପ୍ରାଣଘାତୀ ଭାଇରସକୁ ପ୍ରତିରୋଧ କରିବା ଲାଗି ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର। ଲୋକଙ୍କୁ ଭାଇରସରୁ ସୁରକ୍ଷିତ ରଖିବାକୁ ୨୧ ଦିନ ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି। ଲକଡାଉନ ବେଳେ ଦେଶବାସୀ ନିଜ ଘରେ ରହନ୍ତୁ ଓ ସୁରକ୍ଷିତ ରହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତିା ଏମିତି ସ୍ଥିତିରେ ଲୋକଙ୍କ ସେବା ପାଇଁ ପରିବାରକୁ ଛାଡ଼ି ଯିଏ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଘରୁ ପାଦ କାଢୁଛନ୍ତି ସେ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ। ସେମାନଙ୍କୁ କରୋନା ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ଓ ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଅଧିକ ଆସିଥାନ୍ତି। ଏମିତି ସମୟରେ ସ୍ୱାସ୍ଥ୍ୟକର୍ମୀ କିଭଳି ନିଜର ଦାୟିତ୍ୱ ନେବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।
ନିଜ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ
ଡ୍ୟୁଟିରେ ଥିବା ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ନିଜ ସୁରକ୍ଷା କଥା ବି ଚିନ୍ତା କରିବା ଆବଶ୍ୟକ। ରୋଗୀଙ୍କ ଚିକିତ୍ସା କଲାବେଳେ ସତର୍କ ରହନ୍ତୁ। ନିଜ ସୁରକ୍ଷ ଆବଶ୍ୟକ ଜିନିଷର ବ୍ୟବହାର କରନ୍ତୁ।
ଆବଶ୍ୟକ ପରିମାଣର ବିଶ୍ରାମ ନିଅନ୍ତୁ
ସ୍ୱାସ୍ଥ୍ୟକର୍ମୀମାନେ ନିଶ୍ଚୟ ଆବଶ୍ୟକ ପରିମାଣର ବିଶ୍ରାମ ନେବା ଦରକାର। ସାଧାରଣତଃ ସ୍ୱାସ୍ଥ୍ୟକର୍ମୀ ଶିଫ୍ଟ ଅନୁସାରେ କାମ କରିଥାନ୍ତି। ସେଥିପାଇଁ ନିଜ ଶିଫ୍ଟ ପରେ ବିରତୀ ନେଇ ବିଶ୍ରାମ କରନ୍ତୁ।
ସୁସ୍ଥକର ଖାଦ୍ୟ ଖାଆନ୍ତୁ
ସ୍ୱାସ୍ଥ୍ୟକର୍ମୀମାନେ ଅନ୍ୟମାନଙ୍କୁ ସବୁବେଳେ ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇଥାନ୍ତି। କାମ ବ୍ୟସ୍ତତା ହେଉ ବା ଅନ୍ୟ କିଛି କାରଣରୁ ସେମାନେ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରୁଥିବା ଦେଖିବାକୁ ମିଳେ। କିନ୍ତୁ ଏହା ଭୁଲ। ସ୍ୱାସ୍ଥ୍ୟକର୍ମୀ ନିଜ ଯତ୍ନବାନ ହେବା ମଧ୍ୟ ଦରକାର। ସେଥିପାଇଁ ସେମାନେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ।
ବ୍ୟାୟମ କରିବା ଆବଶ୍ୟକ
ସ୍ୱାସ୍ଥ୍ୟକର୍ମୀ ନିଜକୁ ଫିଟ୍ ତଥା ଆକ୍ଟିଭ ରଖିବା ପାଇଁ ବ୍ୟାୟାମ କରିବା ଆବଶ୍ୟକ। କିଛି ସମୟ ପ୍ରକୃତି ସହ ବିତାଇବା ଦରକାର। ଏହାଦ୍ୱାରା ସେମାନେ ନିଜକୁ ଫୁର୍ତ୍ତି ଅନୁଭବ କରିବେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିବ।
ପରିବାର ସହ ଯୋଡ଼ି ହୋଇ ରହନ୍ତୁ
ସ୍ୱାସ୍ଥ୍ୟକର୍ମୀ ନିଜ କର୍ତ୍ତବ୍ୟ ପାଳନ ପାଇଁ ଅଧିକାଂଶ ସମୟ ଘର ଓ ପରିବାରଠାରୁ ଦୂରରେ ରହିଥାନ୍ତି। ସେଥିପଇଁ ଫୋନ ଯୋଗେ ହେଉ ବା ସୋସିଆଲ ମିଡିଆ ସେମାନେ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ଯୋଡ଼ି ହେବା ଦରକାର।

















