ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ମହାନଗର ଅଞ୍ଚଳର ୩୦ ବେଡ୍‌ରୁ ଅଧିକ ଥିବା ସମସ୍ତ ଘରୋଇ ଡାକ୍ତରଖାନାରେ ସରକାରୀ ଦେୟରେ ହେବ କୋଭିଡ୍ ଚିକିତ୍ସା।

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଛି। ପୂର୍ବରୁ ରାଉଲକେଲାରେ ହାଇଟେକ୍ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ ରହିଥିଲା। କିଛି ଦିନ ତଳେ ଆଉ ଦୁଇଟି ନୂଆ ଘରୋଇ ହସ୍ପିଟାଲ ଯଥା- ଜୟପ୍ରକାଶ ହସ୍ପିଟାଲ ଓ ଶାନ୍ତି ମେମୋରିଆଲ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିଣତ କରାଯାଇଛି। ତେବେ ବର୍ଦ୍ଧିତ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଜୟପ୍ରକାଶ ହସ୍ପିଟାଲରେ ୬୦ଟି ଓ ଶାନ୍ତି ମେମୋରିଆଲ ହସ୍ପିଟାଲରେ ୩୦ଟି ଆଇସିୟୁ ବେଡ୍‌ ସଂରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।

ପୂର୍ବରୁ ହାଇଟେକ୍ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ପାଇଁ ୨୦୦ଟି ଶଯ୍ୟା ରହିଥିଲା। ଏହା ସହିତ ନିକଟରେ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ୫ଟି ମହାନଗର ଅଞ୍ଚଳରେ ୩୦ଟି ବେଡ୍‌ରୁ ଅଧିକ ଥିବା ସମସ୍ତ ଘରୋଇ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍ ସଂରକ୍ଷିତ ରଖାଯାଉଛି। ଏହି ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ବେଡ୍‌ର ୫୦ ପ୍ରତିଶତ ଓ ଆଇସିୟୁ ବେଡ୍‌ର ୮୦ ପ୍ରତିଶତ କୋଭିଡ୍ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଉଛି।

ସ୍ଵାସ୍ଥ୍ୟ ବିଭାଗର ଏହି ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ରାଉଲକେଲାରେ ଥିବା ଏହି ବର୍ଗର ଘରୋଇ ହସ୍ପିଟାଲଗୁଡ଼ିକରେ ବେଡ୍ ସଂଖ୍ୟା ବୃଦ୍ଧି ହୋଇପାରିଛି। ରାଉଲକେଲାର ହାଇଟେକ୍, ଜୟପ୍ରକାଶ ଓ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ୍ ରୋଗୀଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।ଏହା ଛଡ଼ା ସହରର ଅନ୍ୟ ଘରୋଇ ହସ୍ପିଟାଲଗୁଡ଼ିକରେ ଯେଉଁ ରୋଗୀମାନେ ଚିକିତ୍ସିତ ହେବେ ସେମାନଙ୍କୁ ସରକାର ସ୍ଥିର କରିଥିବା ଦେୟ ହିସାବରେ ଚିକିତ୍ସା ଖର୍ଚ୍ଚ ଦେବାକୁ ହେବ। ଯଦି ଏହି ହସ୍ପିଟାଲଗୁଡ଼ିକ ସରକାରଙ୍କ ନିର୍ଦ୍ଧାରିତ ଦେୟଠାରୁ ଅଧିକ ଅର୍ଥ ଦାବି କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ରାଉଲକେଲାର ଆଇଜିଏଚ୍‌ରେ କୋଭିଡ୍ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ପ୍ଲାଜ୍‌ମା ବ୍ୟାଙ୍କର ଉଦ୍‌ଘାଟନ ମଧ୍ୟ କରିଛନ୍ତି। ରାଉଲକେଲାକୁ ସୁନ୍ଦରଗଡ଼ ଜିଲ୍ଲା ଛଡ଼ା ଅନ୍ୟ ଜିଲ୍ଲାରୁ ମଧ୍ୟ ରୋଗୀମାନଙ୍କୁ ଆଣି ଚିକିତ୍ସା କରାଯାଉଛି।

Comment