ନୀଳାମ୍ବର ରଥ
ଆମେ ସ୍କୁଲ୍ ପଢ଼ିଲା ସମୟରେ ଯେଉଁସବୁ ଗୀତ ବା କବିତା ବହିରେ ଥିଲା ତା’ ଭିତରୁ ଗୋଟିଏ ଲୋକପ୍ରିୟ ଗୀତ ହେଲା – “ଆମେ ତ ଭାଗ୍ୟବାନ ପିଲାରେ, ଆଉ କେ ଆମ ପରି ଥିଲାରେ”। ଏହି ଗୀତ ମାଧ୍ୟମରେ ଆମେ ଦର୍ଶାଇବାକୁ ଚାହୁଁଥିଲୁ ଯେ, ସ୍ଵାଧୀନ ଭାରତର ସନ୍ତାନ ଭାବେ ଆମେ ସତରେ କେତେ ଭାଗ୍ୟବାନ। ଆମେମାନେ କିପରି ଭାଗ୍ୟବାନ ତାହା ଏହି ଗୀତ ଭିତରେ ସୁନ୍ଦର ଭାବେ ଦେଖାଯାଇଥଲା।
ଆଜି କରୋନା ସମୟରେ ଲୋକଙ୍କ ଚରିତ୍ରକୁ ଚିତ୍ରଣ କରିବାକୁ ଯାଇ ଜଣେ ଆଧୁନିକ କବି ପ୍ରଦୀପ୍ତ କିରଣ ମହାନ୍ତି “ଆମେ ତ ଭାଗ୍ୟବାନ ପିଲାରେ” ସ୍ଵରରେ ଲେଖିଛନ୍ତି ଏକ ବ୍ୟଙ୍ଗ କବିତା – “ଆମେ ତ ଅମାନିଆ ପିଲାରେ…”। ପଢ଼ନ୍ତୁ, କିଛି ସମୟ ପାଇଁ ଆପଣଙ୍କର ଶ୍ରମ ନିଶ୍ଚୟ ଲାଘବ ହେବ।
“ଆମେ ତ ଅମାନିଆ ପିଲାରେ – ଆଉ କେ ଆମ ପରି ଥିଲାରେ।
ଆମେ ତ ବୁଲୁ ଆଜି ବଜାରେ – କିଣୁ ସଉଦା ବଡ଼ ମଜାରେ
ନିଜକୁ ଭାବୁ ଆମେ ନାୟକ – ବନୁଛୁ କରୋନାର ବାହକ
ଘରକୁ ଡାକି ଆଣୁ ସଜାରେ
ଆମେ ତ ଅମାନିଆ ପିଲାରେ – ଆଉ କେ ଆମ ପରି ଥିଲାରେ।
ଆମେ ତ ନିତି ଭାଙ୍ଗୁ କାନୁନୁ – ସରକାରଙ୍କ କଥା ମାନୁନୁ
ଦେଖଉ ଆମେ ବଡ଼ ସାହସ – ସଭିଙ୍କ ଉଡ଼ଉଟି ହୋଅସ
ଚାଲେଞ୍ଜ ଦେଉ କଥା କଥାରେ
ଆମେ ତ ଅମାନିଆ ପିଲାରେ – ଆଉ କେ ଆମପରି ଥିଲାରେ।
ପୁଲିସି ବାଲା ସାଥେ ନିଇତି – ଖେଳୁଛୁ ଲୁଚୁକାଳି ଖେଳଟି
ଭାବୁଛୁ ହାକିମଙ୍କ ଇଏଟା – କରୁଛୁ କାମ ଯେତେ ଓଲଟା
ସମୟ ବିତେ ସାଙ୍ଗ ସାଥିରେ
ଆମେ ତ ଅମାନିଆ ପିଲାରେ – ଆଉ କେ ଆମ ପରି ଥିଲାରେ।
ଆମେ ତ ଦରପୋଡ଼ା କାଠଟି – ଯେତେ ମାଠିବା କଥା ମାଠଟି
ସୁଧାର ନାହିଁ ଆମ ଜାତକେ – ରିଲିଫ ପାଇଁ ଚାହୁଁ ଚାତକେ
ଲଜ୍ଜିତ ନୋହୁଁ ଲୋକହସାରେ
ଆମେତ ଅମାନିଆ ପିଲାରେ – ଆଉକେ ଆମପରି ଥିଲାରେ।”
ଏଇ କବିତା ମାଧ୍ୟମରେ କରୋନାର ବାସ୍ତବ ଚିତ୍ର ଦେଖାଇବାକୁ ଚେଷ୍ଟା କରିଛନ୍ତି ଲେଖକ। ବଡ଼କଥା ହେଉଛି, ଲେଖା ଭିତରେ ଭରି ରହିଛି ବ୍ୟଙ୍ଗ ଯାହା ଆଜିର ପାଠକ ଓ ଶ୍ରୋତାଙ୍କୁ ଭଲ ଲାଗିବ।
