ଓଡ଼ିଶାଲାଇଭ୍ ବ୍ୟୁରୋ
‘ଓଡ଼ିଶାଲାଇଭ୍’ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂଆ ଫିଚର – ‘ଲକ୍ଡାଉନ୍ ଡାଏରି’। ପଢ଼ନ୍ତୁ ନିଜର ଲକ୍ଡାଉନ୍ ଅନୁଭୂତି ବର୍ଣ୍ଣନାକରି କ’ଣ କହୁଛନ୍ତି ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍ ଦାଶ ବେନହୁର।
ଲକ୍ଡାଉନ୍ ସମୟରେ କେମିତି କଟୁଛି ଆପଣଙ୍କ ନିତିଦିନିଆ ରୁଟିନ୍?
ମୋ ପାଇଁ ଏହା ଏକ ଅଦ୍ଭୁତ ସମୟ। ସମ୍ପୂର୍ଣ୍ଣ ଘରଟିରେ ମୁଁ ଏକା। ସାଇପଡ଼ିଶା ବି ଅନୁପସ୍ଥିତ। ସହଧର୍ମିଣୀ ଦୁଇମାସ ତଳୁ ଆମେରିକା ଯାଇ ପୁଅ ପାଖରେ କେମ୍ବ୍ରିଜ୍ ସହରରେ ଅଛନ୍ତି। ଘର କାମ କରୁଥିବା ସାହାଯ୍ୟକାରିଣୀଟିକୁ ମାସେ ହେବ ତାଲା ବନ୍ଦ ଯୋଗୁଁ ନିଜ ଆଡ଼ୁ ମୁଁ ସାମୟିକ ବିରାମ ଦେଇଛି। ତେଣୁ ଏ ଲକ୍ ଡାଉନ୍ ମୋ ପାଇଁ ଲକ୍ ଡାଉନ୍ ପ୍ଲସ୍। ଡବଲ୍ ଲକ୍ ଡାଉନ୍ କହିଲେ କିଛି ଭୁଲ ହେବନି।
ମଝିରେ ଗୋଟିଏ ଦିନକୁ ଛାଡ଼ିଦେଲେ କୋଡ଼ିଏ ଦିନ ହେବ ବାହାରକୁ ଗୋଡ଼ କାଢ଼ିନି। ସଦର ଗେଟ୍ ଫିଟିନି। ଘର, ଉପର ମହଲାର ଲାଇବ୍ରେରି ଓ ଛାତ ଉପରର ବଗିଚା ଭିତରେ ମୋର କାରବାର ସୀମାବଦ୍ଧ ରହିଛି। ଡାଲି, ଚାଉଳ, ଆଳୁ, ପିଆଜ, ବଡ଼ି, ଆଚାର, ଚୁଡ଼ା, ମୁଢ଼ି, ବାରମଜା, ବିସ୍କୁଟ୍, ଅମୁଲ୍, ଚା, କଫି ଓ ଟେରାସ୍ ଗାର୍ଡନେର ଶାଗ ଉପରେ ନିର୍ଭର କରି ଅଛି।
ମୁଁ ରାତି ନଅଟାରୁ ସାଢ଼େ ନଅଟା ଭିତରେ ଶୋଇପଡ଼େ। ସକାଳ ଚାରିଟାରେ ଉଠେ। ମଧୁମେହ ପାଇଁ ଗରମ ପାଣିରେ ମେଥିଗୁଣ୍ଡ ଖାଏ। ଏବେ ଲକ୍ଡାଉନ୍ ଯୋଗୁଁ ଘରେ ବଡ଼ସାନ ସଭିଏଁ ଆବଦ୍ଧ ରହୁଥିବାରୁ ସେମାନଙ୍କ ବିନୋଦନ ସକାଶେ ପହିଲେ ଚାରିଧାଡ଼ି ନବାକ୍ଷରୀ ପଦ ଫେସବୁକ୍ରେ ଲେଖେ, ଏଇ ଚଳନ୍ତି ସମୟକୁ ନେଇ। ତା’ ପରେ ପିଲାଙ୍କ ପାଇଁ ନାନା ବାୟାଟିଏ “ଟିନା ପାଇଁ ନାନାବାୟା’’ ଧାରାବାହିକ କରି ଲେଖେ ଓ ପୋଷ୍ଟ କରେ।
ପାଞ୍ଚଟା ବେଳକୁ ରୋଷେଇ ଘରକୁ ଯାଇ ଚା’ କରେ ଓ ବିସ୍କୁଟ ସହିତ ଖାଏ। ଖାଉ ଖାଉ ଗୋଟିଏ ଇଂରାଜୀ ରାଇମ୍ ଲେଖେ। ଇଂରାଜୀ ମାଧ୍ୟମ ପିଲାଙ୍କ ଲାଗି “ରାଇମ୍ ଏ ରାଇମ୍’’ କ୍ରମରେ ଫେସ୍ବୁକ୍ରେ ପୋଷ୍ଟ କରେ। ପିଲାଏ ପଢ଼ନ୍ତି କି ନାହିଁ ଜଣା ନାହିଁ। ଉଦ୍ଦେଶ୍ୟ ବଡ଼ମାନେ ପଢ଼ି ଏ ଅସମୟରେ ପିଲାଙ୍କୁ ଶୁଣାଇବେ। କାରଣ ଶହେ, ଦେଢ଼ଶ, ଦୁଇଶହ ପସନ୍ଦ-ପ୍ରତିକ୍ରିୟା ଓ କିଛି କିଛି ଉତ୍ସାହଜନକ ମନ୍ତବ୍ୟ ବି ପାଏ।
