ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସମସ୍ତ ଘରୋଇ, ସରକାରୀ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲାଯିବ। ସମସ୍ତ ସେଣ୍ଟରରେ ଏକ ସ୍ଵତନ୍ତ୍ର କନ୍ଫରେନ୍ସ ହଲ୍‌ର ବ୍ୟବସ୍ଥା କରାଯାଇ ସେଠାରେ ସିସିଟିଭି ସହ ଟିଭି ସଂଯୋଗ କରାଯିବ। ଏହାଦ୍ଵାରା କରୋନା ରୋଗୀଙ୍କ ସମ୍ପର୍କୀୟମାନେ ଚାହିଁଲେ ସିଧାସଳଖ ତାଙ୍କୁ ଦେଖି ପାରିବେ ଏବଂ ସେମାନଙ୍କ ସହ କଥାବାର୍ତ୍ତା ହୋଇପାରିବେ। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ଏକ ମାର୍ଗଦର୍ଶିକା ଜାରି କରାଯାଇଛି।  corona testସ୍ଵାସ୍ଥ୍ୟ ବିଭାଗର ମାର୍ଗଦର୍ଶିକାରେ ଆହୁରି କୁହାଯାଇଛି ଯେ ରାଜ୍ୟର ସବୁ କୋଭିଡ୍‌ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ପାଇଁ ଏକ ଉତ୍ସର୍ଗୀକୃତ ଟୋଲ୍‌ ଫ୍ରି ଟେଲିଫୋନ୍ ଲାଇନ୍ ରହିବ। ଏହି ହେଲ୍ପ ଡେସ୍କର ନମ୍ବରକୁ ଅତିରିକ୍ତ ଡିଏମ୍‌ଇଟିଙ୍କୁ ଅବଗତ କରାଯିବା ସହିତ ଏହି ନମ୍ଵର ସମ୍ପର୍କରେ ଜନସାଧାରଣଙ୍କୁ ସୂଚିତ କରାଯିବ।

ହେଲ୍ପ ଡେସ୍କର ପରିଚାଳନା କରିବା ପାଇଁ ଯଥାସମ୍ଭବ ଲୋକଙ୍କୁ ନିୟୋଜିତ କରାଯିବ। ଆବଶ୍ୟକ ପଡ଼ିଲେ‌ ସ୍ଵେଚ୍ଛାସେବୀ ସଂସ୍ଥାକୁ ଏହି କାର୍ଯ୍ୟରେ ଲଗାଯାଇପାରିବ। ‌ ସମ୍ପର୍କୀୟଙ୍କ ସହ ରୋଗୀମାନେ ଟେଲିଫୋନ୍‌ରେ କଥା ହେବା ସହ ହ୍ଵାଟ୍ସଆପ୍ ଯୋଗେ ଭଏସ୍‌ ଏସ୍‌ଏମ୍‌ଏସ୍ ଓ ଫଟୋ ଆଦି ପଠାଇପାରିବେ। ହେଲ୍ପଡେସ୍କର କର୍ମଚାରୀମାନେ ଏହି କାର୍ଯ୍ୟର ବ୍ୟବସ୍ଥା କରିବେ।ସେହିପରି ହସ୍ପିଟାଲ୍‌ ବାହାରେ ଏକ ସମ୍ମିଳନୀ କକ୍ଷ ପ୍ରସ୍ତୁତ କରାଯିବ। ସେଥିରେ ଟିଭି ଓ କ୍ୟାମେରା ବ୍ୟବସ୍ଥା ରହିବ। ତାହାକୁ ହସ୍ପିଟାଲ୍‌ ଭିତରେ ଲଗାଯାଇଥିବା ସିସି ଟିଭି ସହ ସଂଯୋଗ କରାଯିବ। ସେଠାରେ ରୋଗୀଙ୍କ ସମ୍ପର୍କୀୟ ରୋଗୀଙ୍କୁ ଦେଖିବା ସହ କଥା ହୋଇପାରିବେ। ରୋଗୀଙ୍କୁ ଆଡ୍‌ମିଟ୍‌ କଲା ବେଳେ ତାଙ୍କ ସମ୍ପର୍କୀୟଙ୍କ ନମ୍ବର ହସ୍ପିଟାଲ୍‌ରେ ରଖାଯିବ। ଯଦି ସମ୍ପର୍କୀୟ ତାଙ୍କ ଆଡୁ ଯୋଗାଯୋଗ ନ କରନ୍ତି, ତେବେ ହସ୍ପିଟାଲ୍‌ ପକ୍ଷରୁ ଦିନକୁ ଅତି କମ୍‌ରେ ଥରେ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ସମ୍ପର୍କୀୟଙ୍କୁ ଅବଗତ କରାଯିବ।

ଏହି ନିୟମର ଖିଲାପ କଲେ ହସ୍ପିଟାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସରକାରଙ୍କ ସହଯୋଗରେ ଖୋଲିଥିବା ହସ୍ପିଟାଲ୍‌କୁ ସରକାର ଦେୟ ଦେବେ ନାହିଁ ବୋଲି ସତର୍କ କରାଇ ଦିଆଯାଇଛି।

Comment