ଓଡ଼ିଶାଲାଇଭ୍ବ୍ୟୁରୋ

ପୁଣି ଏକାଠି ହେବେ ସୁନୀଲ ଗ୍ରୋଭର ଓ କପିଲ ଶର୍ମା। ପୁନଃ ପ୍ରସାରଣ ହେବାକୁ ଯାଉଛି ‘ଦ କପିଲ ଶର୍ମା ଶୋ’ର ପୁରୁଣା ଏପିସୋଡ।

କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସୀ ଖବର। ପୁଣିଥରେ ଟେଲିଭିଜନ ପରଦାରେ ଏକାଠି ହେବାକୁ ଯାଉଛନ୍ତି କପିଲ ଶର୍ମା ଓ ସୁନୀଲ ଗ୍ରୋଭର। ଦୁହିଁଙ୍କ ମଧ୍ୟରେ ବିବାଦ ପରେ ଦୁହିଁଙ୍କୁ ପୁଣି ଏକାଠି ଦେଖିବାକୁ ଉତ୍ସାହର ସହ ଚାହିଁ ରହିଥିଲେ ଫ୍ୟାନ। ତେବେ ଦୁହେଁ ଏବେ କୌଣସି ନୂଆ ପ୍ରୋଜେକ୍ଟରେ କାମ କରୁନାହାନ୍ତି। ବରଂ ‘ଦ କପିଲ ଶର୍ମା ଶୋ’ର ପୁରୁଣା ଏପିସୋଡକୁ ପୁନଃ ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଟେଲିଭିଜନରେ ଦୁହିଁଙ୍କୁ ଆଉଥରେ ଏକାଠି ଦେଖିବାକୁ ମିଳିବ।

‘ଦ କପିଲ ଶର୍ମା ଶୋ’ର ପୁରୁଣା ଏପିସୋଡ ପୁନଃ ପ୍ରସାରିତ ହେବାକୁ ଯାଉଛି। ଆଉଥରେ ଡାକ୍ତର ମଶହୁର ଗୁଲାଟି ଏବଂ ଗୁତ୍ଥୀ ଫ୍ୟାନ୍‌ମାନଙ୍କୁ ହସାଇ ହସାଇ ବେଦମ କରିବେ। ଏଭଳି ଖବର ପାଇବା ପରେ ଫ୍ୟାନମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ସମସ୍ତ ପ୍ରକାରର ସୁଟିଂ ଉପରେ କଟକଣା ଜାରି କରାଯାଇଛି। ଫଳରେ ‘ଦ କପିଲ ଶର୍ମା ଶୋ’ର ନୂଆ ଏପିସୋଡ ସୁଟିଂ ହୋଇ ପାରିନାହିଁ। ଏଭଳି ପରିସ୍ଥିତିରେ ଲକ୍‌ଡାଉନ ବେଳେ ଘରେ ରହିଥିବା ଲୋକମାନଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇବା ପାଇଁ କପିଲ ଶର୍ମା ଓ ତାଙ୍କ ଟିମ ଏହି ନିଷ୍ପତ୍ତି ନେଇଛନ୍ତି।

ସୁନୀଲ ଗ୍ରୋଭରଙ୍କ କ୍ୟାରିୟର ପାଇଁ ‘ଦ କପିଲ ଶର୍ମା ଶୋ’ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଏହି ଶୋ’ରେ ଡାକ୍ତର ମଶହୁର ଗୁଲାଟି, ଗୁତ୍ଥୀ ଓ ରିଙ୍କୁ ଭାଉଜ ଚରିତ୍ର ଦର୍ଶକଙ୍କୁ ଖୁବ୍ ହସାଇଥିଲା।

ଅଷ୍ଟ୍ରେଲିଆରୁ ଏକ ଶୋ କରି ଫେରିବା ବେଳେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ କିଛି କଥାକୁ ନେଇ ବିବାଦ ହୋଇଥିଲା। ଏହାପରେ ସୁନୀଲ ଗ୍ରୋଭର ‘ଦ କପିଲ ଶର୍ମା ଶୋ’କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ଶୋ’କୁ କେବେ ଫେରିନଥିଲେ। ଦୁହେଁ ବହୁ କମ ସମୟ ଏକାଠି ଦେଖାଯାଇଥାନ୍ତି। ତେବେ ଦୁହେଁ ସୋସିଆଲ ମିଡିଆରେ ପରସ୍ପର ସହ ଖୁବ ମଜା ମସ୍ତି କରୁଥିବା ନଜର ଆସିଛି।

ଲକ୍‌ଡାଉନ ଯୋଗୁଁ ରାମାୟଣ, ମହାଭାରତ ଓ ଶକ୍ତିମାନ୍ ଭଳି ଲୋକପ୍ରିୟ ସିରିଏଲ୍ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଥିଲା ଦୂରଦର୍ଶନ। ଏହାପରେ ଏବେ ସୋନି ଟିଭି ମଧ୍ୟ ଦ କପିଲ ଶର୍ମା ଶୋର ପୁରୁଣା ଏପିସୋଡକୁ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି।

Comment