ଭରି ଯାଇଥିବା ଯେତେ କ୍ଷତ, ଯେତେ ଗାତ/ କେହି ଜଣେ ପୋଛିନେବ ହାତ ପାପୁଲିରେ/ ଏ ମାଟିରେ ହିଂସା ସହ ବହିଛି ଯେ ରେତ/ ବିନ୍ଦୁ ବିନ୍ଦୁ ସଞ୍ଚରିବ ଜୀବନ ପ୍ରେମରେ। … ଲକ୍‌ଡାଉନ ସମୟରେ କିଏ ଭବିଷ୍ୟତ ଚିନ୍ତାରେ, ଆଉ କିଏ କବିତା ଚିନ୍ତାରେ!

ଏବେ ଯେହେତୁ ବିଶ୍ଵବ୍ୟାପୀ କରୋନାର ସମୟ, ଆମେ ସେଥିପାଇଁ ଗୋଟିଏ ଲକଡାଉନ୍ ଦେଇ ଗତି କରୁଛେ। ଏମିତି ଲକ୍‌ଡାଉନ୍ ଯାହା କେବେ ଆମେ ଜାଣିନଥିଲେ। ହୁଏତ ଏଭଳି ଗୋଟିଏ ଅସୁବିଧାର ସମ୍ମୁଖୀନ ହେବା ପାଇଁ ସାରା ପୃଥିବୀର କେଉଁ ଦେଶ ବି ପ୍ରସ୍ତୁତ ନଥିଲା! ଯେତେବେଳେ ସମ୍ଭ୍ରାନ୍ତ ଦେଶମାନଙ୍କର ଅବସ୍ଥା ବହୁତ ଖରାପ ହୋଇଗଲାଣି ସେତେବେଳେ ଆମେ ଖୁବ୍ ଭଲରେ ଅଛେ ବୋଲି ଭାବିବାକୁ ହେବ। ମୁଁ ତ କହିବି ଯେ ଓଡ଼ିଶାରେ ଆମେ ସେ ଅନୁସାରେ ବହୁତ ଭଲରେ ଅଛେ।

ମୁଁ ବ୍ୟକ୍ତିଗତ ଭାବରେ ଯେହେତୁ ଘର ଭିତରେ ଅଛି, ମୋ ପରିବାର ସହିତ ଅଛି, ମୋ ପାଖରେ ମୋ ଝିଅ ଅଛି, ସ୍ଵାମୀ ଅଛନ୍ତି; ମୋଟାମୋଟି ଦେଖିବାକୁ ଗଲେ ସବୁ ଠିକ୍‌ଠାକ୍ ହିଁ ଅଛି। କିନ୍ତୁ ଏଇ ସମୟରେ ବହୁତ ଦେଶରେ, ଦୂର ଦେଶରେ ମୋର ବହୁତ ସାଙ୍ଗ ବଡ଼ ଅସୁବିଧାରେ ଅଛନ୍ତି। ଯେହେତୁ ମୁଁ କିଛି ବର୍ଷ ଇଂଲଣ୍ଡରେ ରହିଥିଲି, ସେଥିପାଇଁ ଇଂଲଣ୍ଡରେ ମୋ ବନ୍ଧୁମାନେ ଅଛନ୍ତି ଯେଉଁମାନେ କି ବହୁତ ଅସୁବିଧାରେ ଅଛନ୍ତି। ତା’ ସହିତ ସେମାନଙ୍କ ପାଇଁ ସଂକ୍ରମଣର ସବୁବେଳେ ଭୟ ଅଛି। ସେ ତୁଳନାରେ ଆମେମାନେ ବେଶ୍ ଭଲରେ ଅଛେ।

ସେଥିପାଇଁ ଲକ୍‌ଡାଉନ୍ ସମୟରେ ମୁଁ ଜମାରୁ ମନଦୁଃଖ କରୁନାହିଁ। ଏଇନେ ଆପଣମାନେ କେହି ବି ମନଦୁଃଖ କରିବା କଥା ନୁହେଁ। କାହିଁକି ନା ବିଷାଦଗ୍ରସ୍ତ ହେଲେ ମଣିଷର ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ଯାହାଫଳରେ ଆମକୁ ଯେ କୌଣସି ସଂକ୍ରମଣ ଆସିବାର ଆଶଙ୍କା ବଢ଼ିଯାଏ। ସେଥିପାଇଁ ଆମେ ଜୀବନକୁ ଯଥାସମ୍ଭବ ଯେମିତି ଥିଲା ସେମିତି ରଖିବାକୁ ଚେଷ୍ଟା କରିବା।

