ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୋକିଲା ପେଟକୁ ଖାଦ୍ୟ ଯୋଗାଉଛନ୍ତି ବସ୍ତି ଯୁବକ। ଲକଡାଉନ୍ ପାଇଁ ଏବେ କାମ ନପାଇ ଦିନ ମଜୁରିଆମାନେ ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି। ଏଭଳି ସମୟରେ ତାଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି କିଛି ବସ୍ତି ଯୁବକ।

ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଅନେକ ଦିନ ମଜୁରିଆମାନେ କାମ କରି ନିଜର ପରିବାର ପେଟ ପୋଷିଥାନ୍ତି। ତେବେ ଲକଡାଉନ୍ ଏବେ ସେମାନଙ୍କ ପାଇଁ ଖରାପ ସମୟ ନେଇଆସିଛି। କାମ ନମିଳିବା କାରଣରୁ ଏବେ ସେମାନଙ୍କୁ ଭୋକ ଉପାସରେ ରହିବାକୁ ପଡୁଛି। ତେବେ ଏହି ଦିନ ମଜୁରିଆଙ୍କ ଭୋକ ଦୂର କରିବାକୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏକାଠି ହୋଇଛନ୍ତି।

ଏହି ଯୁବକମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏହି ଦିନ ମଜୁରିଆମାନଙ୍କୁ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି। ଏଥିସହିତ ସେମାନଙ୍କୁ ଲକଡାଉନ୍ ସମୟରେ ସୁରକ୍ଷିତ ରହିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି। ନୟାପଲ୍ଲୀ ଅଞ୍ଚଳ ଗଣେଶ କ୍ଲବର ଏହି ଯୁବକମାନେ ଗତ ୧୦ ଦିନ ଧରି ପ୍ରତିଦିନ ୩୦୦ରୁ ଅଧିକ ଲୋକଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳରେ ଏବେ ବି ଅନେକ ଲୋକ ଭୋକରେ ରହୁଥିଲେ ମଧ୍ୟ ସେମାନଙ୍କ ପାଖରେ ପ୍ରଶାସନ ରନ୍ଧାଖାଦ୍ୟ ପହଞ୍ଚାଇ ପାରିନି ବୋଲି ଏହି ଯୁବକମାନେ କହିଛନ୍ତି।ଏହି ଯୁବକମାନେ ନିଜର ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରି ବସ୍ତିର ବିଭିନ୍ନ ଗରିବ ଲୋକ ଓ ଭୋକ ଉପାସରେ ରହୁଥିବା ପରିବାରକୁ ଖାଇବା ଯୋଗାଉଛନ୍ତି। ତେବେ ଲକଡାଉନ୍ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଥିବା ହେତୁ ଆଗାମୀ ଦିନରେ ତାଙ୍କୁ ସ୍ଥାନୀୟ ପ୍ରଶାସନ ଏଥିରେ ସହାୟତା କରିବାକୁ ସେମାନେ ନିବେଦନ କରିଛନ୍ତି।

Comment