ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଜାବ ମୋହାଲିସ୍ଥିତ ଚଣ୍ଡୀଗଡ଼ ୟୁନିଭରସିଟିର ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ବିଭାଗୀୟ ମୁଖ୍ୟ ଡକ୍ଟର ଫକୀର ମୋହନ ନାହାକଙ୍କ ଲକ୍‌ଡାଉନ୍‌ ଡାଏରି। 

ଘରଠୁ ଦୁଇ ହଜାର କିଲୋମିଟର ଦୂରରେ ପଞ୍ଜାବର ଚଣ୍ଡୀଗଡ଼ ୟୁନିଭରସିଟିରେ ଅଧ୍ୟାପନା ଆରମ୍ଭ କରିବା ପରେ, ପୂର୍ବରୁ ଥିବା ପ୍ରାୟ କୋଡ଼ିଏ ବର୍ଷର ପେସାଗତ ଅଭ୍ୟାସ ସବୁ ବଦଳି ସାରିଲାଣି। ଟେଲିଭିଜନ ସାମ୍ବାଦିକତା ଛାଡ଼ିବା ଓ ଅଧ୍ୟାପନାକୁ ଆପଣେଇବା ପରେ ହୁଏତ ଗତ ଦୁଇବର୍ଷ ଭିତରେ ମୁଁ ଏତିକି ନ୍ୟୁଜ୍ କେବେ ଟିଭିରେ ଦେଖିନଥିଲି। ଓଡ଼ିଆ, ପଞ୍ଜାବୀ, ହିନ୍ଦୀ ଏବଂ ଇଂରାଜୀ ଭାଷାର ଟିଭି ନ୍ୟୁଜ୍ ଦେଖିବା ବେଳେ ମୁଁ ଏବେ ପୁଣି ଥରେ ଅନୁଭବ କରିପାରୁଛି ନ୍ୟୁଜ୍ ରୁମର ଉଷ୍ମତା। କୋଭିଡ୍-୧୯ର ମୁକାବିଲା ପାଇଁ ସାରା ବିଶ୍ୱରେ ଯୋଦ୍ଧାମାନେ ଲାଗି ପଡ଼ିଥିବା ବେଳେ ସାମ୍ବାଦିକମାନଙ୍କ ଅବଦାନକୁ ଅଣଦେଖା କରାଯାଇନପାରେ। ମନକହୁଛି ପୁଣି ଥରେ ନ୍ୟୁଜ୍ ରୁମକୁ ଫେରିଯାଇ ଏଭଳି ଏକ ବିଶ୍ୱସଂକଟ କାଳରେ କାମ କରିବା ପାଇଁ।

ସାରା ବିଶ୍ୱରେ କରୋନା ମହାମାରୀର ମୁକାବିଲା ପାଇଁ ସଂଘର୍ଷ ଚାଲିଛି। ଏହି କ୍ରମରେ ଗତ ମାର୍ଚ୍ଚ ୧୯ ତାରିଖଠାରୁ ଏଠାରେ ପଞ୍ଜାବ ସରକାର ସମସ୍ତ ସାମାଜିକ ସଂପର୍କ ଉପରେ କଟକଣା ଲଗାଇ ସାରିଥିଲେ। କେବଳ ସେଥିପାଇଁ ସେହିଦିନଠାରୁ ଆଜି ଯାଏଁ, ଅର୍ଥାତ୍ ପ୍ରାୟ ଏକ ମାସ ହେଲା ଘରର ଚାରିକାନ୍ଥ ଭିତରେ ଜୀବନ ଚାଲିଛି। ସବୁଠୁ ବଡ଼କଥା ହେଉଛି, ଏହି ସମୟ ଭିତରେ କେମିତି ଜୀବନର ଅନ୍ୟାନ୍ୟ କାର୍ଯ୍ୟ ସବୁ ଠିକରେ ଚାଲିପାରିବ ସେଥିପାଇଁ ବି ପ୍ରୟାସ ଚାଲିଛି। ଏଇତକ ଦିନ ସମୟ କେମିତି ଅତିବାହିତ ହେଉଛି ଜଣା ହିଁ ପଡୁନାହିଁ। ଦିନକୁ ବାରରୁ ଚଉଦ ଘଣ୍ଟା କାମ କରିବା ପରେ ବି ଲାଗୁଛି ଆହୁରି ସମୟର ଆବଶ୍ୟକତା ରହିଛି।

