ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- ରାଉରକେଲା ଆଇଜିଏଚ୍ରେ ଆରମ୍ଭ ହେଲା କରୋନା ନମୁନା ପରୀକ୍ଷା କେନ୍ଦ୍ର
- ସୁନ୍ଦରଗଡ଼ ସମେତ ଆଖପାଖ ଜିଲ୍ଲାର ଲୋକ ପାଇବେ ସୁବିଧା
- ଦିନକୁ ପରୀକ୍ଷା ହେବ ୬୦ ନମୁନା
- ଆଗକୁ ୧୨୦ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ
- ଟେଷ୍ଟିଂ ସେଣ୍ଟର ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି ଦେଲା ୧ କୋଟି ୧୫ ଲକ୍ଷ ଟଙ୍କାର ଅନୁଦାନ
ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ବୁଧବାରଠୁ ଆରମ୍ଭ ହୋଇଛି କୋଭିଡ୍ ନମୁନା ପରୀକ୍ଷାକେନ୍ଦ୍ର। ଏହାକୁ ଉଦ୍ଘାଟନ କରିଥିଲେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିଇଓ ଦୀପକ ଚାଟାର୍ଜୀ, ରାଉରକେଲା ଏଡିଏମ ଅବୋଲି ସୁନୀଲ ନରୱାନେ ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲର ନିର୍ଦେଶକ ଡାକ୍ତର ସୁଧାଂଶୁ ଶେଖର ପତି।
ପ୍ରାଥମିକ ପର୍ଯ୍ୟାୟରେ ଆଇଜିଏଚ୍ରେ ଦିନକୁ ୬୦ଟି ନମୁନା ପରୀକ୍ଷା କରାଯାଇ ପାରିବ। ଆଗାମୀ ଦିନରେ ୧୨୦ ନମୁନା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଇଜିଏଚ୍ରେ ଏହି ଟେଷ୍ଟିଂ ସେଣ୍ଟର ଖୋଲିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି ପକ୍ଷରୁ ୧ କୋଟି ୧୫ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି।
‘‘ପଶ୍ଚିମ ଓଡ଼ିଶାରେ ପ୍ରଥମ କରି ରାଉରକେଲା ଆଇଜିଏଚରେ କରୋନା ନମୁନା ଟେଷ୍ଟିଂ ସେଣ୍ଟର ଖୋଲାଯାଇଛି। ଏହି କେନ୍ଦ୍ରରେ କରୋନା ନମୁନା ପରୀକ୍ଷା କରାଯିବ। ସୁନ୍ଦରଗଡ଼ ଏବଂ ଆଖପାଖ ଜିଲ୍ଲାର ଲୋକଙ୍କ ନମୁନା ଏହି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା କରାଯିବ। ଏହି କୋଭିଡ ଟେଷ୍ଟିଙ୍ଗ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ତରଫରୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଆଇଜିଏଚ କର୍ତ୍ତୃପକ୍ଷ ଏହି ଟେଷ୍ଟିଙ୍ଗ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବା ପାଇଁ ସହଯୋଗ କରିଛନ୍ତି’’, କହିଛନ୍ତି ରାଉରକେଲା ଏଡିଏମ୍ ଅବୋଲି ସୁନୀଲ ନରୱାନେ।
‘‘ଆଇଜିଏଚ୍ରେ କରୋନା ନମୁନା ଟେଷ୍ଟିଂ ସେଣ୍ଟର ଖୋଲିବା ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ଖଣିଜ ପାଣ୍ଠି ତରଫରୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି। ବିଶେଷକରି ଜିଲ୍ଲା ଖଣିଜ ପାଣ୍ଠି ତରଫରୁ ଦିଆଯାଇଥିବା ଆର୍ଥିକ ସହାୟତା ଯୋଗୁଁ ଆମେ ଖୁବ ଅଳ୍ପ ସମୟ ଭିତରେ ଅତ୍ୟାଧୁନିକ ଯନ୍ତ୍ରପାତି ପାଇପାରିଲୁ। ଫଳରେ ଗୋଟିଏ ଅତ୍ୟାଧୁନିକ ଲ୍ୟାବ ତିଆରି ହେଇପାରିଲା। ଏଠାରେ ସୁନ୍ଦରଗଡ଼ ସହିତ ଆଖପାଖ ଜିଲ୍ଲାର ଲୋକଙ୍କର ମଧ୍ୟ ସ୍ୱାବ ଟେଷ୍ଟିଙ୍ଗ କରିହେବ। କରନା ହେଉଛି ବିଶ୍ୱ ମହାମାରୀ। ଏହାକୁ ହରାଇବା ପାଇଁ ସମସ୍ତଙ୍କୁ ମିଳିମିଶି ମୁକାବିଲା କରିବାକୁ ପଡ଼ିବ’’, କହିଛନ୍ତି ଇସ୍ପାତ ଜେନେରାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସୁଧାଂଶୁ ଶେଖର ପତି।
ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି କୋଭିଡ୍ ନମୁନା ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। କରୋନା ଆକ୍ରାନ୍ତଙ୍କ ନମୁନା ଏହି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇପାରିବ। ଏହାସହ ରାଉରକେଲାଠାରେ ଏକ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ହାଇଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଏହି କୋଭିଡ୍ ହସ୍ପିଟାଲ ରହିଛି। ଏଠାରେ ୨୦୦ ବେଡ୍ ରହିଛି। ମାଗଣାରେ ରୋଗୀଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି।














