ନୀଳାମ୍ବର ରଥ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି।

ବ୍ରିଟିଶ୍ ସରକାରଙ୍କ ଅଧୀନରେ ପାଇଲଟ୍ ଚାକିରି କରିବା ବେଳେ ବିଜୁ ପଟ୍ଟନାୟକଙ୍କୁ ଏକଦା ଜେଲ୍ ଯିବାକୁ ପଡ଼ିଥିଲା। ତାଙ୍କ ନାଁରେ ଅଭିଯୋଗ ଥିଲା ଯେ, ସେ ଭାରତୀୟ ବିପ୍ଳବୀମାନଙ୍କୁ ତାଙ୍କ ବିମାନରେ ଗୋପନରେ ନେବା ଆଣିବା କରୁଛନ୍ତି। ଏପରିକି ବିଭିନ୍ନ ସ୍ଥାନରେ ଭାରତୀୟ ମୁକ୍ତି ସଂଗ୍ରାମରେ ଅଗ୍ନି ସଂଯୋଗ କରିବା ପାଇଁ ପ୍ରଚାରପତ୍ର ମଧ୍ୟ ଆକାଶମାର୍ଗରୁ ପକାଉଛନ୍ତି। ଏଥିପାଇଁ ବିଜୁଙ୍କୁ ପ୍ରାୟ ଦୁଇ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା।

ତେବେ ଦୁର୍ଦ୍ଧର୍ଷ ଓ ବିଚକ୍ଷଣ ପାଇଲଟ୍ ବିଜୁଙ୍କ ପାଇଁ ବିମାନର କକ୍‌ପିଟଠାରୁ ଦୂରରେ ରହିବା ଥିଲା ସବୁଠାରୁ ବଡ଼ ଯନ୍ତ୍ରଣା।

୧୯୪୫ ମସିହା ବେଳକୁ ବିଜୁବାବୁ ପାରୋଲ୍‌ରେ ଆସି କଟକରେ ତାଙ୍କ ନିଜର ଘର ଆନନ୍ଦ ଭବନରେ ରହୁଥିଲେ। ହେଲେ ବ୍ରିଟିଶ୍ ପୋଲିସ୍ ତାଙ୍କୁ ଏକପ୍ରକାର ନଜର ବନ୍ଦୀ କରି ରଖିଥିଲେ। ତାଙ୍କୁ କଟକରୁ ସର୍ବାଧିକ ୩୦ ମାଇଲ୍ ପର୍ଯ୍ୟନ୍ତ ଯିବାଆସିବା କରିବା ପାଇଁ ଅନୁମତି ମିଳିଥିଲା। ଆନନ୍ଦ ଭବନର ଚାରିକାନ୍ଥ ଭିତରେ କିଛି ଦିନ କାଟିବା ବେଳେ ବିଜୁଙ୍କ ମନରେ ଯେଉଁ ସ୍ୱପ୍ନ ଓ ସଙ୍କଳ୍ପ ଆସିଥିଲା ଏବଂ ତା’ର ଯେଉଁ ଫଳାଫଳ ବାହାରିଥିଲା ତା’ ଭିତରୁ ଗୋଟିଏ ହେଉଛି ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ।

ଫ୍ଲାଇଙ୍ଗ୍ କ୍ଲବର ମୂଳଦୁଆ

ବିଜୁ ସ୍ଥିର ହୋଇ ବସିବା ଲୋକ ନଥିଲେ। କିଛି ନା କିଛି ଆରମ୍ଭ କରିବା ପାଇଁ ତାଙ୍କ ଭିତରେ ଚାଲିଥାଏ ଉଦ୍‌ବେଳନ। ସେତେବେଳକୁ ଦିଲ୍ଲୀରେ ଜବାହାରଲାଲ୍ ନେହରୁଙ୍କ ନେତୃତ୍ୱରେ ଅସ୍ଥାୟୀ ଭାରତୀୟ ସରକାର ଗଠନ ହୋଇଥାଏ। ଆନନ୍ଦ ଭବନରୁ ସାଇକେଲ୍ ଧରି ବିଜୁ ଗୋଟିଏ ପଟେ ଭୁବନେଶ୍ୱର ବିମାନଘାଟି ଅଞ୍ଚଳ ଏବଂ ଅନ୍ୟପଟେ ଚୌଦ୍ୱାର ବାରମ୍ବାର ଯାଉଥିଲେ। ଭବିଷ୍ୟତରେ ଏହି ଦୁଇ ସ୍ଥାନକୁ ନିଜର କର୍ମକ୍ଷେତ୍ର ଭାବେ ଗଢ଼ି ତୋଳିବାକୁ ସେ ଚିନ୍ତା କରୁଥିଲେ।

