ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ଦିନରାତି ଲୋକଙ୍କ ସେବାରେ ଡାକ୍ତର ରାଜବୀର ସିଂହ।

କରୋନା ଭାଇରସର ଲଢ଼େଇରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ବି ଆଣ୍ଠୁମାଡ଼ି ବସିଛନ୍ତି। କିଏ ଏହାକୁ ମୂଳପୋଛ କରିବା ପାଇଁ ସଂଘର୍ଷ ଚଳାଇଥିବା ବେଳେ କିଏ ଦୁଃଖରେ ଭାଙ୍ଗିପଡ଼ୁଛି। ଭାରତରେ ବି କରୋନା ସଂକ୍ରମିତ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଟି ଲୋକ ଏବେ ଚିନ୍ତାରେ। ଲୋକଙ୍କୁ ଚିକିତ୍ସା କରିବାରେ ବି ଅହରହ ଲାଗିଛନ୍ତି ଭାରତୀୟ ଡାକ୍ତର। ଭାରତୀୟ ସ୍ୱାସ୍ଥ୍ୟକର୍ମୀ ବିନା କିଛି ଅଭିଯୋଗରେ ପାଚେରୀ ଭଳି ଠିଆ ହୋଇ ରହିଛନ୍ତି।

ରାଜସ୍ଥାନର ବିଭିନ୍ନ ଗ୍ରାମପଞ୍ଚାୟତରେ ଡାକ୍ତରମାନେ ଦିନରାତି ସେମାନଙ୍କ ସେବା ପ୍ରଦାନ କରୁଛନ୍ତି। ଜଣେ ଡାକ୍ତର ରାଜବୀର ସିଂହ କହିଛନ୍ତି, ‘‘ଏହା ଏକ ଯୁଦ୍ଧ ଓ ଆମେ ଲଢ଼େଇ କରୁଛୁ। ଗତ ୧୫ ଦିନ ହେବ ଘରକୁ ଯାଇନି ଏବଂ ମୁଁ ଘରକୁ ଏଥିପାଇଁ ବି ଯାଉନି କାରଣ ଯଦି ମତେ ଇନ୍‌ଫେକ୍ସନ୍‌ ହୁଏ, ତେବେ ମୋ ପରିବାରକୁ ବି ହେବ। ତା’ଠାରୁ ଭଲ ଏଠି ରହି ଲୋକଙ୍କ ସେବା କରିବା।’’

ରାଜସ୍ଥାନର ଭରତପୁର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଡାକ୍ତର ରାଜବୀର ସିଂହଙ୍କୁ ପୋଷ୍ଟ କରାଯାଇଛି। ଏହି ଭୂତାଣୁ ରାଜ୍ୟକୁ ପ୍ରବେଶ ନ କରିବା ପାଇଁ ସେ ଗତ ଏକ ସପ୍ତାହ ଧରି କାର୍ଯ୍ୟ କରିଆସୁଛନ୍ତି। ସୀମା ଅଞ୍ଚଳରେ ରହି ରାଜ୍ୟ ଭିତରକୁ ପ୍ରବେଶ କରୁଥିବା ପ୍ରତିଟି ଲୋକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝୁଛନ୍ତି। ଲୋକଙ୍କୁ ସେମାନଙ୍କର କରୋନା ସମ୍ପର୍କିତ ଲକ୍ଷଣ ଅଛି କି ନାହିଁ ପଚାରି ଛାଡ଼ୁଛନ୍ତି।

ସେ କହିନ୍ତି, ‘‘ମୋ’ ପାଖରେ ନା ଗ୍ଲୋବ୍‌ସ ନା କୌଣସି କିଟ୍‌ ଅଛି। କେବଳ ଗୋଟିଏ ସାନିଟାଇଜର ଅଛି। ମୁଁ କେବଳ ଲକ୍ଷଣ ବିଷୟରେ ପଚାରୁଛୁ ଏବଂ ଲୋକଙ୍କୁ ପରାମର୍ଶ ଦେଉଛୁ। ସେମାନଙ୍କ ସହ କଥା ହେବା ବେଳେ ସାମାଜିକ ଦୂରତା ମଧ୍ୟ ରକ୍ଷା କରୁଛି।’’

ଡାକ୍ତର ରାଜବୀର ରାଜସ୍ଥାନ ସୀମାରେ ରାଜ୍ୟବାସୀଙ୍କୁ କରୋନା ଭୂତାଣୁରୁ ରକ୍ଷା କରିବା ପାଇଁ ସୈନିକ ଭଳି ସୀମାରେ ଅହରହ ଜଗି ରହୁଛନ୍ତି।

Comment