ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସ୍ କାରଣରୁ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ବନ୍ଦ କରିଦିଆଯାଇଛି।  ରାଜ୍ୟରେ କରୋନା କଟକଣା ଚାଲିଥିବାରୁ ପ୍ରଶାସନ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନି ବୋଲି ସିଧା ସିଧା କହିଦେଇଛି।

ଶନିବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସୀତାଂଶୁ କୁମାର ରାଉତ ଏନେଇ ସେବାୟତମାନଙ୍କୁ ଜଣାଇଦେଇଛନ୍ତି। ଫଳରେ ବହୁ ବର୍ଷଧରି ଚାଲୁଆସୁଥିବା ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥରେ ଏଥର ବ୍ରେକ୍ ଲାଗିଛି।

ଲକଡାଉନ୍ ସମୟରେ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବନି ବୋଲି ବିଜ୍ଞପ୍ତି ଜାରି ହୋଇଛି। ତେଣୁ ପ୍ରଶାସନ ନିୟମ ଉଲ୍ଲଙ୍ଘନ କରି ରଥଯାତ୍ରା କରିବନି ବୋଲି କହିଦେଇଛି। ରଥଯାତ୍ରା ହେଲେ ଏହାକୁ ଦର୍ଶନ କରିବାକୁ ଅନେକ ଭକ୍ତଙ୍କ ସମାଗମ ହୋଇପାରେ। ଯାହା କରୋନା ଭାଇରସ ସଂକ୍ରମଣକୁ ବୃଦ୍ଧି କରିବ। ତେଣୁ କରୋନା ସଂକ୍ରମଣକୁ ରୋକିବାକୁ ଏଥର ରୁକୁଣା ରଥଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ବହୁଦିନ ଧରି ରଥଗଢ଼ା କାମରେ ନିୟୋଜିତ ହୋଇତିବା ମହାରଣା ସେବକମାନଙ୍କ କାମ ବୃଥା ହୋଇଛି। ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକିଥିଲା। ତେଣୁ ରଥ ନିର୍ମାଣର ସମ୍ପୂର୍ଣ୍ଣ କାମ ଶେଷ ହେବା ଉପରେ ଥିଲା। ଏଭଳି ସମୟରେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ମହାରଣା ସେବକମାନେ ଗ୍ରହଣ କରିପାରୁନାହାନ୍ତି।

Comment