ନୀଳାମ୍ବର ରଥ
ଏମ୍ଏସ୍ଏମ୍ଇ ବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବାଙ୍ଗାଲୋରରେ ରହୁଥିବା ଓଡ଼ିଆ ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଓମ୍ ପ୍ରକାଶ ଜଗତିଙ୍କ ପରାମର୍ଶ।
- ଅନ୍ତତଃ ୬ ମାସ ପାଇଁ ଆମକୁ ମାନସିକ ଭାବରେ ପ୍ରସ୍ତୁତ ରହିବାକୁ ପଡ଼ିବ।
- ଅଭିଜ୍ଞ କର୍ମଚାରୀମାନଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଛଟେଇ କରିବା ଠିକ୍ ହେବ ନାହିଁ।
- କିଭଳି ବ୍ୟାପକ ଛଟେଇ ନହେବ ସେ ଦିଗରେ ଘରୋଇ ସଂସ୍ଥାମାନଙ୍କ ପ୍ରତି ସରକାରଙ୍କର ମଧ୍ୟ କିଛିଟା ଭୂମିକା ରହିଛି।
- ଏମ୍ଏସ୍ଏମ୍ଇ ଆଇନର ଧାରା-୧୫ରେ ସଂଶୋଧନ ଆଣି ଏମ୍ଏସ୍ଏମ୍ଇମାନେ ଦେୟ ପାଇବାର ସମୟ ସୀମା ୧୫ ଦିନକୁ ହ୍ରାସ କଲେ ଭଲ ହେବ।
- ବ୍ୟବସାୟିକ ବ୍ୟାଙ୍କମାନେ ଏମ୍ଏସ୍ଏମ୍ଇକୁ ଦେଇଥିବା ଟର୍ମ ଲୋନ୍ କ୍ଷେତ୍ରରେ ୧ ବର୍ଷ ପାଇଁ ଋଣ ପରିଶୋଧକୁ ସ୍ଥଗିତ ରଖିବା ଉଚିତ।
- ୱାର୍କିଂ କ୍ୟାପିଟାଲ୍ କ୍ଷେତ୍ରରେ ଋଣ ରାଶିର ସର୍ବୋଚ୍ଚ ସୀମାକୁ ମଧ୍ୟ ଦୁଇଗୁଣ କରିବାକୁ ପରାମର୍ଶ।
- ରାଜ୍ୟ ସରକାରମାନେ ନିଜ ରାଜ୍ୟରେ କାର୍ଯ୍ୟରତ ଏମ୍ଏସ୍ଏମ୍ଇ ସଂସ୍ଥାମାନଙ୍କ ପାଇଁ ଅନ୍ତତଃ ୧ ବର୍ଷ ପାଇଁ ମାଗଣାରେ ବିଜୁଳି ଯୋଗାଇଦେବା ଉଚିତ।
- ଯେଉଁ ସଂସ୍ଥାମାନେ ରୋବୋଟ୍ କିଣିବାକୁ ଚାହିଁବେ ସେମାନଙ୍କୁ ଆକର୍ଷଣୀୟ ସବସିଡ୍ ପ୍ରଦାନ କରିବାକୁ ପରାମର୍ଶ।
କରୋନା ଭାଇରସ୍ ସଂକ୍ରମଣ ପରିପ୍ରେକ୍ଷୀରେ ଏବେ ସାରା ଦେଶରେ ଲକ୍ଡାଉନ୍ ପରିସ୍ଥିତି। କେବଳ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଆଉ ସବୁ ବ୍ୟବସାୟରେ ତାଲା। ଏହି ପରିସ୍ଥିତି କେତେଦିନ ଧରି ଚାଲୁ ରହିବ ଏବଂ ଏହାର ଭାରତୀୟ ଶିଳ୍ପ ଓ ବ୍ୟବସାୟ ଜଗତ ଉପରେ କେତେ ଗଭୀର ପ୍ରଭାବ ପଡ଼ିବ ସେ ବିଷୟରେ କିଛି କଳ୍ପନା କରିବା ସହଜ ମନେହେଉନାହିଁ। ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଦେଶର ଛୋଟ ଛୋଟ ବ୍ୟବସାୟକୁ ଏହି ମହାମାରୀ ଏକପ୍ରକାର ଧୂଳିସାତ୍ କରିବାକୁ ବସିଛି।