ଆମେ ସମସ୍ତେ ଘର ଭିତରେ ଜନ୍ମ ହେଇଛେ, ବାପା, ମାଆ, ଭାଇ, ଭଉଣୀଙ୍କ ସ୍ନେହ ମମତା ଭିତରେ ବଡ଼ ହେଇଛେ। ହୁଏତ ଏଇ ସମୟଟା ଆମକୁ ଦୀର୍ଘ ସମୟ ଘର ଭିତରେ ରହିବା ପାଇଁ କଷ୍ଟ ଲାଗୁଛି। କିନ୍ତୁ ଘର ତ କହିବାକୁ ଗଲେ ଆମ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ। ଘର ଭିତରେ ରହିବା ପାଇଁ କୁହାଯାଉଛି, ତେଣୁ ଆମେ ଘର ଭିତରେ ରହିବା ଓ ସୁରକ୍ଷିତ ରହିବା।

ବ୍ୟକ୍ତିଗତ ଭାବେ ଯଦି ପଚାରିବେ ମୁଁ କେମିତି କାଟୁଛି ଲକ୍‌ଡାଉନର ସମୟ ତା’ ହେଲେ ଶୁଣନ୍ତୁ। ଯେହେତୁ ମୁଁ ଜଣେ ଲେଖିକା ସେଥିପାଇଁ ଆଗ ଆଗ ବହୁତ ଲେଖିବାକୁ ଚେଷ୍ଟା କଲି। ଦେଖିଲି ମନ ଏତେ ଅଶାନ୍ତ ରହୁଛି ଯେ ବିଶେଷ କିଛି ଲେଖାଲେଖି କରିପାରୁନି। ତେବେ ମୁଁ ବହୁତ ବେଶୀ ପଢ଼ିବା ପାଇଁ ଚାହୁଁଛି। ମୋ ପାଖରେ ମୋର ଗୋଟିଏ ଗେହ୍ଲା ଝିଅ ଅଛି, ଯାହାକୁ ନେଇ ମୋର ଅନେକ ସମୟ ଚାଲିଯାଉଛି। ଝିଅ ସହିତ ଗପିବାରେ ମୋର ଏତେ ସମୟ ଯାଏ ଯେ କେତେବେଳେ ସକାଳ ଯାଇ ସନ୍ଧ୍ୟା ହୁଏ, ସନ୍ଧ୍ୟା ଯାଇ ରାତି ହୁଏ ଜଣାପଡ଼େନି। ତା’ର ବି ପଢ଼ାପଢ଼ି ଅଛି। ମା’ ହିସାବରେ ଆଗରୁ ତା’ର ପଢ଼ାପଢ଼ି ଦେଖିପାରୁ ନଥିଲି। ଏବେ ବେଳେ ବେଳେ ସେକଥା ଦେଖୁଛି।

ଯେହେତୁ ମୁଁ କାମ କରୁଛି ବାହାରକୁ ଯାଏ ସବୁଦିନ ସେଥିପାଇଁ ଏହି ଅଟକି ଯିବାଟା ଟିକେ କଷ୍ଟ ଲାଗୁଛି। ମୋର ବିଭିନ୍ନ ପ୍ରକାର ଜୀବନ ମୁଁ ବଞ୍ଚୁଥିଲି। ସେ ବାହାରର ଜୀବନଟା ହୁଏତ ବହୁତ ସଙ୍କୁଚିତ ହୋଇଯାଇଛି। କିନ୍ତୁ ମୁଁ ସବୁଦିନ ଆମ ସହରରେ ଯେତେ ଜଣ ବୟସ୍କ ଲେଖକ/ଲେଖିକା ଅଛନ୍ତି ବହୁତ ଜଣଙ୍କୁ ମୁଁ ଫୋନ୍ କରେ। ସମସ୍ତଙ୍କ ସହିତ କଥା ହୁଏ ଏବଂ ସେଥିପାଇଁ ମୋତେ ସେସବୁ ଖୁବ୍ ଭଲଲାଗୁଛି।

