ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ
  • କରୋନା ବିରୋଧରେ ଲଢ଼ିବାକୁ ଆହ୍ୱାନ
  • ଓଡ଼ିଶାବାସୀଙ୍କ ତ୍ୟାଗ ଓ ସହଯୋଗ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି
  • କଟକଣା ହଟିଲେ ଫସିଥିବା ଓଡ଼ିଆ ଲୋକ ଓଡ଼ିଶାକୁ ଫେରିବେ
  • ସେମାନଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରିବେ ରାଜ୍ୟ ସରକାର
  • କୋଭିଡ୍‌ ୧୯ ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲପାଳ କ୍ଷମତା
  • ବାହାରୁ ଆସୁଥିବା ଲୋକ ପଞ୍ଚାୟତରେ କ୍ୱାରେଣ୍ଟାଇନରେ ରହିବେ
  • ୧୪ ଦିନ କ୍ୱାରେଣ୍ଟାଇନରେ ରହିଲେ ମିଳିବ ୨ ହଜାର ଟଙ୍କାର ସହାୟତା

‘‘କରୋନା ଏବେ ୧୦ ଦିନ ଭିତରେ ବିଶ୍ୱ ଏବଂ ଦେଶରେ ବଢ଼ି ଚାଲିଛି। ଭାରତରେ ମୃତ୍ୟୁ ସଂଖ୍ୟା ୫୦୦ ଟପିଛି। ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ହେଲେ ଓଡ଼ିଶାବାସୀଙ୍କ ତ୍ୟାଗ ଓ ସହଯୋଗ ଲାଗି ଆମ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି’’, ଭିଡିଓ ବାର୍ତ୍ତା ଜରିଆରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ ଲୋକଙ୍କ ସାମ୍ନାକୁ ଆସିଥିଲେ। ୧୦ ଦିନ ପରେ ଅର୍ଥାତ୍‌ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ ଲୋକଙ୍କୁ ସମ୍ବୋଧନ କରିଛନ୍ତି। କରୋନା ବିରୋଧରେ ଲମ୍ବା ଲଢ଼େଇ ଲଢ଼ିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।

ଫସିଥିବା ଓଡ଼ିଆ ଆମ ରାଜ୍ୟକୁ ଆସିବେ

ବାହାର ରାଜ୍ୟରେ ଲକ୍ଷେ ଲୋକ ଫସିଛନ୍ତି। ଲକ୍‌ଡାଉନ୍‌ କଟକଣା ହଟିବା ପରେ ସେମାନଙ୍କୁ ଓଡ଼ିଶାକୁ ଫେରାଇ ଅଣାଯିବ। କେନ୍ଦ୍ର ସରକାର ଏବଂ ସଂପୃକ୍ତ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରି ସେମାନଙ୍କର ଆସିବାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

‘‘ଓଡ଼ିଶାରୁ ବହୁତ ଲୋକ ବାହାର ରାଜ୍ୟକୁ ଯାଇଥିଲେ। ହେଲେ ସେମାନେ ଫସି ରହିଥିବାରୁ ମୁଁ ବହୁତ ଦୁଃଖିତ। କଟକଣା ହଟିବା ପରେ ସେମାନଙ୍କୁ ଆମ ରାଜ୍ୟକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ଟେକ୍ନୋଲୋଜିର ସହାୟତା ନିଆଯିବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

corona awarenessସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା

କୋଭିଡ୍‌୧୯ ମୁକାବିଲା ପାଇଁ ପୌରାଞ୍ଚଳ ଓ ପଞ୍ଚାୟତକୁ ସାଙ୍ଗରେ ନେବାକୁ ପଡ଼ିବ। ଏଥିପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

‘‘ବିଦେଶରୁ ଫେରୁଥିବା ଲୋକଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଛି। ସେମାନେ ବିଦେଶରୁ ଆସିଲେ କ୍ୱାରେଣ୍ଟାଇନରେ ରହିବେ। ସେହିପରି ଅନ୍ୟ ରାଜ୍ୟରୁ ଯେଉଁ ଲୋକମାନେ ଗାଁକୁ ଆସିବେ ସେମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ କରିବେ। ସେହି ପଞ୍ଚାୟତରେ କ୍ୱାରେଣ୍ଟାଇନରେ ରହିବେ। ସେମାନଙ୍କ ରହିବା, ଖାଇବା ଖର୍ଚ୍ଚ ସରକାର ବହନ କରିବେ। ୧୪ ଦିନିଆ କ୍ୱାରେଣ୍ଟାଇନ ଶେଷ ହେବା ପରେ ସେମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

Comment