ବ୍ୟକ୍ତିଗତ ଭାବରେ ଏହି ଲକ୍ ଡାଉନ୍ ସମୟରେ ମୋର ନିଜସ୍ୱ ଅନୁଭୂତି ମୋର ପୂର୍ବ ଅଭିଜ୍ଞତାକୁ ଅଧିକ ବଳିଷ୍ଠ କରିବାରେ ସହାୟକ ହୋଇଛି। ଯଦିଓ ବିଶ୍ୱବିଦ୍ୟାଳୟରେ ଛାତ୍ର ଉପସ୍ଥାନଠାରୁ ଶ୍ରେଣୀ ଗୃହରେ ଶିକ୍ଷାଦାନ, ପରୀକ୍ଷା ଓ ମୂଲ୍ୟାୟନ ଯାଏଁ ସବୁକାମ ଡିଜିଟାଲ ପ୍ଲାଟଫର୍ମରେ କରିବାକୁ ପଡୁଥିଲା, କିନ୍ତୁ ଅନ୍ତତଃ ସେଠାରେ ପିଲାଙ୍କ ଉପସ୍ଥିତି ଥିଲା ଶ୍ରେଣୀଗୃହ ଭିତରେ।

ହେଲେ ଆଜି ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ପ୍ରଥମ ଥର ପାଇଁ ଗୋଟିଏ ଶ୍ରେଣୀର ୫୦ରୁ ଅଧିକ ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଇବାର ସୁଯୋଗ ମିଳିଲା। ଯେହେତୁ ସମସ୍ତେ ନିଜ ନିଜ ଘରେ ଅଛନ୍ତି, ତେଣୁ ଅନଲାଇନ ପାଠ ପଢ଼ାଟା ଅଧିକ ସରଳ ହୋଇପାରିଲା। ନିଜ କଂପ୍ୟୁଟରର ପରଦା ଉପରେ ଏକା ସାଙ୍ଗରେ ଏତେ ପିଲାଙ୍କୁ ଦେଖିବା ଓ ସେମାନଙ୍କ ସାଙ୍ଗରେ ଆଲୋଚନା କରିବା ବେଳେ ମୋ ଭିତରେ କିଛି ପ୍ରଶ୍ନ ଉଠିଛି। ଏଭଳି ବ୍ୟବସ୍ଥାକୁ ସବୁ ବିଶ୍ୱବିଦ୍ୟାଳୟ ନିଜ ନିୟମିତ ପାଠ୍ୟକ୍ରମ ଭିତରେ ଏକ ବିକଳ୍ପ ଭାବେ ଅନ୍ତର୍ଭୁକ୍ତ କରିବା ଦରକାର। ଆଉ ଏଥିପାଇଁ ତୃଣମୂଳ ସ୍ତରରେ ଶିକ୍ଷାଦାନ ବ୍ୟବସ୍ଥାର ଭିତ୍ତିଭୂମିର ବିକାଶ କରିବା ଉଚିତ୍ ନୁହେଁ କି।

ଏତିକି ଦିନ ମୁଁ କେବଳ ଅନ୍ ଲାଇନରେ ପାଠ ପଢ଼ାଇବା କାମରେ ନିଜକୁ ସୀମିତ ରଖିନାହିଁ, ପିଲାଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପୋର୍ଟାଲରେ ସମସ୍ତ ପାଠ୍ୟପୁସ୍ତକ, ନୋଟ୍ ଇତ୍ୟାଦି ପ୍ରସ୍ତୁତି କରି ଅପଲୋଡ୍ କରିବାକୁ ପଡ଼ିଛି। ଏ ତ ସବୁ ପେସାଗତ ଜୀବନର କଥା। କିନ୍ତୁ ଏହି ଲକ୍ ଡାଉନ୍ ସମୟ ତକ କଟାଇବାରେ ଅଧିକ ସହାୟକ ହୋଇଛି ଟେଲିଭିଜନ। ବିଶେଷକରି ପିଲାଦିନର ସ୍ମୃତିକୁ ରୋମନ୍ଥନ କରିବାରେ ଅଧିକ ସହାୟକ ହୋଇଛି ରାମାନନ୍ଦ ସାଗରଙ୍କ ରାମାୟଣ ଏବଂ ବଳଦେବରାଜ ଚୋପଡ଼ାଙ୍କ ମହାଭାରତ। ପୁରୁଣାପାଠର ପୁନରାବୃତ୍ତି ଭଳି, ଏହି ରାମାୟଣ ଓ ମହାଭାରତ ମୋ ସ୍ମୃତିକୁ ଅଧିକ ବଳିଷ୍ଠ କରିଛନ୍ତି।

ପିଲାଦିନରେ ଜେଜବାପାଙ୍କଠାରୁ ରାମାୟଣ ଓ ମହାଭାରତ ସମ୍ପର୍କିତ ପ୍ରତିଟି କାହାଣୀ ଶୁଣି ଅଧିକ ଜିଜ୍ଞାସୁ ହୋଇଉଠୁଥିବା ଏକ ଚପଳ ମନ, ଯେତେବେଳେ ବର୍ତ୍ତମାନ ମୋ ଝିଅର ଅକ୍ଷୟ ତୁଣୀରରୁ ବାହାରୁଥିବା ଅନ୍ତହୀନ ପ୍ରଶ୍ନ ସବୁର ଉତ୍ତର ଦେଉଛି, ସେତେବେଳେ ଲାଗୁଛି ସେଦିନର ଶିକ୍ଷା ଆଜି ସାର୍ଥକ ହୋଇପାରିଛି।