କରୋନା ପ୍ରଭାବରେ ଆଗାମୀ ୩ରୁ ୬ ମାସ ସମୟ ଭାରତୀୟ ଶିଳ୍ପ ଜଗତ ପାଇଁ ଅତ୍ୟନ୍ତ ଜଟିଳ ମନେହେଉଛି। ଏହି କାରଣରୁ ଏବେ ଦେଶର ଛୋଟ ଛୋଟ ଶିଳ୍ପ ସଂସ୍ଥା ନିଜକୁ କିପରି ବଞ୍ଚାଇ ରଖିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକ ଆଗାମୀ ଦିନରେ ଚାକିରି ହରାଇବାର ଆଶଙ୍କା ମଧ୍ୟ ଦେଖାଗଲାଣି। ହେଲେ ଏହି ହତାଶା ଭିତରେ ଆଶାର ଏକ ନୂତନ ଆଲୋକ ଦେଖୁଛନ୍ତି ବିଶେଷଜ୍ଞ।
“ଅର୍ଥନୀତି ଯେତେବେଳେ କୌଣସି ଗୁରୁତର ସଂକଟ ମଧ୍ୟରେ ଗତି କରିଛି, ପରବର୍ତ୍ତୀ ସମୟରେ ଏହା ସୁଯୋଗର ଭଣ୍ଡାର ସୃଷ୍ଟି କରିଛି। ଆପଣ ଯଦି ଅର୍ଥନୀତିର ଇତିହାସ ପଢ଼ିବେ ତେବେ ଜାଣିବାକୁ ପାଇବେ ଯେ ୩୦ ଦଶକରେ ବିଶ୍ୱ ଅର୍ଥନୀତି ଚରମ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ଏଥିରୁ ନିସ୍ତାର ପାଇବା ପୂର୍ବରୁ ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ସମଗ୍ର ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ଧନଜୀବନ ସହିତ କଳକାରଖାନା ଭିତ୍ତିଭୂମି ଇତ୍ୟାଦିର ପ୍ରବଳ କ୍ଷୟକ୍ଷତି ଘଟିଥିଲା। କିନ୍ତୁ ବିଶ୍ୱଯୁଦ୍ଧ ସରିଲା ପରେ ବିଗିଡ଼ି ଯାଇଥିବା ଅର୍ଥନୀତିକୁ ପୁଣି ସଜାଡ଼ିବାକୁ ପ୍ରୟାସ ଆରମ୍ଭ ହୋଇଯାଇଥିଲା”, କହିଛନ୍ତି ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଓମ୍ ପ୍ରକାଶ ଜଗତି।
ଶ୍ରୀଯୁକ୍ତ ଜଗତି ବାଙ୍ଗାଲୋରସ୍ଥିତ ଫାଉଲର୍ ୱେଷ୍ଟ୍ଟ୍ରପ୍ କମ୍ପାନିରେ ସିନିୟର୍ ଭାଇସ୍ପ୍ରେସିଡେଣ୍ଟ୍ (ଫାଇନାନ୍ସ ଆଣ୍ଡ ଲିଗାଲ୍) ଭାବେ କାମ କରନ୍ତି।
“ଦେଶମାନେ ପୁଣି ଥରେ ଧିରେ ଧିରେ ବିକାଶ ପଥକୁ ଫେରି ଆସିଲେ। ତେବେ ବିଶ୍ୱଯୁଦ୍ଧରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜାପାନ ଏବଂ ଜର୍ମାନୀ କିଛି ବର୍ଷ ମଧ୍ୟରେ ବିଶ୍ୱ ଅର୍ଥନୀତିରେ ପ୍ରଥମ ପାଞ୍ଚଟି ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇପାରିଥିଲେ। ମୋର ବିଶ୍ୱାସ ଯେ, କୋଭିଡ୍-୧୯ର ସଂକଟ ଅତିକ୍ରମ ହୋଇଗଲା ପରେ ଭାରତର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ (ଏସ୍ଏମ୍ଇ) ପୁଣିଥରେ ବିକାଶ ପଥକୁ ଫେରିଆସିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ଧୈର୍ଯ୍ୟର ସହ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। ମୋ ମତରେ ଅନ୍ତତଃ ୬ ମାସ ପାଇଁ ମାନସିକ ଭାବରେ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ’’, ଏହି ଆଶା ସୃଷ୍ଟି କରିଛନ୍ତି ଓମ୍ ପ୍ରକାଶ ଜଗତି।
ବର୍ତ୍ତମାନ ସାରା ପୃଥିବୀରେ ଛଟେଇର ଋତୁ। ଆମ ଦେଶରେ ମଧ୍ୟ ସେହିଭଳି ପାଣିପାଗ ବହିଲାଣି। ତେବେ କୋଭିଡ୍-୧୯ର ମାଡ଼ ଭିତରେ ଏମ୍ଏସ୍ଏମ୍ଇମାନେ କିଭଳି ନିଜର କର୍ମଚାରୀମାନଙ୍କୁ ସମ୍ଭାଳି ରଖିବେ? ଚାରିଆଡ଼େ ଏବେ ଏ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି।
ଏହି ବିଷୟରେ ଓମ୍ ପ୍ରକାଶ ଜଗତି କହିଛନ୍ତି, “ଏମ୍ଏସ୍ଏମ୍ଇ ସଂସ୍ଥାଗୁଡ଼ିକ ପାଇଁ ମାନବସମ୍ବଳ ଅତି ଗୁରୁତ୍ୱପୂର୍ଣ୍ଣ। ସେମାନେ ବଡ଼ ବଡ଼ କମ୍ପାନିମାନଙ୍କ ଭଳି ଅତି ଦକ୍ଷ ଓ ଅନୁଭୂତିସଂପନ୍ନ ବ୍ୟକ୍ତିମାନଙ୍କୁ ମୋଟା ଅଙ୍କର ଦରମା ଦେଇ ନିଯୁକ୍ତ କରିପାରି ନଥାନ୍ତି। ହେଲେ ଏମ୍ଏସ୍ଏମ୍ଇମାନେ ଅପେକ୍ଷାକୃତ କମ୍ ଦରମାରେ, ଅପେକ୍ଷାକୃତ କମ୍ ଶିକ୍ଷାଗତ ଯୋଗ୍ୟତା ଓ ଅଳ୍ପ ଅନୁଭୂତିସଂପନ୍ନ ଲୋକଙ୍କୁ ନେଇ, ସେମାନଙ୍କୁ ତାଲିମ ଦେଇ ନିଜର ମାନବସମ୍ବଳ ଗଢ଼ିଥା’ନ୍ତି। ତେଣୁ ଅଭିଜ୍ଞ କର୍ମଚାରୀମାନଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଛଟେଇ କରିବା ଆଦୌ ଠିକ୍ ହେବ ନାହିଁ। ବରଂ ଆସନ୍ତା ୬ ମାସ ପାଇଁ ସେମାନେ କିପରି ନିଜର ଦରମା ଠିକ୍ ସମୟରେ ପାଇପାରିବେ ତା’ର ବ୍ୟବସ୍ଥା କରିପାରିଲେ ଏମ୍ଏସ୍ଏମ୍ଇ ସଂସ୍ଥାଗୁଡ଼ିକ ମାନବସମ୍ବଳଜନିତ ସଂକଟକୁ ଏଡ଼ାଇଦେଇ ପାରିବେ। ଏ ଦିଗରେ ସରକାରଙ୍କର ମଧ୍ୟ କିଛି ଦାୟିତ୍ୱ ରହିଛି।’’
