ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାକୁ ନେଇ ସାମାଜିକ ଦୂରତା ନାଁରେ ସାମାଜିକ ବାସନ୍ଦ ହେବାକୁ ପଡ଼ୁଛି ଲୋକଙ୍କୁ।
ଛୁଆଁ ଅଛୁଆଁ ଭେଦ ଭାବ କାଇଁ କେଉଁ କାଳରୁ ଚାଲି ଆସିଛି। ପାଶ୍ଚାତ ସମାଜରୁ ମଣିଷ ଆଧୁନିକ ସମାଜରେ ପାଦ ଦେଲାଣି, ହେଲେ ମନରେ କେଉଁଠି ବା କେଉଁଠି ଜାତି, ରୋଗ ଛୁଆଁ ଅଛୁଆଁ ଭେଦଭାବ କରି ଆସୁଛି। ପୂର୍ବରୁ ହଇଜା, ବସନ୍ତ ଓ କୁଷ୍ଠ ରୋଗ ହେଉଥିଲେ, ଲୋକେ ଗାଁରୁ ବାସନ୍ଦ କରୁଦେଉଥିଲେ। ଲୋକେ ଏମାନଙ୍କୁ ନା ଛୁଉଁଥିଲେ ନା ସାହାଯ୍ୟ କରୁଥିଲେ। ବିଂଶ ଶତାବ୍ଦିରେ ଆସି ଲୋକ ପହଞ୍ଚିଲେଣି ହେଲେ ଆଜି ବି ଲୋକ ଜାତି, ରୋଗରେ ଭେଦଭାବ କରୁଛନ୍ତି। ଏବେ ସାରା ବିଶ୍ଵରେ ଗୋଟିଏ ରୋଗ ବ୍ୟାପିଛି ସେ ହେଲା କରୋନା। ଏହାର କିଛି ପ୍ରତିଶେଧକ ନାହିଁ, କେବଳ ସାମାଜିକ ଦୂରତା ହିଁ ଏଥିରୁ ମୁକୁଳାଇ ପାରିବ। ହେଲେ କିଛିଟା ସ୍ଥାନରେ ସାମାଜିକ ଦୂରତା ନାଁରେ ସାମାଜିକ ବାସନ୍ଦ ଦେଖିବାକୁ ମିଳୁଛି।
ଆରତୀ, ବୟସ ୨୫, ପାଠପଢ଼ିବା ପାଇଁ ବିଦେଶ ବୁଲୁଛନ୍ତି, ହେଲେ ଯେତେବେଳେ ନିଜ ଘର ବିହାରକୁ ଫେରନ୍ତି ସେତେବେଳେ ତାଙ୍କ ମୁହଁରେ ଉତ୍ସାହ ଦେଖିବାକୁ ମିଳେ। ହେଲେ ଏଥର ପରିସ୍ଥିତି ପୂରା ଅଲଗା। ଏଥର ସେ ଘରକୁ ଫେରିଥିଲେ, ହେଲେ ତାଙ୍କ ମୁହଁରେ ବାରି ହୋଇପଡ଼ୁଥିଲା ଭୟ ଓ ଅଶଙ୍କା। ସେ ଡର ଜାତି ପାଇଁ ନୁହେଁ, ସେ ଡର ହେଉଛି କରୋନା ସହ ଜଡ଼ିତ ଥିବା ସାମାଜିକ କଳଙ୍କ ପାଇଁ।

ବିଦେଶରୁ ଫେରିବା ପରେ ଆରତୀ ଜଣେ ସଚେତନ ନାଗରିକ ଭାବେ ନିଜକୁ ସେଲ୍ଫ୍ କ୍ୱାରେଣ୍ଟାଇନ୍ରେ ରଖିଥିଲେ। ହେଲେ ୩୧ ମାର୍ଚ୍ଚରେ ବିହାର ସରକାର ଆରତୀଙ୍କ ସାମ୍ପୁଲ ନେବା ପାଇଁ ଘରକୁ ଆସିଥିଲେ। ହେଲେ ଆରତୀଙ୍କ ଘରକୁ ସ୍ଵାସ୍ଥ୍ୟ ବିଭାଗ ଆସିବାଟା ଲୋକ ହଜମ କରିପାରି ନଥିଲେ। ଗୋଟେ ସେକେଣ୍ଡରେ ଆରତୀଙ୍କ ଘରର ଚାରିପଟେ ଲୋକେ ପିମ୍ପୁଡ଼ି ପରି ଭେଡିଗଲେ ଓ ଟୁପରୁଟାପର ହେବା ଆରମ୍ଭ କରିଥିଲେ।
ଆରତୀ କହନ୍ତି, ‘‘ସ୍ଵାସ୍ଥ୍ୟ ବିଭାଗର ପାଖାପାଖି ୭ରୁ ୮ ଜଣ ଲୋକ ଘରକୁ ଆସିଥିଲେ। ସେମାନେ ଘରେ ନ ବସି ବାହାରେ ରହି ମୋ’ ସମ୍ପୁଲ ନେଇଥିଲେ। ସେତେବେଳେ ପୂରା କଲୋନି କିଏ କାହା ଛାତ ଉପରେ, ବାଲକୋନିରେ, ଝରକାରେ ମତେ ଅନେଇ ରହିଥିଲେ। କିଛି ଲୋକ ଏହାର ଭିଡିଓ ପ୍ରସ୍ତୁତ କରି ଇଣ୍ଟରନେଟ୍ରେ ମଧ୍ୟ ଅପଲୋଡ୍ କରିଦେଲେ। ଘର ବାହାରେ ପୋଷ୍ଟର ବି ଲଗାଇ ଦିଆଗଲା। ସରକାର ଏହି କାର୍ଯ୍ୟକୁ ଆଉ କିଛି ଭଲ ଉପାୟରେ ବି କରିପାରିଥାନ୍ତେ।’’ ଏହାପରେ ଆରତୀଙ୍କୁ କେହି ପଚାରିବାର ଦୂରର କଥା ଦେଖୁ ବି ନାହାନ୍ତି।
ଏପଟେ ଆରତୀ ମାନସିକ ନିର୍ଯାତନାର ସମ୍ମୁଖୀନ ହେଉଥିବା ବେଳେ ଆଉ କେଉଁଠି ଲୋକେ ଶାରୀରିକ ନିର୍ଯାତନାର ସମ୍ନାକ କରୁଛନ୍ତି।