ବିଜୁ ତତ୍କାଳୀନ ଓଡ଼ିଶା ସରକାରଙ୍କୁ ଭୁବନେଶ୍ୱରରେ ଏକ ଫ୍ଲାଇଙ୍ଗ୍ କ୍ଲବ୍ ଗଠନ ପାଇଁ ଅନୁରୋଧ କଲେ। ସେତେବେଳେ ଥିବା ପ୍ରଥମ ବିଧାନସଭାରେ ଡକ୍ଟର ହରେକୃଷ୍ଣ ମହତାବ ପ୍ରଧାନମନ୍ତ୍ରୀ। ବିଜୁ ମହତାବଙ୍କୁ କହିଲେ ଯେ ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ଗଠିତ ହେଲେ ରାଜ୍ୟର ପ୍ରତିଭାସମ୍ପନ୍ନ ଯୁବକମାନେ ବିମାନସେବା କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାର ସୁଯୋଗ ପାଇବେ।

ଫ୍ଲାଇଙ୍ଗ୍ କ୍ଲବ୍ ମାଧ୍ୟମରେ ପାଇଲଟ୍ ଟ୍ରେନିଂ ସହ ରେଡ଼ିଓ ଅଫିସର ଏବଂ ଗ୍ରାଉଣ୍ଡ ଇଞ୍ଜିନିୟରଙ୍କୁ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହା ହେଲେ ବିମାନ ଚଳାଚଳ ଶିଳ୍ପରେ ଅଧିକ ସଂଖ୍ୟାରେ ଓଡ଼ିଶାର ଯୁବକଯୁବତୀମାନେ ନିଯୁକ୍ତିର ପାଇପାରିବେ।

ଇଣ୍ଡୋନେସିଆ ମାଟିରେ ବିଜୁଙ୍କ ବିମାନ।

ବିମାନ ଆସିବ କେଉଁଠୁ?

ତେବେ ସବୁଠାରୁ ବଡ଼ ପ୍ରଶ୍ନ ଥିଲା ବିମାନ ଆସିବ କେଉଁଠୁ? ବିଜୁବାବୁ ଏ ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରି ରଖିଥିଲେ। ସେ ସରକାରଙ୍କୁ କହିଲେ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନେକ ବିଦେଶୀ ଫାଇଟର୍ ଓ କାର୍ଗୋ ବିମାନ ଦେଶର ବିଭିନ୍ନ ଏୟାର୍ ବେସ୍‌ରେ ପଡ଼ି ଖତ ଖାଉଛି। ତା’ ଭିତରୁ କିଛି ବିମାନକୁ ବାଛି ଶାଗ ମାଛ ଦରରେ କିଣି ଅଣାଯାଇପାରିବ। ତାହା ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ପାଇଁ ସବୁଠାରୁ ବଡ଼ ସାଧନ ହେବ ବୋଲି ବିଜୁ ଦୃଢ଼ତାର ସହ କହିଥିଲେ।