ଛଅରୁ ସାଢ଼େ ଛଅ ବେଳକୁ ଛାତ ଉପରେ ଯାଇ ଅଧଘଣ୍ଟାଏ ବୁଲେ। ସାତଟା ବେଳକୁ ଜଳଖିଆ ତିଆରି। ଆଠଟାରେ ଗାଧୁଆ ପାଧୁଆ, ପୂଜା; ନଅଟାରେ ଜଳଖିଆ ପରେ, ଦିପହର ଖାଇବା ପ୍ରସ୍ତୁତି। ଘଣ୍ଟାଏ ଲାଗେ।
ଦଶଟା ବେଳକୁ ପଢ଼ା ଟେବୁଲକୁ ଆସି ଦୁଇରୁ ଅଢ଼େଇ ଘଣ୍ଟା ପଢ଼େ। ବାରଟାରୁ ସାଢ଼େ ବାରଟା ଭିତରେ ଖାଇ ନିଏ। ଗୋଟାଏ ବେଳକୁ ଦେଢ଼ଘଣ୍ଟା ଖଣ୍ଡେ ଶୋଇପଡେ।
ତିନିଟାରୁ ଟିଭିରେ ଖବର ଦେଖେ। ଆଜିକାଲି “ଅଲ୍ଜଜିରା’’ ଭଲ ଲାଗୁଚି। ସାଢ଼େ ଚାରିରେ ଓଡ଼ିଶା ସରକାରଙ୍କ ବୁଲେଟିନ୍ ସହ ଚା’ ଓ ଚୁଡ଼ାଭଜା ମିକସଚର ଖାଏ। ଛଅଟାରୁ ସାଢ଼େଛଅ ଗଛରେ ପାଣିଦିଏ, ଟେରାସ୍ ବଗିଚା କାମ। ସାତଟାରେ ଠାକୁର ଘରେ ଧୂପ। ରାତି ପାଇଁ ଖାଦ୍ୟ ପ୍ରସ୍ତୁତି। ଆଠଟାରେ ଖାଏ। ପୁଣି ଘଣ୍ଟାଏ ପଢ଼େ ବା ଲେଖେ। ତା’ ପରେ ଶେଯ ଧରେ।
ଏଇ ସମୟରେ କ’ଣ କରୁଛନ୍ତି, ବର୍ଷ ବର୍ଷ ଧରି କରିପାରୁନଥିଲେ?
କରିପାରୁନଥିଲି ନୁହେଁ କରୁନଥିଲି। ସେଇଟା ହେଲା ଘର କାମ। ଜୀବନରେ କେବେ ରୋଷେଇ, ଘର ଓଳା, ବାସନ ମଜା, ଲୁଗା ସଫା ଏପରିକି ଗଛରେ ପାଣି ଦେବା କାମ ମତେ କରିବାକୁ ପଡ଼ିନଥିଲା। ସବୁକଥା ମୁଁ ଅନୁଧ୍ୟାନ କରେ। ମୋର ଅଧିକାଂଶ ସମୟ ପଢ଼ିବା, ଲେଖିବା ଓ କରିବାରେ ଦେଇ ଆସିଛି। ଏବେ କିନ୍ତୁ ଘରର ସବୁ କାମ କରୁଛି। ପ୍ରଥମେ ନିଆଁ ଚେଙ୍କ ଲାଗିଲା, ଭାତ ଉତୁରିଗଲା, ଭାତ ଲାଗିଯାଇ ପୋଡ଼ିଗଲା, ଡାଲମା ପାଣିଆ ହେଲା, ଅଲଣା ହେଲା। ରୁଟି କରି ଆସିଲାନି। ମାତ୍ର ଆଶ୍ଚର୍ଯ୍ୟ ବର୍ତ୍ତମାନ ମୁଁ ସବୁକାମ ସୁରୁଖୁରୁରେ କରିପାରୁଛି। ପୂର୍ବ ଅପେକ୍ଷା ବାସନ ବି ଚକ୍ ଚକ୍ ଦିଶିଲେଣି।
ବହୁତ ଅଧାଲେଖା ପାଣ୍ଡୁଲିପି ବାକି ଅଛି। ଏ ସମୟରେ କାହିଁକି କେଜାଣିକଲମ ଯେମିତି ସୃଷ୍ଟିଶୀଳ ହେବା କଥା ହୋଇପାରୁନି। କିନ୍ତୁ ନିର୍ଭରଶୀଳତାରୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହୋଇପାରିଛି।
ଲକ୍ ଡାଉନ୍ ଭିତରେ କିଛି ସ୍ପେଶାଲ୍ ପ୍ରୋଜେକ୍ଟ ରହିଛି କି?