‘ଯେତେ ମାଠିବା ମାଠ, ଆମେ ଦରପୋଡ଼ା କାଠ’ – ପ୍ରଚଳିତ ଏହି ଢଗଟି ଲେଖାକୁ ମଧ୍ୟ ଆକର୍ଷଣୀୟ କରିପାରିଛି।
ବ୍ୟଙ୍ଗ ହେଉଛି ସାହିତ୍ୟର ଏକ ବଡ଼ ସଂପତ୍ତି। କାରଣ ଏହା ମଧ୍ୟମରେ କେବଳ ପାଠକଙ୍କର ମନୋରଂଜନ ହୋଇ ନଥାଏ, ଯୁଗେ ଯୁଗେ ବ୍ୟଙ୍ଗ ସାହିତ୍ୟ ସମାଜର ସିଧାସଳଖ କାମରେ ଆସିଥାଏ। କାରଣ, ସାମ୍ବାଦିକତା ପରି ଭଲ ମାନର ବ୍ୟଙ୍ଗ ସାହିତ୍ୟ ମୋଟାମୋଟି ଭାବେ ବାସ୍ତବତାକୁ ହିଁ ଦେଖାଇବାକୁ ଚେଷ୍ଟା କରିଥାଏ।
ଏଇଠି ଓଡ଼ିଆ ମନୋବିଜ୍ଞାନୀ ଗୀତା ଦାସଙ୍କ ଭୋଟିଏ କଥା ମନକୁ ଆସୁଛି। ଓଡ଼ିଶାଲାଇଭ୍ ସଂପାଦକଙ୍କ ସହ କରୋନା ମୁକାବିଲା ନେଇ କଥାବାର୍ତ୍ତା ବେଳେ ସେ କହିଥିଲେ: “ଏହି ରୋଗ ନୂଆ ବୋଲି ଏ ବିଷୟରେ ଆମର ଜ୍ଞାନ କମ୍। ତେଣୁ ଯେତେ ନୂଆ ତଥ୍ୟ ବଢ଼ୁଛି, ସେତେ ନୂଆ ନୂଆ ଦିଗ ସାମନାକୁ ଆସୁଛି। ଏବେ ଜଣାପଡ଼ୁଛି ଯେ, ଯୁବକ ଓ ମଧ୍ୟ ବୟସ୍କ ଲୋକଙ୍କୁ ଏ ରୋଗଟା ମଧ୍ୟ ଅଧିକ ହେଉଛି। ଅନେକ ଦେଶରେ ବୟସ୍କ ଲୋକମାନେ ସାବଧାନ ଓ ସ୍ଵାସ୍ଥ୍ୟବାନ ଥିଲାରୁ ସେମାନଙ୍କର କରୋନା ଭାଇରସ୍ ରୋଗ କମ୍ ହେଉଛି ବା ସେମାନଙ୍କୁ ଭାଇରସ୍ର ସଂକ୍ରମଣ ହେଲେ ମଧ୍ୟ ସେମାନେ ଭଲ ହୋଇ ଘରକୁ ଫେରୁଛନ୍ତି। ତେଣୁ ଏଥିପାଇଁ ଅଯଥା ଆତଙ୍କିତ ହେଇ ଦୁଶ୍ଚିନ୍ତା କଲେ ବରଂ ମନ ଖରାପ ହେବ ଓ ଦେହ ମଧ୍ୟ ଖରାପ ହେବ। ବରଂ ଥଟ୍ଟା ପରିହାସ କରି, ମନକଥା କହି, ହସ ଗପ ପଢ଼ି ଅନ୍ୟ ବିଷୟରେ କଥାବାର୍ତ୍ତା କରି ମନକୁ ଉତ୍ଫୁଲ୍ଲ ରଖିଲେ କରୋନା ଆମକୁ କଥା କଥା କେ ଆଉ ଡରାଇବ ନାହିଁ।”
ଏକ୍ଦମ୍ ଠିକ୍ କଥା। କରୋନା ଆତଙ୍କ ବେଳେ ଏଭଳି ଲେଖା ଦୁଇ ପ୍ରକାର କାମ କରିବ ବୋଲି ମୁଁ ଭାବୁଛି। ୧: ସାଧାରଣ ଲୋକଙ୍କୁ ସଚେତନ କରିବା। ୨: ବ୍ୟଙ୍ଗ ମାଧ୍ୟମରେ ଲୋକଙ୍କୁ ମନୋରଂଜନ ଦେବା। ତେଣୁ, ଏହି ସମସାମୟିକ କବିତାଟି ପାଇଁ ପ୍ରଦୀପ୍ତ କିରଣ ମହାନ୍ତିଙ୍କୁ ଆସନ୍ତୁ ବଧାଇ ଜଣାଇବା।
(ବିଦ୍ର: ଏଇ କବିତାଟି ଆମେ ସୋସିଆଲ୍ ମିଡିଆ ସୁତ୍ରରୁ ପାଇଛୁ। ତେଣୁ ଏଥିରେ କୌଣସି ପ୍ରକାର ତ୍ରୁଟି ଥିଲେ ଓଡ଼ିଶାଲାଇଭ୍ର ସଂପାଦନାମଣ୍ଡଳୀ ଦାୟୀ ରହିବ ନାହିଁ।)