ସବୁ କଥାରେ କେବଳ ପ୍ରଥମେ ଆଗକୁ ବାହାରିବା କଥା ନୁହେଁ, ବାଟରେ ଯେତେ ବାଧା ଓ ପ୍ରତିଘାତ ଆସେ ତା’ର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ବ୍ୟକ୍ତିତ୍ୱ ଥିଲେ ବିଜୁ ପଟ୍ଟନାୟକ। ତେଣୁ ୧୯୪୬ ମସିହା ଭଳି ସମୟରେ ବିମାନ କିଣି ଫ୍ଲାଇଙ୍ଗ୍ କ୍ଲବ୍ ପ୍ରତିଷ୍ଠା କରିବା ନେଇ ସରକାର ଦୋଦପାଞ୍ଚ ହେଉଥିବା ବେଳେ ବିଜୁବାବୁ ନିଜ ଉପରକୁ ସବୁ ଦାୟିତ୍ୱ ନେଇ ଯାଇଥିଲେ। ସେ କହିଥିଲେ ଯେ, କେବଳ ବିମାନ କିଣାଜନିତ ନିବେଶ ଛଡ଼ା ରାଜ୍ୟ ସରକାରଙ୍କୁ ଆଉ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ତେଣୁ ବିମାନ ତାଲିମ୍ ବେଳେ ଯଦି କୌଣସି ପ୍ରକାର କ୍ଷୟକ୍ଷତି ବା ଦୁର୍ଘଟଣା ଘଟେ ନିଜେ ତା’ର ସମସ୍ତ ଦାୟିତ୍ୱ ନେବା ସହ କ୍ଷତି ଭରଣା କରିବାକୁ ବିଜୁବାବୁ ସରକାରଙ୍କୁ ହାତ କାଟି ଲେଖି ଦେଇଥିଲେ। ଏଇଠି ବିଜୁଙ୍କ ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ସ୍ୱପ୍ନ ସତରେ ପରିଣତ ହୋଇଥିଲା।

ସେତେବେଳେ କଲିକତାଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ପାନାଗଡ଼ ଥିଲା ଏକ ବିଶାଳ ଆମେରିକୀୟ ଏୟାର ବେସ୍। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ଅନେକ ଡାକୋଟା ବିମାନ ସେଠାରେ ରଖାଯାଇଥିଲା। ତା’ ସହିତ କିଛି ଛୋଟ ବିମାନ ମଧ୍ୟ ସେହି ଏୟାର ବେସ୍‌ରେ ଥିଲା। ଆମେରିକା ସରକାର ସେଗୁଡ଼ିକୁ ଭାରତ ସରକାରଙ୍କ ହାତରେ ଟେକି ଦେଇଥିଲେ।

କୌଣସି ପ୍ରତିକୂଳ ପରିସ୍ଥିତିରୁ କିଭଳି ଭାବେ ଏକ ନୂତନ ସମ୍ଭାବନା ସୃଷ୍ଟି କରାଯାଇପାରେ ତାହା ବିଜୁ ପଟ୍ଟନାୟକଙ୍କୁ ଜଣାଥିଲା। ଏହି ବିମାନଗୁଡ଼ିକୁ ନେଇ ଭାରତ ସରକାର କ’ଣ କରିବା ଉଚିତ ବୋଲି ସେତେବେଳେ ତା’କୁ ନେଇ ପଣ୍ଡିତ ନେହରୁ ବିଭିନ୍ନ ବ୍ୟକ୍ତିଙ୍କ ସହ ଆଲୋଚନା କରୁଥାନ୍ତି।

ସେତେବେଳକୁ ଦେଶରେ ଘରୋଇ କ୍ଷେତ୍ରରେ ଜେ ଆର୍‌ ଡି ଟାଟା ବିଧିବଦ୍ଧ ଭାବେ ବିମାନ ସେବା ଆରମ୍ଭ କରିଥାନ୍ତି। ନେହରୁ ଜେଆରଡିଙ୍କୁ କହିଲେ ଯେ ସେହି ପରିତ୍ୟକ୍ତ ଆମେରିକୀୟ ବିମାନଗୁଡ଼ିକୁ ଟାଟା ସନ୍ସ ଏୟାର୍‌ୱେଜ୍‌ କିଣିନେଉ କିମ୍ବା ସେଗୁଡ଼ିକୁ ବିକି ଯାହା ଅର୍ଥ ଆସିବ ଭାରତ ସରକାରଙ୍କୁ ପ୍ରଦାନ କରିବାରେ ସାହାଯ୍ୟ କରୁ। ଜେଆରଡି ଏଥିପାଇଁ ନିଜ କମ୍ପାନିର ବରିଷ୍ଠ ଅଧିକାରୀ ମିଷ୍ଟର ଧରଙ୍କ ନେତୃତ୍ୱରେ ଏକ ବରିଷ୍ଠ ବୈଷୟିକ ଟିମ୍ ତିଆରି କରି ତାହା ଅନୁଧ୍ୟାନ କରିବା ପାଇଁ ପାନାଗଡ଼ ପଠାଇଥିଲେ। ମିଷ୍ଟର ଧର ଏଥିପାଇଁ ନିଜ ପରିବାର ସହ କିଛି କାଳ ପାନାଗଡ଼ରେ ରହିଥିଲେ।