ଓଃ! ବହୁତ! ସବୁ ଫାଇଲ୍ ଆଣି ଗଦେଇଛି। ତିରିଶ ବର୍ଷ ଧରି “ଗଡ଼ଜାତ କାହାଣୀ’’ ସରିନି, ସାରିବି। “ଗାନ୍ଧୀ କାହାଣୀ’’ ସତୁରିରୁ ଅନ୍ୟୂନ ଶହେ କରିବି। ପିଲାଙ୍କ ପାଇଁ ଗୋଟିଏ ଓ ବଡ଼ଙ୍କ ପାଇଁ ଗୋଟିଏ ଏମିତି ଦୁଇ ଗୋଟି ଉପନ୍ୟାସରେ ପରିକଳ୍ପନା ଅଛି। ଅନ୍ତତଃ ଅଧ ଡଜନେ ଗଳ୍ପ ଲେଖାଯିବ। “କରିବାର ଅଛି’’ ର ପ୍ରଥମ ଖଣ୍ଡ ପ୍ରକାଶ ପାଇବ। “ଭାଷାଞ୍ଜଳି’’, “ନବ ଭାଗବତ’’, “ପିଲାଙ୍କ ପହଳି ବାକ୍ସ’’। ଏମିତି କେତେ ଅଛନ୍ତି ପଛକୁ ପଛ।
ଲକ୍ ଡାଉନ୍ ଆପଣଙ୍କ ଜୀବନର କିଛି ବଡ଼ ଶିକ୍ଷା ଦେଇଛି କି?
ଅନେକ। କିଛି ମଧୁର, କିଛି ଅନେକ ଦାରୁଣ। ବ୍ୟକ୍ତିଗତ ଭାବେ ମୁଁ ନିଜେ ନିଜେ ବଞ୍ଚିବା ଶିଖିଲି, ହେଲେ ପୃଥିବୀକୁ ଆମେ ସମସ୍ତେ ମିଶି କେତେ ଛିନ୍ ଭିନ୍ କରିଛେ ସେ ଶିକ୍ଷା ଓ ଅନୁଭବ ମତେ ଦୋହଲେଇ ଦେଇଛି। ପିମ୍ପୁଡି ପରି ମଣିଷ ଦଳ ନିଜ ଭିଟାମାଟିକୁ ଫେରିବାର ବୈକଲ୍ୟ ଓ ବିଚରା ଭାବ ବହୁତ କଷ୍ଟ ଦେଇଛି। ଗାଁଗୁଡ଼ିକୁ ମରିବାକୁ ଦେଇ ଆମେ ଏକ ମେଗା ସହର ଗଢ଼ିବା ଏକ ମସ୍ତବଡ଼ ଭୁଲ। ସ୍ଵାଧୀନତାର ଅର୍ଥ କେବଳ ଆପଣା ସୁଖ ନୁହେଁ!
ଅନ୍ୟମାନଙ୍କ ପାଇଁ କ’ଣ ରହିଛି ଆପଣଙ୍କର ଲକ୍ଡାଉନ୍ ବାର୍ତ୍ତା?
ବାର୍ତ୍ତା ନୁହେଁ ପ୍ରାର୍ଥନା। ଏତିକି ବେଳେ ସଂଯମ ହିଁ ବଡ଼କଥା। ବ୍ୟକ୍ତିଗତ ସଂଯମ। କେତେ କମ୍ରେ ଆମେ ଚଳିପାରିବା। ବଡ଼ଙ୍କ କଥା ତ ଭାବୁଛେ, ବରିଷ୍ଠ ନାଗରିକ ଓ ଅବହେଳିତଙ୍କ କଥା ଚିନ୍ତା କରୁଛେ। ହେଲେ ପିଲାଙ୍କୁ ଛାଡ଼ି ଯାଉଛେ। ଅଧା ସଂଖ୍ୟା ସେମାନେ। ପିଲାଙ୍କ ସୁରକ୍ଷା ଆମର ପ୍ରଥମ ଦାୟିତ୍ଵ।
(ପ୍ରସ୍ତୁତି: ନୀଳାମ୍ବର ରଥ)