ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • ଏନ୍‌ଟିପିସି ମେଡିକାଲ କଲେଜ ପରିସରରେ ସ୍ୱତନ୍ତ୍ର କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ର
  • ୨୦୦ ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର
  • ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି ଯୋଗାଇଦେଲା ଆର୍ଥିକ ଅନୁଦାନ
  • କିୟୋସ୍କ ପଦ୍ଧତିରେ ହେବ ସ୍ୱାବ୍‌ ସଂଗ୍ରହ

ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଭାଇରସ ମୁକାବିଲା କରିବା ପାଇଁ ଆଜି ସହରର ଶଙ୍କରାଠାରେ ସ୍ୱତନ୍ତ୍ର କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଛି। ଏନ୍‌ଟିପିସି ମେଡିକାଲ କଲେଜ ପରିସରରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଛି। ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି ତରଫରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି।

ଏହି ଲୋକାର୍ପଣ ଉତ୍ସବରେ ଭିଡିଓ କନଫରେନ୍ସିଂରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ସାମିଲ ହୋଇଥିଲେ।

କୋଭିଡ୍ ୧୯ର ରାଜ୍ୟ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ୫ଟି ସଚିବ ଭି କେ ପାଣ୍ଡିଆନ ଯୋଗ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ସହିତ ଏନ୍ ଟିପିସି ଦରଲିପାଲି ପ୍ରକଳ୍ପର ମୁଖ୍ୟ ପ୍ରବନ୍ଧକ ସୁନିଲ କୁମାର ସତ୍ୟ, ସୁନ୍ଦରଗଡ଼ ସିଡିଏମ୍‌ଓ ସରୋଜ କୁମାର ମିଶ୍ର ଉପସ୍ଥିତ ଥିଲେ।

ଏହି କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୦ ଶଯ୍ୟା ଥିବା ବେଳେ ୧୫ଟି ସ୍ୱତନ୍ତ୍ର କକ୍ଷ ରହିଛି। ଏହି କକ୍ଷରେ ପଜିଟିଭ୍ ଚିହ୍ନଟ ହେଇଥିବା ରୋଗୀଙ୍କୁ ରଖାଯିବ। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଦକ୍ଷିଣକୋରିଆ ଏବଂ କେରଳ ଭଳି କିୟୋସ୍କ ପଦ୍ଧତିରେ ସ୍ୱାବ୍ ସଂଗ୍ରହ କରିବାର ସୁବିଧା ରହିଛି।

କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ଦାୟିତ୍ୱ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନେଇଛି। ଏନ୍‌ଟିପିସି ପକ୍ଷରୁ ନିର୍ମାଣ କରାଯାଉଥିବା ସୁନ୍ଦରଗଡ଼ ମେଡିକାଲ କଲେଜର ତିନିଟି ମହଲାକୁ କୋଭିଡ୍‌ ହସ୍ପିଟାଲ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେ ଥିବା ହାଇଟେକ୍ ମେଡିକାଲ କେଲେଜରେ କୋଭିଡ୍ ହସ୍ପିଟାଲ ଖୋଲାଯାଇଥିଲା। ଏହାସହ ରାଉରକେଲା ଆଇଜିଏଚରେ କୋଭିଡ୍ ଟେଷ୍ଟିଙ୍ଗ ସେଣ୍ଟର ଖୋଲାଯାଇଛି।

Comment