ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାଘର ଅଟକାଇଦେଲା କରୋନା।
କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ଜୀବନ ଅନିଶ୍ଚିତ ହୋଇ ପଡ଼ିଥିବା ବେଳେ ନୂଆ ଜୀବନ ଆରମ୍ଭ କରିବା ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଛି। ପ୍ରକୃତରେ ଓଡ଼ିଶାରେ ଏଇ ମାସରୁ ହିଁ ବିବାହ ଋତୁ ଆରମ୍ଭ ହୋଇଥାନ୍ତା। ପାଞ୍ଜିକାରଙ୍କ ମତରେ ଶୁକ୍ରବାର ଅର୍ଥାତ ଏପ୍ରିଲ ୧୭ରୁ ଅନୁକୂଳ ସମୟ ଆରମ୍ଭ ହେଉଛି। ଚଳିତ ବିଭାଘର ଋତୁ ଜୁଲାଇ ୧୨ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ମାସରେ ହିଁ ବାହାଘର ପାଇଁ ୫ଟି ଭଲ ଦିନ ଥିଲା – ୧୭, ୧୯, ୨୦, ୨୬ ଓ ୨୭। ତେବେ କରୋନା ସ୍ଥିତି କୁଆଡକୁ ମୁହାଁଇବ ତାର କୌଣସି ନିଶ୍ଚିତତା ନଥିବାରୁ ବାପା ମା’ ମାନେ ନୂଆ ବାହା ତିଥି ସ୍ଥିର କରିପାରୁନାହାନ୍ତି।
ଆହୁରି ମଧ୍ୟ ବିବାହ ଭୋଜି ପାଇଁ ଲୋକେ ଏକାଠି ହେବାକୁ ଅନୁମତି ନଥିବାରୁ ଅନେକ ବିବାହ ଯୋଗ୍ୟ ବରକନ୍ୟା ଦୟନୀୟ ଅବସ୍ଥାରେ ପାଣି ଗ୍ରହଣ କରିବା ପାଇଁ ମଙ୍ଗୁ ନାହାନ୍ତି। ସେଇଥିପାଇଁ ବିବାହ ତାରିଖ ସବୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଉଛି।
ଗଣନାକାର ଶ୍ରୀପତି ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ ମେ, ଜୁନ ଓ ଜୁଲାଇ ମାସରେ ଗୁଡ଼ାଏ ବାହା ତିଥି ଥିଲା। କିନ୍ତୁ ଜୁଲାଇ ମାସ ଭିତରେ ବିବାହ ତାରିଖ ସ୍ଥିର କରିବା ପାଇଁ ଲୋକେ ଡରୁଛନ୍ତି କାରଣ ସାମାଜିକ ଦୂରତା ନିୟମ ଏବଂ କଟକଣା ଏତେ ଶୀଘ୍ର ପ୍ରତ୍ୟାହାର ହେବା ଭଳି ଦେଖାଯାଉନାହିଁ।
ସହିଦନଗର ବାସିନ୍ଦା ଶାଳିନୀ ମହାନ୍ତିଙ୍କ ବିବାହ ନୟାଗଡ଼ ନିବାସୀ ସୁଶୋଭନ ମହାନ୍ତିଙ୍କ ସହ ଏପ୍ରିଲ ୨୬ରେ ହେବା ସ୍ଥିର କରା ଯାଇଥିଲା। ଉଭୟେ ଡାକ୍ତର। କିନ୍ତୁ ଲକଡାଉନ ସମୟ ବୃଦ୍ଧି ପାଇବା ପରେ ସେମାନେ ବାହା ତାରିଖ ଘୁଞ୍ଚାଇବା ପାଇଁ ବାଧ୍ୟ ହୋଇଛନ୍ତି। ଏହି ଭାବି ଡାକ୍ତର ଦମ୍ପତ୍ତିଙ୍କ ଭଳି ହଜାର ହଜାର ଭାବି ପତିପତ୍ନୀ ବିବାହ ତାରିଖ ଘୁଞ୍ଚାଇବା ପାଇଁ ବାଧ୍ୟ ହୋଇଛନ୍ତି। ସୁଶୋଭନଙ୍କ ବାପା ଦେବଦାସ ମହାନ୍ତି ଯାହା କହିଛନ୍ତି କେବେ ପୁଅ ବରଯାତ୍ରୀ ନେଇକି ଯିବ ସେକଥା କହିବା କଷ୍ଟ କାରଣ କରୋନା କେତେବେଳେ କୋଉ ରୂପ ଧରିବ ତାହା କେହି ଜାଣିନାହାନ୍ତି।
କେବଳ ଭୁବନେଶ୍ୱର ନୁହେଁ, ସମଗ୍ର ରାଜ୍ୟରେ ଏକା ଅବସ୍ଥା। ତେବେ କିଛି କିଛି ସ୍ଥାନରେ ବରଯାତ୍ରୀ ଓ ଅତିଥିଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ କମାଇ ନିଜ ପରିବାର ଲୋକଙ୍କ ଗହଣରେ ନିରାଡ଼ମ୍ବର ଭାବରେ ମଧ୍ୟ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଉଥିବା ଲକ୍ଷ୍ୟ କରାଯାଇଛି।
ଏଣେ ବିବାହ ତିଥି ଘୁଞ୍ଚିବା କାରଣରୁ ବିବାହ ଆୟୋଜନ ଓ ସରଞ୍ଜାମ ବିକ୍ରି-ବ୍ୟବସାୟ ଉପରେ ଯେଉଁମାନେ ନିର୍ଭର କରୁଥିଲେ ସେମାନଙ୍କର ବାର ବାଜିଗଲାଣି। ଖାଲି ସେତିକି ନୁହେଁ, ରାଜ୍ୟର ବିବାହ-କୈନ୍ଦ୍ରିକ ଅର୍ଥନୀତି ମଧ୍ୟ ଭୀଷଣ ମାଡ଼ ଖାଇଛି। ହୋଟେଲ, ବିବାହ ମଣ୍ଡପ, ଡେକୋରେଟର, ଫୁଲବାଲା, ବ୍ୟାଣ୍ଡବାଲା, କ୍ୟାମେରାମ୍ୟାନ, କ୍ୟାଟରିଂବାଲା ସମସ୍ତେ ହାତ ବାନ୍ଧି ବସିଛନ୍ତି।