ୟା ଭିତରେ ଯଦି ମୁଁ କ’ଣ ଲେଖିଛି ଯଦି ପଚାରିବେ ନିହାତି ଭାବେ ତାହାହେଲେ ମୁଁ ଗୋଟିଏ କବିତା ଲେଖିଛି ଏବଂ ସେ କବିତାଟି ପଢ଼ି ଶୁଣାଇବା ପାଇଁ ଚାହିଁବି। କବିତାର ନାଁ ହେଲା “ଆଉ ଥରେ ତୁମ ସହ ଦେଖାହେବା ବେଳେ’’।

ଆଉ ଥରେ ତୁମ ସହ ଦେଖା ହେବା ବେଳେ/ ପକ୍ଷୀର କାକଳି ଆଉ ଗୋଧୂଳିର ରଙ୍ଗସତରେ କି

ଫେରିଯିବ ଏ ଆକାଶ ତଳେ/ ସତରେ କି ନୂଆ କରି ଲେଖାହେବ ଜୀବନ ତରଙ୍ଗ।

ଭରି ଯାଇଥିବା ଯେତେ କ୍ଷତ, ଯେତେ ଗାତ/ କେହି ଜଣେ ପୋଛିନେବ ହାତ ପାପୁଲିରେ

ଏ ମାଟିରେ ହିଂସା ସହ ବହିଛି ଯେ ରେତ/ ବିନ୍ଦୁ ବିନ୍ଦୁ ସଞ୍ଚରିବ ଜୀବନ ପ୍ରେମରେ।

କଳ୍ପନାରେ କଳ୍ପଲୋକ ଯାଏ ପାରି ହୋଇ/ ସତେ ଅବା ଭାସିଆସେ ତମ ଦେହ ବାସ୍ନା

କେତେ ଦୀର୍ଘ ସାଗର ଓ କେତେ ନଈ ଡେଇଁ/ ହେଇପାରେ ଏସବୁ ମୋ ମନ ତଳ ତୃଷ୍ଣା।

ଶୁଣିଛି ସେ ଦେଶେ ଏବେ କୁଢ଼ କୁଢ଼ ଶବ/ ପ୍ରାଚୁର୍ଯ୍ୟ ଯାଇଛି ହାରି ମୃତ୍ୟୁ ଆଗେ ନୁଆଁଇଛି ମଥା

ମଣିଷର ଅହଙ୍କାର ଆଉ ଯେତେ ମିଛ ପରାଭବ/ ଇତିହାସ ବଦଳାଇ ଲେଖା ହେବ ଜୀବନର ଗାଥା।

କେହି ଜଣେ କହିଥିଲେ ଏପ୍ରିଲ୍ ଯେ ନିଷ୍ଠୁର ସମୟ/ ଶୂନ୍ ଶାନ୍ ରାଜରାସ୍ତା ସବୁଠି ତ ବିଷାଦର ଦିଶା

କେବେ କିଏ ଭୋଗିଥିଲା ଏମିତିକା ଅସରନ୍ତି ଭୟ/ ଅନ୍ଧାରର ଶେଷ ସତେ ଫେରିବ କି ଜୀବନର ଆଶା?

ଜୀବନ ଫେରୁଛି ଏବେ ଶୁଭିଥିଲା ଆରମ୍ଭରେ ଯେଉଁଠି ଓଁକାର/ ହଜିଥିଲା ସୁର, ଲୟ କେବେଠାରୁ ମିଛ କୋଳାହଳ

