ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକୁ ଦିନରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ସାରା ଦେଶରେ ମୃତ୍ୟୁସଂଖ୍ୟା ୧୬୯ ଥିବାବେଳେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହା ବୃଦ୍ଧି ପାଇ ୧୯୯ରେ ପହଞ୍ଚିଛି। ଏନେଇ ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ ୬ ହଜାର ୪୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ବିଭିନ୍ନ ହସ୍ପିଟାଲରେ ୫୭୦୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ମାତ୍ର ଗୋଟିଏ ଦିନରେ ଭାରତରେ ମୃତ୍ୟୁସଂଖ୍ୟା ୩୦ ଛୁଇଁବା ସହ ସମୁଦାୟ ମୃତ୍ୟୁସଂଖ୍ୟା ୧୯୯ ଛୁଁଇଛି।

ମହାରାଷ୍ଟ୍ରରେ ସର୍ବାଧିକ ୯୭ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିଥିବାବେଳେ, ଗୁଜୁରାଟରେ ୧୭ ଜଣ, ମଧ୍ୟପ୍ରଦେଶରେ ୧୬ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଏହାରି ମଧ୍ୟରେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଛି। ଗୁରୁବାର ଗୋଟିଏ ଦିନରେ ସାରା ରାଜ୍ୟରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।