କାର୍ଯ୍ୟବ୍ୟସ୍ତତା ପାଇଁ ମୋ ଛୁଆଙ୍କୁ ମୁଁ ସମୟ ଦେଇପାରୁନଥିଲି। ଏବେ ଅନ୍ତତଃ ସେମାନଙ୍କ ସହ କିଛି ସମୟ ବିତିପାରୁଛି। ଏସବୁ ବ୍ୟତୀତ ନିଜେ ପଢ଼ିବା ପାଇଁ ସୁଯୋଗ ମିଳିଛି। ତେଣୁ କିଛି ଗବେଷଣାତ୍ମକ ନିବନ୍ଧ ଲେଖିବା ସହିତ ସାମ୍ବାଦିକତା ସମ୍ପର୍କିତ ଏକ ପୁସ୍ତକର ସମ୍ପାଦନା କାର୍ଯ୍ୟ ଚାଲିଛି।

ମୋଟାମୋଟି କହିବାକୁ ଗଲେ, କରୋନାକୁ ନେଇ କୌଣସି ଭୟ ମୋ ମନରେ ନାହିଁ। ଟେଲିଭିଜନରେ ଜଣେ ଡାକ୍ତରଙ୍କ ମନ୍ତବ୍ୟ ମୋର ମନକୁ ଢେର୍ ପାଇଛି। ସେ କହୁଥିଲେ, ଏଇଟା ଏମିତି ଏକ ଭୂତାଣୁ ଯାହାର ଇଗୋ (ଅହଂକାର) ଢେର ଅଧିକ। ସେ ସବୁବେଳେ ବାହାରେ ହିଁ ରହିବ, ଯେତେବେଳ ଯାଏଁ ଆମେ ଘରୁ ବାହାରକୁ ଯାଇ ତାକୁ ଘରକୁ ନିମନ୍ତ୍ରଣ କରି ଆଣିନାହାନ୍ତି। ତେଣୁ ମାସେ ହେଲାଣି ଘରର ଚାରିକାନ୍ଥ ଭିତରେ ଥିଲେ ବି ମୋତେ କୌଣସି ଫରକ୍ ପଡ଼ୁନି। ବରଂ ବାହାରର ଚଟପଟା ଖାଦ୍ୟ, ଧୂଆଁ ଧୂଳି ଓ କୋଳାହଳଠୁ ଢେର ଦୂରରେ ଜୀବନ ଅନବରତ ଚାଲିଛି।

ଉପଲବ୍ଧ ସ୍ୱଳ୍ପ ଖାଦ୍ୟରେ ମନ ସନ୍ତୁଷ୍ଟ ଅଛି। ଶାନ୍ତ ଅଛି। “ମନଃଏବ ମନୁଷ୍ୟାଣାଂ କାରଣଂ ବଦ୍ଧ ମୋକ୍ଷୟେ” .. ବାସ୍, ମନ ହିଁ ସବୁକିଛି। ଥରେ ମନକୁ ବୁଝାଇଦେଲା ପରେ ବର୍ଷ ବର୍ଷ ଧରି ଘର ଭିତରେ ରହିଲେ ବି କେବେହେଲେ ନିଜକୁ ବନ୍ଦୀ ଭଳି ଅନୁଭବ ହେବ ନାହିଁ। କିନ୍ତୁ ମନ ଯେବେ ନବୁଝୁଛି, ତାହେଲେ ଅଧଘଣ୍ଟାଏ ପାଇଁ ବି ଯଦି ଘର ଭିତରେ ରହିବାକୁ ପଡ଼ିଲା, ତାହା ଦୀର୍ଘବର୍ଷର କାରାବାସ ଭଳି ମନେ ହେବ। ମନ ବିଦ୍ରୋହ କରିବ।

ଏଭଳି ଏକ ଜିଦଖୋର୍ ଅମାନିଆ ମହାମାରୀକୁ ମାରିବାକୁ ହେଲେ ମନକୁ ପ୍ରଥମେ ମାରିବାକୁ ହେବ। ମନକୁ ଆପଣା ଆୟତ୍ତରେ ବାନ୍ଧିବାକୁ ହେବ। ତେବେ ଯାଇ ଆମେ ବିଜୟୀ ହୋଇପାରିବା। କରୋନାକୁ ପରାସ୍ତ କରିପାରିବା।

LEAVE A REPLY

Please enter your comment!
Please enter your name here