ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଭିଡ୍ ଟେଷ୍ଟିଂ, ଟ୍ରିଟମେଣ୍ଟ୍ ଓ ଟିକାକରଣକୁ ଗୁରୁତ୍ୱ
  • ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ
  • ସୁନ୍ଦରଗଡ଼ରେ ଖୋଲିବ ୨୦୦ ଶଯ୍ୟା ବିଶିଷ୍ଟ ଟିଏମସି

କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ସୁନ୍ଦରଗଡ଼ସ୍ଥିତ ଏନଟିପିସି କୋଭିଡ୍ ହସ୍ପିଟାଲ କିପରି ପ୍ରସ୍ତୁତ ରହିଛି ତା’ର ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଶୁକ୍ରବାର ଦିନ ଏନଟିପିସି ହସ୍ପିଟାଲ ପରିଦର୍ଶନରେ ଯାଇ କୋଭିଡ୍ ଟେଷ୍ଟିଂ, ଚିକିତ୍ସା ଏବଂ ଟିକାକରଣ କାର୍ଯ୍ୟକ୍ରମର ସେ ଅନୁଧ୍ୟାନ କରିଥିଲେ। କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସାକୁ ପ୍ରାଥମିକତା ଦେବା ଲାଗି ଜିଲ୍ଲାପାଳ ହସ୍ପିଟାଲର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏନଟିପିସି କୋଭିଡ୍ ହସ୍ପିଟାଲକୁ ଆସୁଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଖୁବଶୀଘ୍ର ଅଧିକ ୧୦ଟି ଭେଣ୍ଟିଲେଟର ବେଡ୍‌ର ସୁବିଧା କରାଯିବ ବୋଲି ଜିଲ୍ଲାପାଳ ଏହି ଅବସରରେ କହିଥିଲେ।

‘‘ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଛୁ। ଏନଟିପିସି ହସ୍ପିଟାଲରେ ୧୦ଟି ଭେଣ୍ଟିଲେଟର ବେଡ୍ ବ୍ୟବସ୍ଥା କରାଯାଉଛି। ଏଠାରେ ଆରଟିପିସିଆର ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବା ସହ ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଏଥିପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯିବ’’, ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ସ୍ୱଚ୍ଛତା ରକ୍ଷା କରିବା ଲାଗି ନିୟମିତ ବ୍ୟବଧାନରେ ହସ୍ପିଟାଲ ପରିସରକୁ ବିଶୋଧନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।ଏହି ଅବସରରେ ଏନଟିପିସି ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ। ଆସନ୍ତାକାଲି ଏନେଇ ହସ୍ପିଟାଲ ପରିସରରେ ଏକ ମକ୍ ଡ୍ରିଲ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

ସମୀକ୍ଷା ବେଳେ ଜିଲ୍ଲାପାଳଙ୍କ ସହିତ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ, ଏସଡିପିଓ ମଧୁସିକ୍ତା ମିଶ୍ର, ଅଗ୍ନି ନିରାପତ୍ତା ଅଧିକାରୀ ରବି ସାମଲ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଏନଟିପିସି ହସ୍ପିଟାଲର ପ୍ରମୁଖ ଅଧିକାରୀ ଓ ଡାକ୍ତରମାନେ ଉପସ୍ଥିତ ଥିଲେ।ଏନଟିପିସି କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ୪୦୦ ଶଯ୍ୟା ରହିଛି। ୧୮୦ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି।

‘‘ଏନଟିପିସି ହସ୍ପିଟାଲକୁ ଅଧିକ ସଂଖ୍ୟାରେ କୋଭିଡ୍ ଆକ୍ରାନ୍ତ ଆସୁଥିବାରୁ ଏଠାରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମକୁ ହସ୍ପିଟାଲ ପରିସରରେ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସେହିପରି ସୁନ୍ଦରଗଡ଼ ମାଦ୍ରିକାଲୋ ଭବନ ଏବଂ ଏନଟିପିସି କଲ୍ୟାଣ ମଣ୍ଡପରେ ୨୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ବା ଟିଏମସି ଖୋଲାଯାଉଛି’’, କହିଛନ୍ତି ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର।

ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ କହିଥିଲେ ଯେ, ଏନଟିପିସିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ଆମର ଲକ୍ଷ୍ୟ। ଆସନ୍ତାକାଲି ଅଗ୍ନିଶମ କର୍ମଚାରୀ, ପୋଲିସ ଏବଂ ହସ୍ପିଟାଲ କର୍ମଚାରୀଙ୍କ ମିଳିତ ସହଯୋଗରେ ଏକ ମକ୍ ଡ୍ରିଲ କରାଯିବ।

Comment