ଏମ୍ଏସ୍ଏମ୍ଇ ଆଇନର ଧାରା-୧୫ ଅନୁସାରେ ଯଦି କୌଣସି ଏମ୍ଏସ୍ଏମ୍ଇ ସଂସ୍ଥା କିଛି ସାମଗ୍ରୀ କିମ୍ବା ସେବା ଯୋଗାଇଥିବେ ତେବେ ଏଥିପାଇଁ ତାଙ୍କୁ ସର୍ବାଧିକ ୪୫ ଦିନ ମଧ୍ୟରେ ଦେୟ ମିଳିଯିବା ଉଚିତ। ସରକାର ଏହି ଆଇନରେ ଆବଶ୍ୟକ ସଂଶୋଧନ ଆଣି ଏହି ସମୟସୀମା ୧୫ ଦିନକୁ ହ୍ରାସ କଲେ ଭଲ ହୁଅନ୍ତା ବୋଲି କହିଛନ୍ତି ଶ୍ରୀଯୁକ୍ତ ଜଗତି।
କେବଳ ସେତିକି ନୁହେଁ, ବର୍ତ୍ତମାନ ପରିସ୍ଥିତିରେ ବ୍ୟବସାୟିକ ବ୍ୟାଙ୍କମାନେ ଏମ୍ଏସ୍ଏମ୍ଇ ସଂସ୍ଥାଗୁଡ଼ିକୁ ଦେଇଥିବା ଟର୍ମଲୋନ୍ କ୍ଷେତ୍ରରେ ୧ ବର୍ଷ ମୋରାଟୋରିଅମ୍ ବା ଋଣ ପରିଶୋଧକୁ ସ୍ଥଗିତ ରଖିବା ଉଚିତ ମନେହୁଏ। ତା’ ଛଡ଼ା ୱାର୍କିଂ କ୍ୟାପିଟାଲ୍ କ୍ଷେତ୍ରରେ ଋଣ ରାଶିର ସର୍ବୋଚ୍ଚ ସୀମାକୁ ଦୁଇଗୁଣ କରିବା ମଧ୍ୟ ଦରକାର। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଲେ ସରକାରୀ ଓ ବ୍ୟବସାୟିକ ବ୍ୟାଙ୍କମାନେ ଏହି ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସମର୍ଥ ହୋଇପାରିବେ ବୋଲି ସେ କହିଛନ୍ତି।
ରାଜ୍ୟ ସରକାରମାନେ ନିଜ ରାଜ୍ୟରେ କାର୍ଯ୍ୟରତ ଏମ୍ଏସ୍ଏମ୍ଇ ସଂସ୍ଥାମାନଙ୍କ ପାଇଁ ଅନ୍ତତଃ ୧ ବର୍ଷ ପାଇଁ ମାଗଣାରେ ବିଜୁଳି ଯୋଗାଇଦେବା ଉଚିତ ହେବ। ତା’ ସାଙ୍ଗକୁ ଏହି ସଂସ୍ଥାମାନେ ରୋବୋଟ୍ କିଣିବାକୁ ଚାହୁଁଥିଲେ ସରକାର ଆକର୍ଷଣୀୟ ସବସିଡ୍ ପ୍ରଦାନ କରିବାକୁ ଜଗତି ପରାମର୍ଶ ଦେଇଛନ୍ତି।
ଉଭୟ ଉତ୍ପାଦନ ଓ ସେବା କ୍ଷେତ୍ରରେ ନିୟୋଜିତ ଏମ୍ଏସ୍ଏମ୍ଇ ସଂସ୍ଥାଗୁଡ଼ିକ ଦେଶର ଅର୍ଥନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିଥାନ୍ତି। ଦେଶର ମୋଟ ଘରୋଇ ଉତ୍ପାଦର ୩୦ ପ୍ରତିଶତ ଏହି ଶିଳ୍ପସମୂହଠାରୁ ଆସିଥାଏ। ଦେଶରୁ ହେଉଥିବା ବିଭିନ୍ନ ରପ୍ତାନିର ପ୍ରାୟ ୪୫ ପ୍ରତିଶତ ମଧ୍ୟ ଏହି ସଂସ୍ଥାମାନେ କରିଥାନ୍ତି। ସେହିପରି ଦେଶର ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ ଏକ ସିଂହ ଭାଗ ତୁଲାଇଥାଏ। ତେଣୁ ଦେଶର ଅର୍ଥନୀତି ଏବଂ ନିଯୁକ୍ତି ଦୃଷ୍ଟିରୁ ବିଚାର କଲେ ବର୍ତ୍ତମାନର କରୋନା ପରିସ୍ଥିତିରେ ଏମ୍ଏସ୍ଏମ୍ଇର ଯେଉଁ କ୍ଷତି ହେବାକୁ ଯାଉଛି ତାକୁ ସମ୍ଭାଳିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ)