ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରଙ୍କ କରୋନା ହଟ୍‌ସ୍ପଟ୍‌ ତାଲିକାରେ ଓଡ଼ିଶାର ଦୁଇଟି ଜିଲ୍ଲା ସ୍ଥାନ ପାଇଛି। ଗୋଟିଏ ଖୋର୍ଦ୍ଧା ହୋଇଥିବା ଅନ୍ୟଟି ଭଦ୍ରକ। ଏହି ଦୁଇ ଜିଲ୍ଲାରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ହଟ୍‌ସ୍ପଟ୍‌ ତାଲିକାରେ ସାମିଲ ହୋଇଛନ୍ତି।

ସେହିପରି ନନ୍‌ହଟ୍‌ସ୍ପଟ୍‌ ତାଲିକାରେ ଓଡ଼ିଶାର ୭ଟି ଜିଲ୍ଲା ରହିଛନ୍ତି। ସେଗୁଡ଼ିକ ହେଲା କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଏବଂ ସୁନ୍ଦରଗଡ଼।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜିଲ୍ଲା ଉପରେ ଫୋକସ୍‌ କରିଥିଲେ। ଦେଶର ସମସ୍ତ ଜିଲ୍ଲାକୁ ତିନି କ୍ୟାଟେଗୋରୀ ହଟ୍‌ସ୍ପଟ୍‌, ନନ୍‌ହଟ୍‌ସ୍ପଟ୍‌ ଏବଂ ଗ୍ରୀନ ଜୋନରେ ଭାଗ କରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନେଇଥିଲେ।

ଏହି କ୍ରମରେ ହଟ୍‌ସ୍ପଟ, ନନ୍‌ହଟସ୍ପଟ ତାଲିକା ପ୍ରକାଶ ପାଇଥିଲା। ସାରା ଦେଶରେ ୧୭୦ ହଟ୍‌ସ୍ପଟ୍‌ ଜିଲ୍ଲା ଚିହ୍ନଟ ହୋଇଥିବା ବେଳେ ୨୦୭ଟି ନନ୍‌ହଟ୍‌ସ୍ପଟ୍‌ ଜିଲ୍ଲା ଚିହ୍ନଟ ହୋଇଛି। ଓଡ଼ିଶାର ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲା ହଟ୍‌ସ୍ପଟ୍‌ ତାଲିକାରେ ରହିଛି।

ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୩ ଜଣ ଚିହ୍ନଟ ହୋଇଥିଲେ।

କଟକ, ପୁରୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ଦୁଇ ଜଣ, କଳହାଣ୍ଡିରୁ ୨, ସୁନ୍ଦରଗଡ଼ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁ ଜିଲ୍ଲା ନନ୍‌ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ରହିଛି। ଭାରତରେ ୭୧୮ ଜିଲ୍ଲାରୁ ୪୦୦ ଜିଲ୍ଲାରେ କରୋନା ଆକ୍ରାନ୍ତ ନଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

Comment