ମିଷ୍ଟର ଧର ଓ ତାଙ୍କର ପରିବାରକୁ ବିଜୁ ତାଙ୍କ ପାଇଲଟ୍ ଜୀବନରୁ ବ୍ୟକ୍ତିଗତ ଭାବେ ଜାଣିଥିଲେ। ତେଣୁ ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ସ୍ୱପ୍ନ ଦେଖୁଥିବା ବିଜୁ କେତେ ଥର ପାନାଗଡ଼ ଯାଇ ଧରଙ୍କ ଘରେ ଅତିଥି ହୋଇଥିଲେ। ବିଜୁଙ୍କ ଅନୁରୋଧକ୍ରମେ କ୍ୟାପଟେନ୍ ଧର ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ପାଇଁ ଚାରୋଟି ବିମାନ ବାଛି ଦେଇଥିଲେ। ସେଗୁଡ଼ିକ ମଧ୍ୟରେ ଥିଲା ଏକ ୨୮- ସିଟର୍ ଡବଲ୍ ଇଞ୍ଜିନ୍ ଥିବା ଡାକୋଟା, ଗୋଟିଏ ୮ ସିଟର୍ ନର୍ସମ୍ୟାନ୍, ଗୋଟିଏ ୪  ସିଟର୍ ଅର୍ଗସ୍ ଏବଂ ଦୁଇଟି ୨ ସିଟର୍ ଏଲ୍-୫ ବିମାନ। ଏଗୁଡ଼ିକୁ ବେଶ୍ ଶସ୍ତାରେ ଓଡ଼ିଶା ସରକାରଙ୍କ ପାଇଁ ଯୋଗାଡ଼ କରିଥିଲେ ବିଜୁ।

୬୫ ହଜାର ଟଙ୍କାରେ ୫ଟି ବିମାନ

ଏହି ବିମାନ କିଣା ବାବଦରେ ସରକାରଙ୍କୁ ମୋଟ୍ ୬୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ସରକାରଙ୍କ ପାଇଁ ଏହା ସେଭଳି କିଛି ବଡ଼ ଧରଣର ନିବେଶ ନଥିଲା। ସବୁଠାରୁ ବଡ଼ କଥା ଥିଲା ଯେ ଓଡ଼ିଶା ସରକାରଙ୍କ ପାଇଁ ଏହା ଏକ ଦୀର୍ଘସୂତ୍ରୀ ସମ୍ଭାବନା ଆଣି ଦେଇପାରିବ ବୋଲି ମହତାବ ବିଚାର କରିଥିଲେ। ତା’ଛଡ଼ା ଏହି ନିବେଶ ବାବଦରେ ସମସ୍ତ ରିସ୍କ ବିଜୁ ପଟ୍ଟନାୟକ ନେଇଥିବାରୁ ସରକାରଙ୍କର ଏଥିରେ ବିଶେଷ ଚିନ୍ତା କରିବାର ନଥିଲା।

ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ପାଇଁ ବିମାନ କିଣା ହୋଇଗଲା ସତ କିନ୍ତୁ ସେଗୁଡ଼ିକ ବାସ୍ତବରେ ଉଡ଼ିବା ଅବସ୍ଥାରେ ନଥିଲା। ପ୍ରତିଟି ବିମାନକୁ ତନ୍ନ ତନ୍ନ କରି ପରୀକ୍ଷା କରିବା ସହ ଆବଶ୍ୟକ ଯନ୍ତ୍ରାଂଶ ବଦଳାଇ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଜରୁରୀ ଥିଲା। ତେବେ ଏଥିପାଇଁ ସ୍ପେଆର୍ ପାର୍ଟସ ଆସିବ କେଉଁଠୁ? ସେତେବେଳେ ଜଣାଶୁଣା ଗ୍ରାଉଣ୍ଡ ଇଞ୍ଜିନିୟର ଏଲ୍ ମିଶ୍ରଙ୍କୁ ଏହି ଦାୟିତ୍ୱ ଦିଆଗଲା। ଆବଶ୍ୟକ ସ୍ପେଆର୍ ପାର୍ଟସ ଖୋଜି ଲଗାଇବା ସହ କିଣାଯାଇଥିବା ଡାକୋଟାକୁ ଅଳ୍ପ ଦିନ ଭିତରେ ଉଡାଣ ଉପଯୋଗୀ କରିବା ଥିଲା ମୁଖ୍ୟ ଲକ୍ଷ୍ୟ। ତା’ ସହିତ ଆମେରିକୀୟ ମିଲିଟାରି ପାଇଁ ଏହି ଡାକୋଟା ଆଗରୁ ବ୍ୟବହାର ହେଉଥିବାରୁ ଏହାକୁ ବିଧିବଦ୍ଧ ଭାବେ ବେସାମରିକ ଚଳାଚଳ ଉପଯୋଗୀ କରିବା ମଧ୍ୟ ଜରୁରୀ ଥିଲା।

ଏହିସବୁ କାମ ଚାଲିବା ଭିତରେ ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ପ୍ରତିଷ୍ଠା ହୋଇଥିଲା। ପ୍ରଥମ ଦଫାରେ ବିଜୁ ପଟ୍ଟନାୟକ ୩୬ ଜଣ ଟ୍ରେନି ନେଇଥିଲେ। ସେମାନଙ୍କ ମଧ୍ୟରେ ପାଇଲଟ୍, ରେଡିଓ ଅଫିସର୍ ଏବଂ ଗ୍ରାଉଣ୍ଡ ଇଞ୍ଜିନିୟର – ପ୍ରତ୍ୟେକ ବିଭାଗରେ ଥିଲେ ୧୨ ଜଣ।

ଯେହେତୁ ସେତେବେଳେ ତାଲିମ୍ ପାଇଁ ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ହାତରେ କୌଣସି ବିମାନ ନଥିଲା ବିଜୁ ଭାବିଲେ ଏହି ୩୬ ଜଣ ପାନାଗଡ଼ ଯାଇ ଡାକୋଟା ବିମାନର ବିଶେଷଜ୍ଞ ମିଷ୍ଟର ମିଶ୍ରଙ୍କୁ କାମରେ ସହଯୋଗ କରିବା ଦରକାର। ଏହା ହେଲେ ତାଲିମଧାରୀମାନେ ମଧ୍ୟ ବିମାନ ସମ୍ପର୍କରେ ପ୍ରାଥମିକ ଜ୍ଞାନ ହାସଲ କରିପାରିବେ। ବିଜୁଙ୍କ ଏହି ଭାବନା ବେଶ୍ କାମ ଦେଲା। ଏହି ଡାକୋଟା ବିମାନଟି ପ୍ରସ୍ତୁତ ହୋଇଯିବା ପରେ ଭାରତରେ ତା’ର ରେଜିଷ୍ଟ୍ରେସନ କରାଯାଇଥିଲା। ଏହାର ରେଜିଷ୍ଟ୍ରେସନ୍ ନମ୍ବର ଥିଲା ଭିଟି-ସିଏଲ୍ଏ/୧୯୪୭।

ପାନାଗଡ଼ରେ ଡାକୋଟାର ରି-ଫିଟିଂ କାମ ଚାଲିଥିଲା ମିଷ୍ଟର ମିଶ୍ରଙ୍କ ତତ୍ତ୍ୱାବଧାନରେ। ହେଲେ ସେ ଛୋଟ ବିମାନଗୁଡ଼ିକର ବିଶେଷଜ୍ଞ ନଥିଲେ। ତେଣୁ ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ପକ୍ଷରୁ ଅନ୍ୟ ବିମାନଗୁଡ଼ିକୁ ପରୀକ୍ଷାକରି ବ୍ୟବହାର ଉପଯୋଗୀ କରିବା ପାଇଁ ଏୟାର୍‌ଫୋର୍ସରୁ ଅବସରପ୍ରାପ୍ତ ଇଞ୍ଜିନିୟର୍ ଏ କେ ପାଲିତଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ ଏହି ବିମାନଗୁଡ଼ିକ ପାଇଁ ବିଭିନ୍ନ ଛୋଟ ବଡ଼ ଯନ୍ତ୍ରାଂଶ ମିଳୁନଥିବାରୁ ଏଗୁଡ଼ିକୁ ଉଡ଼ାଣ ପାଇଁ ପ୍ରସ୍ତୁତ କରିବା ସବୁଠାରୁ ବଡ଼ ଆହ୍ୱାନ ହୋଇଥିଲା।

ସ୍ପେୟାର୍ ପାର୍ଟସ ଅଭାବର ମୁକାବିଲା କରିବା ପାଇଁ ବିଜୁ ଦେଶର ଅନ୍ୟ ଏୟାର୍ ବେସରେ ମଧ୍ୟ ପତ୍ତା ଲଗାଇଥିଲେ। ଶେଷରେ ସେ ବାରାକପୁର ଏୟାର୍ ବେସରେ ଏକପ୍ରକାର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଆମେରିକୀୟ ଯୁଦ୍ଧବିମାନଗୁଡ଼ିକରୁ ଏହା ଆଣି ସେତେବେଳର ଆବଶ୍ୟକତାକୁ ପୂରଣ କରିଥିଲେ।

କ୍ଷତିଭରଣା କଲେ ବିଜୁ

ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ଅଧୀନରେ ବିମାନ ଚାଳନା ଟ୍ରେନିଂ ସମୟରେ କେତେ ଥର ଦୁର୍ଘଟଣା ଘଟିଛି। ତେବେ ସରକାରଙ୍କ ସହ ସେ କରିଥିବା ଚୁକ୍ତି ଅନୁଯାୟୀ ପ୍ରତିଥର ବିଜୁବାବୁଙ୍କୁ ଏ ବାବଦ କ୍ଷତି ଭରଣା କରିବାକୁ ପଡ଼ିଛି। ଯେତେବେଳେ ୮ ସିଟର୍ ନର୍ସମ୍ୟାନ୍ ଧାମରା ଉପକୂଳରେ ଖସି ପଡ଼ିଲା, ବିଜୁଙ୍କୁ ହାତରୁ ଗଣିବାକୁ ପଡ଼ିଥିଲା ୧୧ହଜାର ଟଙ୍କା। କାରଣ ଏତିକି ଟଙ୍କାରେ ସେହି ବିମାନଟିକୁ ସରକାର କିଣିଥିଲେ। ସେହିପରି ଜାମସେଦପୁରରୁ ଭୁବନେଶ୍ୱର ଫେରିବା ବେଳେ ଏଲ୍-୫ ବିମାନଟି ଯାଜପୁର ନିକଟରେ ଖରାପ ପାଗର ମୁକାବିଲା କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୨ ଜଣ ଟ୍ରେନି ପାଇଲଟ୍ ପ୍ରଭାତ ମହାପାତ୍ର ଏବଂ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ମୃତ୍ୟୁବରଣ କରିଥିଲେ। ସେତେବେଳେ ଏହି ବିମାନ କ୍ଷତି ବାବଦକୁ ସରକାରଙ୍କୁ ୫ହଜାର ଟଙ୍କା ପରିଶୋଧ କରିଥିଲେ ବିଜୁ ପଟ୍ଟନାୟକ।