ଦୂରେ ଦୂରେ ଦୂରେ ଦୂରେ ମନ ଝୁରେ/ କେତେ ଦୂରେ ବଂଶୀର ସେ ସ୍ଵର।

ସତେକି ସଜଡ଼ା ଥିବ ସବୁକିଛି/ ଆଉଥରେ ତୁମ ସହ ଦେଖାହେବା ବେଳେ।

ଏ କବିତା ଛଡ଼ା ମୁଁ ଆଉ ଦୁଇ ତିନିଟା କବିତା ଲେଖିଛି। ଗପ ପ୍ରାୟ କିଛି ଲେଖିନି। ବାକି ଆଉ ଖାଲି ସମୟ କେମିତି କଟୁଛି କହିଲେ ମୁଁ ରୋଷେଇ କରିବା ପାଇଁ ଭଲପାଏ। ଯେହେତୁ ଘରେ ଝିଅ ଅଛି, ସ୍ଵାମୀ ଅଛନ୍ତି ତେଣୁ ରୋଷେଇବାସରେ ମନ ଦେଉଛି। ବହୁତ ବେଶୀ ପ୍ରକାର ହେଉନି। କିଛି କିଛି ନୂଆ କଥା କରିବା ପାଇଁ ଚେଷ୍ଟା କରୁଛି। ଆଉ ଗୋଟାଏ ଭଲ କଥା ଯେ ମୁଁ ମୋ ଝିଅକୁ ଚାହୁଁଛି କିଛି କିଛି ପୁରୁଣା ଗପ ଶୁଣାଇବା ପାଇଁ,  କିଛି ନୂଆ କଥା କହିବା ପାଇଁ । ସେ ଗୋଟିଏ ଦୁଇଟା ବହୁତ ଭଲ ନାମ୍‌ ଫିକ୍‌ସନ୍‌ ଲେଖିଛି। ବହି ପଢ଼ୁଛି। ସେ ଯାହା କରେ ମୁଁ ତା’ ପାଖରେ ବସିବା ପାଇଁ ସେ ଚାହେଁ।

ଯାହା ମୁଁ ଆଗରୁ କରିପାରି ନଥିଲି ଏବେ ସେସବୁ କଥା କରୁଛି। ଏବେ ସମୟ ଆସିଛି ଆମେ ଯାହା ଆଗରୁ କରିପାରୁ ନଥିଲେ,  ଭାବି ଭାବି ମନ ଭିତରେ ରହିଯାଇଥିଲା ସେସବୁ କରିପାରିବା। ଆଉ ନିଜକୁ ସମୟ ଦେବା। ନିଜକୁ ଭଲପାଇବା ନଥିଲେ ଆମେ ଆଉ କାହାକୁ ଭଲପାଇବା ବାଣ୍ଟିପାରିବା ନାହିଁ। ନିଜକୁ ଭଲପାଇବାର ବେଳ ଇଏ। ନିଜ ପିଲାକୁ ଭଲପାଇବା, ପରିବାରକୁ ଭଲପାଇବା। ଯାହା ହଜିଯାଇଛି, ଯାହା ହେଇପାରିନି ବା ଯାହା ଆମ ପାଖରେ ନାହିଁ  ସେଇକଥା ନଭାବି ଯାହା ଅଛି ଆମ ପାଖରେ, ପରିବାରର ଯେଉଁ ସ୍ନେହଭାବ ଅଛି ତାକୁ ସମସ୍ତେ ଖୋଜିବା। ସମସ୍ତେ ଖୁସିରେ ରହିବା, ଘର ଭିତରେ ରହିବା, ସୁରକ୍ଷିତ ରହିବା। କରୋନା ନିଶ୍ଚୟ ହାରିବ ଏବଂ ଭାରତ ଜିତିବ। କେବଳ ଭାରତ ନୁହେଁ ଆମ ଓଡ଼ିଶାରେ ବହୁତ ବେଶୀ କ୍ଷୟକ୍ଷତି ନ ହୋଇ ନିଶ୍ଚିତ ଭାବରେ ଜିତିବ।

ପୁଣିଥରେ ମାଟି ଉପରେ ଆମେ ପାଦ ରଖିବା, ପୁଣିଥରେ ମାଟିକୁ ଫେରିବା। ଘର ଭିତରକୁ ଫେରିବା। ସେଇଠି ଆମର ସବୁ ସୁଖ ଅଛି। ଟିକିଏ ବି ଆମର କିଛି ଅସୁବିଧା ହେବନି ଯେମିତି ଆମେ ସେମିତି ନିଜକୁ ଭଲପାଇବା ଏବଂ ଭଲପାଇବା ବାଣ୍ଟୁଥିବା।

(ପ୍ରସ୍ତୁତି: ନୀଳାମ୍ବର ରଥ)

ଡକ୍ଟର ହିରଣ୍ମୟୀ ମିଶ୍ର  ଜଣେ ଲେଖିକା। ବର୍ତ୍ତମାନ ସେ ଅଡ଼ଶପୁର (କଟକ) ସ୍ଥିତ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ମହିଳା ଅଧ୍ୟୟନ କେନ୍ଦ୍ର (ୟୁଜିସି)ର ନିର୍ଦ୍ଦେଶିକା ଅଛନ୍ତି।

Comment