ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲା ଗସ୍ତ କରିଛନ୍ତି।  ଏହି ଅବସରରେ ସେ ଜିଲ୍ଲାରେ କରୋନାର ସ୍ଥିତି ସମ୍ପର୍କରେ ବୁଝାସୁଝା କରିବା ସହିତ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି।ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ଭଦ୍ରକ ଏବଂ ଯାଜପୁର ଜିଲ୍ଲା ଗସ୍ତ କରିଥିଲେ। ଦୁଇ ଜିଲ୍ଲାରେ ସେ କରୋନାର ସ୍ଥିତି ଓ ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଶେଷରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଥିଲେ। କରୋନା ପାଇଁ ଏବେ ସାରା ଦେଶ ସହିତ କେନ୍ଦ୍ରପଡ଼ା ଜିଲ୍ଲାରେ ମଧ୍ୟ ଲକଡାଉନ୍ ଜାରି ରହିଛି। ତେଣୁ ପୋଲିସ ଡିଜିଙ୍କ ଏହି ଗସ୍ତକୁ ବହୁ କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ୍ ପାଇଁ ବେଶ ଗୁରୁତ୍ୱ ବହନ କରୁଥିଲା।

ଏହି ଗସ୍ତରେ ପୋଲିସ ଡିଜି ଜିଲ୍ଲାର ଆଇନଶୃଙ୍ଖଳା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ସେ ପୋଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ, କେନ୍ଦ୍ରପଡ଼ା ଏସପି ନିତିଶେଖରଙ୍କ ସହିତ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ କରୋନା ସ୍ଥିତି ଓ ପୋଲିସ କର୍ମଚାରୀମାନେ କିଭଳି ଏହି ସମୟରେ ସୁରକ୍ଷିତ ରହିପାରିବେ ସେନେଇ ଆଲୋଚନା କରିଥିଲେ।

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶ ୨୧ ଦିନିଆ ତାଲାବନ୍ଦ ହୋଇଛି। ଏହାମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ୫୯୧ ଜଣ ବିଦେଶ ଫେରନ୍ତା ଓ ୮୮୩୮ ଜଣ ଅନ୍ୟରାଜ୍ୟରୁ ଫେରିଛନ୍ତି। ଜିଲ୍ଲାରେ ତାଲାବନ୍ଦ ସମୟରେ ଆଇନକୁ ଉଲ୍ଲଘଂନ କରିଥିବା ଅଭିଯୋଗରେ ୫୫ଟି ମାମଲା ରୁଜୁ କରାଯାଇଛି ।

Comment