ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଚୀନ୍ର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସମଗ୍ର ବିଶ୍ୱରେ କାୟା ମେଲାଇଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ଶହ ଶହକୁ ବୃଦ୍ଧି ପାଉଥିବା ବେଳେ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି। ଗୋଟେ ପଟେ ଏହି ଭୂତାଣୁ ଯୋଗୁଁ ଭୟର ବାତାବରଣ ସୃଷ୍ଟି ହେଉଥିବା ବେଳେ ଗୋଟେପଟେ ଲୋକଙ୍କ ଆଶା ଅଛି ଯେ, ଏହି ଭୂତାଣୁ ବି ଦିନେ ହାରିବ ଓ ଲୋକମାନେ ସୁସ୍ଥ ହୋଇ ଘରକୁ ଫେରିବେ।
କରୋନା ଭୂତାଣୁ ସଂକ୍ରମିତ ପ୍ରତ୍ୟେକ ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ଅନୁଭୂତି ରହିଛି। କେତେକ ଲୋକଙ୍କ ପାଖରେ ଅଳ୍ପ ଲକ୍ଷଣ ଦେଖାଦେଇଥିବା ବେଳେ କେତେକଙ୍କର ସ୍ୱାସ୍ଥ୍ୟ ଜଟିଳ ହୋଇପଡ଼ିଛି। ଆମେ ଆଜି ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ, ଯେ ନିଜ ଗର୍ଭସ୍ଥ ପିଲା ପାଇଁ କରୋନା ସହ ଲଢ଼େଇ ଜାରି ରଖିଛନ୍ତି।
ମୁଁ ମୋ’ ଶିଶୁ ପାଇଁ ଲଢ଼ୁଛି
ଦକ୍ଷିଣ ପୂର୍ବ ଇଂଲଣ୍ଡର କେଣ୍ଟ ଟାଉନର ହର୍ନେ ଓ୍ୱେ ଅଞ୍ଚଳରେ ରହୁଥିବା କରେନ ମେନରିଂ ୬ ମାସର ଗର୍ଭବତୀ। ତାଙ୍କର ଚତୁର୍ଥ ସନ୍ତାନ ହେବାକୁ ଯାଉଛି। ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ବେଳେକୁ କରେନଙ୍କୁ ସାମାନ୍ୟ କାଶ ହୋଇଥିଲା। କାଶ ପରେ ପରେ ତାଙ୍କୁ ଜ୍ୱର ହୋଇଥିଲା। ଧୀରେ ଧୀରେ ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏହାପରେ କରେନ ହେଲ୍ପଲାଇନକୁ ଫୋନ୍ କରି ଆମ୍ବୁଲାନ୍ସ ଡାକିଥିଲେ। କିଛି ମିନିଟରେ ଆମ୍ବୁଲାନ୍ସ ତାଙ୍କ ଘରକୁ ଆସିଥିଲା।
‘‘ମୁଁ ଧୀରେ ଧୀରେ ନିଶ୍ୱାସ ନେଇ ପାରିଲି ନାହିଁ, ତେଣୁ ଆମ୍ବୁଲାନ୍ସରେ ଥିବା ଆଟେଣ୍ଡାଣ୍ଟ ମତେ ଅମ୍ଳଜାନ ଦେବା ଆରମ୍ଭ କଲେ।”
ସେ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କ ସାମ୍ପୁଲ ପରୀକ୍ଷା ହୋଇଥିଲା ଓ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ଅଲଗା ରଖିଥିଲା। ଡାକ୍ତରଖାନାର ଏକ କୋଠରୀରେ ସାତ ଦିନ ପାଇଁ ତାଙ୍କୁ ଆଇୋଲେସନ୍ରେ ରଖାଯାଇଥିଲା।
ସେ କହନ୍ତି, “କାହାକୁ ମୋ’ ରୁମକୁ ଆସି ମତେ ଭେଟିବାକୁ ଅନୁମତି ଦିଆଗଲା ନାହିଁ। ମୁଁ ସେଠାରେ ପୂରା ଏକଲା ହୋଇଯାଇଥିଲି। ମୁଁ ଦୁଇ ଦିନ ପର୍ଯ୍ୟନ୍ତ ବିଛଣାରୁ ଉଠିଲି ନାହିଁ। ମୁଁ ଶୌଚାଳୟ ମଧ୍ୟ ଯାଇ ନଥିଲି। ମତେ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ମୋ’ ପରିବାର ମୋ ସହିତ କ୍ରମାଗତ ଭାବରେ ଫୋନରେ କଥା ହେଉଥିଲେ ଯାହା ମତେ ଟିକେ ସନ୍ତ୍ୱନା ଦେଇପାରୁଥିଲା। ମୁଁ ବହୁତ ଡରି ଯାଇଥିଲି। ମତେ ଲାଗୁଥିଲା ମୁଁ ଯେମିତି ଆଉ ବଞ୍ଚିବିନି, ହେଲେ ମୋ’ ଗର୍ଭସ୍ଥ ଶିଶୁ ପାଇଁ ମୁଁ କରୋନା ସହ ଲଢ଼େଇ କରୁଥିଲି।’’
ସେ କହିନ୍ତି ଯେ ଏ ସଂଗ୍ରାମ ତାଙ୍କର ଓ ତାଙ୍କ ଭବିଷ୍ୟତ ସନ୍ତାନ ପାଇଁ ଥିଲା।
କରେନ୍ ଆହୁରି ମଧ୍ୟ କହିଛନ୍ତି, ‘‘ମୁଁ ଯେତେବେଳେ ଡାକ୍ତରଖାନାରୁ ବାହାରିଥିଲି, ସେ ଦିନ ମୁଁ କେବେ ଭୁଲି ପାରିବିନି। ଏକାକି ଡାକ୍ତରଖାନାରେ ବିତେଇଥିବା ଦିନ ମୋ’ ଜୀବନ ବଦଳାଇ ଦେଇଛି। ମତେ ସେହି ଦିନ ଲାଗିଥିଲା ଜୀବନର ପ୍ରତିଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ।’’
କରେନ ବର୍ତ୍ତମାନ ଘରକୁ ଫେରିଛନ୍ତି କିନ୍ତୁ ଘରେ ସେ ନିଜକୁ ଅଲଗା କରି ରଖିଛନ୍ତି। ଘରର ଲୋକମାନେ ତାଙ୍କ କୋଠରୀକୁ ଯାଉ ନାହାନ୍ତି ସତ, ହେଲେ ବାହାରେ ରହି ତାଙ୍କ ମନୋବଳ ଦୃଢ଼ କରୁଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ଏହି ପରିବର୍ତ୍ତନ ତାଙ୍କୁ ଶକ୍ତିଶାଳୀ କରିଛି ଓ ଯେ ଜଲଦି ଠିକ୍ ହୋଇଯିବେ। କରେନ୍ଙ୍କ ସ୍ୱାସ୍ଥ୍ୟ ଏବେ ସ୍ଥିର ରହିଛି।