ସେହିପରି କେସି ତ୍ରିପାଠୀ ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍‌ର ଉଡାଣ କରୁଥିବା ବେଳେ ଆଉ ଏକ ଏଲ୍-୫ ପୁରୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକପ୍ରକାର ଭାଙ୍ଗି ଯାଇଥିଲା। ଫ୍ଲାଇଙ୍ଗ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣାର ଶିକାର ହେବାର ଅନେକ ନଜିର୍ ରହିଛି। ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ସେ ଦୃଷ୍ଟିରୁ ଭିନ୍ନ ନଥିଲା। ତେବେ କେତୋଟି ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସବୁଠାରୁ ବଡ଼ ସମସ୍ୟା ହୋଇଥିଲା ତାଲିମ୍ ପାଇଁ ବିମାନର ଅଭାବ। ଏହି ସମୟରେ ବିଜୁ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ଓଡ଼ିଶା ସରକାର ଅଷ୍ଟ୍ରେଲିଆରୁ ଏକ ୮ ସିଟର୍ ଟାଇଗର୍‌ମଥ୍‌ ବିମାନ କିଣି ଫ୍ଲାଇଙ୍ଗ୍ କ୍ଲବକୁ ଦେଇଥିଲେ। କ୍ୟାପଟେନ୍ ଜେ ମାଥାଇଲ୍ ଏହି ବିମାନର ଚିଫ୍ ଫ୍ଲାଇଙ୍ଗ୍ ଇନଷ୍ଟ୍ରକଟର ଭାବେ ନିଯୁକ୍ତ ହୋଇଥିଲେ।

ବିଜୁବାବୁ କେବଳ ନିଜେ ଜଣେ ବିଚକ୍ଷଣ ବୈମାନିକ ହୋଇଥିଲେ ତାଙ୍କ ପ୍ରତିଭା ହୁଏତ ବିମାନ ଚାଳନା ଭିତରେ ସୀମିତ ହୋଇଥାନ୍ତା। କିନ୍ତୁ ତାଙ୍କ ଭିତରେ ଅହରହ ଜଣେ ଉଦ୍ୟୋଗୀର ମନ ଛଟପଟ ହେଉଥିବାରୁ ସେ ବିମାନ ଚାଳନା ତାଲିମକୁ ସେତେବେଳେ ଏକ ନୂତନ ସମ୍ଭାବନା ଭାବେ ଠିଆ କରିପାରିଥିଲେ। କେବଳ ସେତିକି ନୁହେଁ ତତ୍କାଳୀନ ଭାରତରେ ନିଜେ କଳିଙ୍ଗ ଏୟାରଲାଇନ୍ସ ନାଁରେ ଏକ ଘରୋଇ ବିମାନ କମ୍ପାନି କରିପାରିଥିଲେ। ଏହି କମ୍ପାନିର ପ୍ରତିଷ୍ଠାତା ବିଜୁ ପଟ୍ଟନାୟକ ଓ ତାଙ୍କର ସାଥୀ ପାଇଲଟ୍‌ମାନେ ଭାରତର କଶ୍ମୀର, ଉତ୍ତର ପୂର୍ବାଞ୍ଚଳର ଦୁର୍ଗମ ପାହାଡ଼ି ଅଞ୍ଚଳ ଏପରିକି ବିଦେଶ ମାଟିରେ ନିଜର ଶହ ଶହ ଓ ଦକ୍ଷତା ପ୍ରଦର୍ଶନ କରିପାରିଥିଲେ।

ଓଡ଼ିଶା ଫ୍ଲାଇଙ୍ଗ୍ କ୍ଲବ୍ ଥିଲା ବିଜୁବାବୁଙ୍କ ମାନସ ସନ୍ତାନ ଓ ଆରମ୍ଭରୁ ସେ ନିଜେ ଏହାର ପରିଚାଳନା କରୁଥିଲେ। ପରବର୍ତ୍ତୀ ସମୟରେ ଏହି ତାଲିମ୍ ଅନୁଷ୍ଠାନ ଗଭର୍ଣ୍ଣମେଣ୍ଟ ଏଭିଏସନ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଭାବେ ପରିଚିତ ହୋଇଥିଲା।

(ବିଜୁ ପଟ୍ଟନାୟକ ଭଣଜା ତଥା ଏକଦା କଳିଙ୍ଗ ଶିଳ୍ପ ସମୂହର ପରିଚାଳନା ଦାୟିତ୍ୱାର ଥିବା ଇଞ୍ଜିନିୟର ଅଜିତ୍‌ ମହାପାତ୍ର ବିଜୁଙ୍କ ଜୀବନୀକୁ ନେଇ ଲେଖିଥିବା ଅପ୍ରକାଶିତ ପୁସ୍ତକ ତଥା ବିଭିନ୍ନ ସୂତ୍ରରୁ ପ୍ରାପ୍ତ ସୂଚନା ଉପରେ ଆଧାରିତ।)

Comment